ନୂଆଦିଲ୍ଲୀ : କଂଗ୍ରେସ ନବ ସଂକଳ୍ପ ଚିନ୍ତନ ଶିବିରର ଆଜି ