ଜାଲ୍‌ ଜାତି ପ୍ରମାଣପତ୍ର ମାମଲା; ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ: ଜାଲ୍‌ ଜାତି ପ୍ରମାଣପତ୍ର ମାଧ୍ୟମରେ ମେଡିକାଲ କଲେଜରେ ନାମ ଲେଖା ମାମଲାକୁ ନେଇ କୋଲକାତା ହାଇକୋର୍ଟର ୨ ବିଚାରପତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଜଷ୍ଟିସ ସୋମେନ ସେନ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଅଭିଯୋଗ କରିଛନ୍ତି। ଉଭୟଙ୍କ ମଧ୍ୟରେ ବିବାଦ ଚରମ ରୂପ ଧାରଣ କରିବା ପରେ ସୁପ୍ରିମକୋର୍ଟ ନିଜ ଆଡୁ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି […]

ନୂଆଦିଲ୍ଲୀ: ଜାଲ୍‌ ଜାତି ପ୍ରମାଣପତ୍ର ମାଧ୍ୟମରେ ମେଡିକାଲ କଲେଜରେ ନାମ ଲେଖା ମାମଲାକୁ ନେଇ କୋଲକାତା ହାଇକୋର୍ଟର ୨ ବିଚାରପତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଜଷ୍ଟିସ ସୋମେନ ସେନ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଅଭିଯୋଗ କରିଛନ୍ତି। ଉଭୟଙ୍କ ମଧ୍ୟରେ ବିବାଦ ଚରମ ରୂପ ଧାରଣ କରିବା ପରେ ସୁପ୍ରିମକୋର୍ଟ ନିଜ ଆଡୁ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୀବ ଖନ୍ନା, ବିଆର ଗଭାଇ, ସୂର୍ଯ୍ୟକାନ୍ତ ଏବଂ ଅନିରୁଧ ବୋଷଙ୍କ ଖଣ୍ଡପୀଠ ଶନିବାର ମାମଲାର ଶୁଣାଣି କରି କୋଲକାତା ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ଏବଂ ଖଣ୍ଡପୀଠ ଦେଇଥିବା ଆଦେଶ ଏବଂ ଶୁଣାଣି ଉପରେ କଟକଣା ଲଗାଇ ଦେଇଛନ୍ତି। ଏହା ଉପରେ ପଶ୍ଚିମବଙ୍ଗ ସରକାର ଏବଂ ମୂଳ ଆବେଦନକାରୀଙ୍କୁ ନୋଟିସ ଜାରି କରିଛନ୍ତି। ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ନିଜ ପରିସର ବାହାରକୁ ଯାଇ ଡିଭିଜନାଲ ବେଞ୍ଚ ନିର୍ଦ୍ଦେଶ ଦେଇଥିବା ପ୍ରତୀତ ହେଉଛି। କାରଣ ବିନା ଆବେଦନରେ ସ୍ଥଗିତ ନିର୍ଦ୍ଦେଶ ପାରିତ କରାଯାଇଛି। ଏହା ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ରାୟ ବିରୋଧୀ।

