ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ପଠାଯାଇଥିବା ଚନ୍ଦ୍ରଯାନ-୩ ମିଶନ ସଫଳ ହୋଇଛି । ଜହ୍ନ ମାମୁଁ ଘରେ ପହଞ୍ଚି ଯାଇଛି ଭାରତ । ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩। ଏଥି ସହିତ ରୁଷ, ଆମେରିକା ଏବଂ ଚୀନ୍ ପରେ ଚନ୍ଦ୍ର ଉପରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇପାରିଛି।
ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ଅଗଷ୍ଟ ୨୩ ସନ୍ଧ୍ୟା ୬.୦୪ ମିନିଟରେ ଚନ୍ଦ୍ର ଉପରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩। ଚନ୍ଦ୍ରରେ ପହଞ୍ଚିବା ପରେ ବିକ୍ରମ ଚନ୍ଦ୍ରରୁ ଇସ୍ରୋର କମାଣ୍ଡ୍ ସେଣ୍ଟରକୁ ଏକ ବାର୍ତ୍ତା ପଠାଇଛି। ଇସ୍ରୋକୁ ପଠାଯାଇଥିବା ବାର୍ତ୍ତାରେ ଚନ୍ଦ୍ରଯାନ କହିଛି, ‘ଭାରତ, ମୁଁ ମୋ ର ଗନ୍ତବ୍ୟସ୍ଥଳରେ ପହଞ୍ଚିଛି ଏବଂ ଆପଣ ମାନେ ମଧ୍ୟ ! ଏ ନେଇ ଇସ୍ରୋ ପକ୍ଷରୁ ଏକ ଟୁଇଟ୍ କରି ସୂଚନା ଦିଆଯାଇଛି।
ଏଥି ସହିତ ଚନ୍ଦ୍ରରେ ପହଞ୍ଚିବାର କିଛି ସମୟ ପରେ ଚନ୍ଦ୍ରର ପ୍ରଥମ ଫଟୋ ମଧ୍ୟ ପଠାଇଛି ଚନ୍ଦ୍ରଯାନ-୩। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରପୃଷ୍ଟରୁ ଲ୍ୟାଣ୍ଡର୍ ପଠାଇଥିବା ଫଟୋକୁ ସୋସିଆଲ ମିଡିଆ ପ୍ଲାଟଫର୍ମ (ଟ୍ବିଟର)ଏକ୍ସରେ ସେୟାର କରାଯାଇଛି। ଇସ୍ରୋ ଲେଖିଛି, ‘ବେଙ୍ଗାଲୁରୁର ଚନ୍ଦ୍ରୟାନ -3 ଲ୍ୟାଣ୍ଡର ଏବଂ MOX-ISTRAC ମଧ୍ୟରେ ଯୋଗାଯୋଗ ପ୍ରତିଷ୍ଠା କରାଯାଇଛି। ଅବତରଣ କରିବା ସମୟରେ ନିଆଯାଇଥିବା ଲ୍ୟାଣ୍ଡର୍ ହୋରିଜୋଣ୍ଟାଲ୍ ଭେଲୋସିଟି କ୍ୟାମେରାର ଚିତ୍ର ଏଠାରେ ଅଛି।
ସାଢ଼େ ତିନି ଘଣ୍ଟା ବିଳମ୍ବରେ ଲ୍ୟାଣ୍ଡର ଭିତରୁ ବାହାରିବ ରୋଭର ପ୍ରଜ୍ଞାନ
ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ଚନ୍ଦ୍ର ପୃଷ୍ଠରେ ଧୂଳିର ଏକ ବିରାଟ ମେଘ ବା ଆବରଣ ସୃଷ୍ଟି କରିଥିଲା। ଚନ୍ଦ୍ରର ଅତ୍ୟନ୍ତ ଦୁର୍ବଳ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଚନ୍ଦ୍ରପୃଷ୍ଠରେ ସୃଷ୍ଟି ହୋଇଥିବା ଧୂଳି ଆବରଣ ଶୀଘ୍ର ଅପସାରିତ ହେବ ନାହିଁ, ବରଂ ନିଜ ଗତିରେ ବିସ୍ତାର କରିବ। ଏହାକୁ ଦୃଷ୍ଟିରେ ରଖି ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ସାଢ଼େ ତିନି ଘଣ୍ଟା ପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମ ଭିତରୁ ବାହାରିବ।କାରଣ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚାହୁଁନାହିଁ ଯେ ଚନ୍ଦ୍ରର ଧୂଳି ଲ୍ୟାଣ୍ଡର ବିକ୍ରମରେ ଥିବା ରୋଭର ପ୍ରଜ୍ଞାନରେ ଲଗିଥିବା ଉଚ୍ଚ କ୍ଷମତା ସଂପନ୍ନ କ୍ୟାମେରା ଏବଂ ଅନ୍ୟ ସମ୍ବେଦନଶୀଳ ଉପକରଣଗୁଡ଼ିକ ଉପରେ ଜମି ନଯାଉ। ତେଣୁ ଲ୍ୟାଣ୍ଡର ବିକ୍ରମ ଠାରୁ ଧୂଳିର ଆବରଣ ଦୂରକୁ ଯିବା ପାଇଁ ତିନି ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛି ଇସ୍ରୋ।
୧୪ ଦିନ ଯାଏ ତଥ୍ୟ ଦେବେ ବିକ୍ରମ ଓ ପ୍ରଜ୍ଞାନ
ରୋଭର ପ୍ରଜ୍ଞାନକୁ ସାଥୀରେ ଧରି ଲ୍ୟାଣ୍ଡର ବିକ୍ରମ ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଲ୍ୟାଣ୍ଡିଂ କରିଛି। ରୋଭର ପ୍ରଜ୍ଞାନ ଓ ବିକ୍ରମ ମିଳିତ ଭାବେ ୧୪ ଦିନ ଯାଏ ଚନ୍ଦ୍ରରୁ ଇସ୍ରୋକୁ ତଥ୍ୟ ଦେବେ। ଲ୍ୟାଣ୍ଡରରେ ଲାଗିଥିବା ୩ଟି ପେ’ଲୋଡ୍ ବା ଯନ୍ତ୍ରାଂଶ ଚନ୍ଦ୍ରପୃଷ୍ଠର ତାପ ପରିବହନ କ୍ଷମତା, କଂପନ ଓ ଚନ୍ଦ୍ରପୃଷ୍ଠ ନିକଟରେ ଥିବା ପ୍ଲାଜମା ସଂପର୍କରେ ତଥ୍ୟ ସଂଗ୍ରହ କରିବ। ସେହିପରେ ରୋଭରରେ ଲାଗିଥିବା ୨ଟି ଯନ୍ତ୍ରାଂଶ ଚନ୍ଦ୍ରପୃଷ୍ଠର ରାସାୟନିକ ଓ ଖଣିଜ ସଂରଚନା ଯାଞ୍ଚ କରିବା ସହିତ ସେଠାରେ ଥିବା ମାଟି ଓ ପଥରର ମୌଳିକ ଗଠନ ପରଖିବ। ରୋଭର୍ ତଥ୍ୟ ସଂଗ୍ରହ କରି ଲ୍ୟାଣ୍ଡରକୁ ପଠାଇବ ଏବଂ ଲ୍ୟାଣ୍ଡର ନିଜର ଓ ରୋଭରର ତଥ୍ୟକୁ ଚନ୍ଦ୍ରୟାନ-୨ର ଅର୍ବିଟର୍ ମାଧ୍ୟମରେ ଇସ୍ରୋକୁ ପ୍ରେରଣ କରିବ।