ଭୁବନେଶ୍ୱର : ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର କେଇ ସପ୍ତାହ ବାକି। ବ୍ୟବସ୍ଥା ଅନୁସାରେ ଫେବୃଆରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ବଜେଟ୍ ଆଗତ କରିଥାଆନ୍ତି। ମାତ୍ର ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲୁଥିବାରୁ ଓ କେନ୍ଦ୍ର ସରକାର ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ବଜେଟ୍ ଆଗତ କରୁଥିବାରୁ ଆଗାମୀ ବର୍ଷ ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବାରେ ବିଳମ୍ବ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ସ୍ଥିତି ସମ୍ଭାଳିବାକୁ ଆର୍ଥିକ ବର୍ଷର ପ୍ରଥମ ୩ ମାସ ପାଇଁ କାମଚଳା ବଜେଟ ରାଜ୍ୟ ସରକାର ଆଣିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ବଜେଟ୍ ପ୍ରସ୍ତୁତି ମଧ୍ୟ ଚୂଡାନ୍ତସ୍ତରରେ ରହିଛି। ରାଜ୍ୟ ସରକାର ବଜେଟ୍ ସଂକ୍ରାନ୍ତରେ ବିଭିନ୍ନ ମହଲରୁ ଲୋଡ଼ିଥିବା ମତାମତ ଆଧାରରେ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଏହି ସ୍ଥିତିରେ ଆସନ୍ତା ଫେବୃୟାରୀ ପହିଲାରେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପନ କରିବେ। କେନ୍ଦ୍ର ସରକାରଙ୍କ ବଜେଟ୍ର ରୂପରେଖ ଏବଂ ରାଜ୍ୟକୁ ଆବଣ୍ଟିତ ହୋଇଥିବା ଅନୁଦାନର ପରିମାଣକୁ ବିଚାରକୁ ନେଇ ରାଜ୍ୟ ସରକାର ନିଜସ୍ୱ ବଜେଟ୍ ଉପସ୍ଥାପନ କରିବେ। ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ପ୍ରଥମେ ୧.୭୦ ଲକ୍ଷ କୋଟି ଟଙ୍କାର ବଜେଟ୍ ରାଜ୍ୟ ସରକାର ଉପସ୍ଥାପନ କରିଥିଲେ। ସେହିପରି ଗତ ଡିସେମ୍ବରରେ ୧୯,୮୩୩.୧୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଥିଲା। ତେଣୁ ଆସନ୍ତା ଆର୍ଥିକ ବର୍ଷରେ ସାମଗ୍ରିକ ଭାବେ ରାଜ୍ୟ ବଜେଟ୍ ପୂର୍ବ ବର୍ଷ ତୁଳନାରେ ୧୦ରୁ ୧୫% ନିଶ୍ଚୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ବଜେଟ୍ର ଆକାର ୧.୯୦ ଲକ୍ଷ କୋଟିରୁ ୨ ଲକ୍ଷ କୋଟି ଟଙ୍କା ଛୁଇଁପାରେ ବୋଲି କେତେକ ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଛନ୍ତି।
ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ରାଜ୍ୟ ବଜେଟ୍ର ଏକ ବଡ଼ ଅଂଶ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭର କରିଥାଏ। ଏହାକୁ ବାଦ୍ ଦେଇ ୧୦ରୁ ୧୫% ବଜେଟ୍ ଅର୍ଥ ଋଣ ଜରିଆରେ କରାଯାଇଥାଏ। ଗତ ୨ ବର୍ଷ ହେବ କରୋନା ଦ୍ୱାରା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି। ତେଣୁ ଦୀର୍ଘମିଆଦୀ ଭିତ୍ତିଭୂମି ଉନ୍ନୟନ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଟିକସ ଆୟରୁ ରାଜ୍ୟର ଭାଗ ବୃଦ୍ଧି, ନିର୍ଦ୍ଦିଷ୍ଟ ଭାବେ ରାଜ୍ୟକୁ ଅନ୍ୟ ସୂତ୍ରରୁ ଆୟ ସୁନିଶ୍ଚିତ କରିବାରେ କେନ୍ଦ୍ର କିପରି ଭୂମିକା ଗ୍ରହଣ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ରାଜ୍ୟରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଏହା ପରେ ପୌର ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ କାମଚଳା ବଜେଟ୍ ତଥା ୩ ମାସିଆ ବଜେଟ୍ ଆସିବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆ ଯାଇ ନ ପାରେ।
ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୁକ୍ରବାର କାମଚଳା ବଜେଟ୍ ସମ୍ଭାବନା ନେଇ ସଙ୍କେତ ଦେଇଥିଲେ ହେଁ ଅର୍ଥ ବିଭାଗ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ମିଳି ନ ଥିବା ଶ୍ରୀ ପାତ୍ର କହିଛନ୍ତି। ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ଅପେକ୍ଷା ଆର୍ଥିକ ସ୍ୱାୟତ୍ତତା ଉପରେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ବିଜେପି ଶାସିତ ରାଜ୍ୟ ତଥା ହିନ୍ଦୀ ଭାଷୀ ଅଞ୍ଚଳକୁ ନିର୍ଦ୍ଦିଷ୍ଟ ଭାବେ ଦୃଷ୍ଟି ରଖି ଯେପରି କେନ୍ଦ୍ରୀୟ ବଜେଟ୍ରେ ବ୍ୟବସ୍ଥା କରାଯାଇ ଥାଏ, ସେପରି ଓଡ଼ିଶା କ୍ଷେତ୍ରରେ ପରିଲକ୍ଷିତ ହୋଇ ନ ଥାଏ। ରାଜ୍ୟ ପକ୍ଷରୁ କୋଇଲା ରାଜଭାଗ ସଂଶୋଧନ, ରାଜ୍ୟରୁ ଆଦାୟ ହେଉଥିବା ସେସ୍ରେ ଅଧିକ ଭାଗ, ରାଜ୍ୟର ରେଳ ଡିଭିଜନରୁ ସଂଗ୍ରହ ହେଉଥିବା କର ତୁଳନାରେ ଅନୁଦାନ ବୃଦ୍ଧି ଦାବି ହୋଇ ଆସିଛି।
ଏହା ସହ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପ୍ରତିଷ୍ଠା ନେଇ ୧୦,୦୦୦ କୋଟି ଟଙ୍କାର ଦାବି ରାଜ୍ୟ ରଖିସାରିଛି। ସ୍ୱତନ୍ତ୍ର ଧ୍ୟାନକେନ୍ଦ୍ରିତ ରାଜ୍ୟ ଭାବେ ପ୍ରାକୃତିକ ବିପର୍ଯ୍ୟୟ ହେଉଥିବା ବର୍ଷଠାରୁ ଅନୂନ ୩ ବର୍ଷ ଯାଏ ବିଭିନ୍ନ ଯୋଜନାରେ କେନ୍ଦ୍ର:ରାଜ୍ୟର ଆର୍ଥିକ ଅନୁଦାନ ଅନୁପାତ ୯୦:୧୦ ରଖିବା ପ୍ରସ୍ତାବ ମଧ୍ୟ ରଖାଯାଇ ସାରିଛି। ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ବେ ମନରେଗା ବାବଦ ଶ୍ରମ ଦିବସ ବୃଦ୍ଧି କରାଯାଉନାହିଁ। ରାଜ୍ୟରେ ବ୍ୟାଙ୍କ୍ ଯୋଗାଯୋଗ ସହ ମୋବାଇଲ୍ ଟାୱାର ପ୍ରତିଷ୍ଠା ନେଇ ଦାବି ହୋଇ ଆସୁଛି। ହେଲେ ଓଡ଼ିଶା କୈନ୍ଦ୍ରିକ ସମସ୍ୟାର ସମାଧାନ ନେଇ ନିର୍ଦ୍ଦିଷ୍ଟ ଘୋଷଣା ନ ହେବା ଅନେକଙ୍କୁ ନିରାଶ କରିଛି।
୨୦୨୦ରୁ ସାରା ଦେଶରେ ଜନଗଣନା ହେବାର ଥିଲା। ୨୦୨୧ରେ ଜନଗଣନା ସମ୍ପର୍କିତ ଏକ ପ୍ରାଥମିକ ରିପୋର୍ଟ ପ୍ରକାଶ ପାଇଥାଆନ୍ତା। ୨୦୨୪-୨୫ରେ ସାମଗ୍ରିକ ଭାବେ ଜନଗଣନା-୨୦୨୧ ତଥ୍ୟ ପ୍ରକାଶ ହୋଇ ଥାଆନ୍ତା। ହେଲେ କେନ୍ଦ୍ର ଏହି ପ୍ରକ୍ରିୟା ଆରମ୍ଭ କରିନାହିଁ। ରାଜ୍ୟ ସରକାର ଏବଂ ଶାସକ ବିଜେଡି ଜନଗଣନାରେ ଜାତି ସ୍ତମ୍ଭ ରଖିବା ପାଇଁ ଦାବି କରିଛି। ଏହି ଦାବି ଓଡ଼ିଶା ସମେତ ଅଧିକାଂଶ ରାଜ୍ୟର ରହିଛି। ଓବିସି ଜନଗଣନା ଦାବି ମଧ୍ୟ ଜୋର ଧରିଛି। ତେଣୁ ଜନଗଣନା ଘୋଷଣା ଓ ଏଥିପାଇଁ ବଜେଟ୍ ବ୍ୟୟବରାଦ କେତେ ରହୁଛି। ଓବିସି ଜନଗଣନା ନେଇ କେନ୍ଦ୍ର ମତସ୍ପଷ୍ଟ କରୁଛି ନା ଗଡ଼଼ାଇ ଦେଉଛି, ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।
ବିଳମ୍ବ ହେବ…