ଗତ ୨୪ ତାରିଖରେ କୋଲକାତା ହାଇକୋର୍ଟର ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ଏକକ ଖଣ୍ଡପୀଠ ଜାଲ୍‌ ଜାତି ପ୍ରମାଣପତ୍ର ମାମଲାର ଶୁଣାଣି କରିଥିଲେ। ସେ ସିବିଆଇକୁ ତଦନ୍ତ ଦାୟିତ୍ବ ପ୍ରଦାନ କରିବାକୁ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ରାଜ୍ୟ ସରକାରଙ୍କ ଅନୁରୋଧରେ ହାଇକୋର୍ଟଙ୍କ ଜଷ୍ଟିସ ସୋମେନ ସେନଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ପୁଣିଥରେ ମାମଲାର ଶୁଣାଣି କରିଥିଲେ। ସେ ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ନିର୍ଦ୍ଦେଶ ଉପରେ କଟକଣା ଲଗାଇ ଦେଇଥିଲେ। ଏହା ସହିତ ସିବିଆଇ ରୁଜୁ କରିଥିବା ଏତଲାକୁ ରଦ୍ଦ କରିଦେଇଥିଲେ। ଜଷ୍ଟିସ ସୋମେନ କହିଥିଲେ ଯେ ରାଜ୍ୟ ଏଜେନ୍ସି ଯେଉଁ ମାମଲାର ତଦନ୍ତ କରୁଛି ତାହାର ଦାୟିତ୍ବ ସିବିଆଇକୁ ଦେବାବେଳେ ସାବଧାନତା ସହ ହାଇକୋର୍ଟଙ୍କ କ୍ଷମତାର ବ୍ୟବହାର କରିବା ଉଚିତ। ଅସାଧାରଣ ପରିସ୍ଥିତିରେ ଏହାକୁ ପ୍ରୟୋଗ କରାଯିବା ଆବଶ୍ୟକ।

ଏହା ପରେ ଜଷ୍ଟିସ ଗଙ୍ଗୋପାଧ୍ୟାୟ ପୁଣି ଏହି ମାମଲାର ଶୁଣାଣି କରି ସୋମେନ ସେନଙ୍କ ଖଣ୍ଡପୀଠଙ୍କ ନିର୍ଦ୍ଦେଶକୁ ବେଆଇନ ଘୋଷଣା କରିଥିଲେ। ମାମଲାର ସିବିଆଇ ଯାଞ୍ଚ ଜାରି ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେ ସମସ୍ତ କାଗଜପତ୍ରକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ପୁଲିସକୁ କହିଥିଲେ। ଜଷ୍ଟିସ ସେନଙ୍କ ବିରୋଧରେ ଏକକ ଖଣ୍ଡପୀଠ ଅନେକ ଅଭିଯୋଗ ଲଗାଇ ଥିଲେ। ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାମ କରୁଥିବା କହିଥିଲେ। କ୍ଷମତାରେ ଥିବା ଦଳକୁ ସୁରକ୍ଷା ଦେବା ପାଇଁ ଜଷ୍ଟିସ ସେନ ଏପରି କରିଛନ୍ତି। ତାଙ୍କର କାର୍ଯ୍ୟକଳାପ ଅସାଦାଚାରଣ ସହ ସମାନ। ସୁପ୍ରିମକୋର୍ଟ କଲେଜିୟମ ୨୦୨୧ରେ ତାଙ୍କର ବଦଳି ପାଇଁ ସୁପାରିସ କରିଥିଲେ। ଏହା ସତ୍ତ୍ବେ ସେନ୍‌ କେମିତି କୋଲକାତା ହାଇକୋର୍ଟର ବିଚାରପତି ରହିଲେ ବୋଲି ପ୍ରଶ୍ନ କରିଛନ୍ତି। କିଛି ଦିନ ତଳେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାଲାର ଶୁଣାଣି କରିଥିବା ଜଷ୍ଟିସ ଅମୃତା ସିହ୍ନାଙ୍କୁ ସେ ନିଜ ଚ୍ୟାମ୍ବରକୁ ଡାକିଥିଲେ। ଅଭିଷେକ ବାନାର୍ଜୀଙ୍କ ରାଜନୈତିକ କ୍ୟାରିୟର ଅଛି। ତେଣୁ ତାଙ୍କୁ ସମସ୍ୟାରେ ନ ପକାଇବା ପାଇଁ କହିଥିଲେ। ପରେ ଜଷ୍ଟିସ ଅମୃତା ଏହାର ସୂଚନା କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଦେଇଥିଲେ। ସେ ଏ ବିଷୟରେ ସିଜେଆଇଙ୍କୁ ଅବଗତ କରାଇଥିଲେ ବୋଲି ଜଷ୍ଟିସ ଗଙ୍ଗୋପାଧ୍ୟାୟ ଅଭିଯୋଗ କରିଥିଲେ।

About The Author: The Sakala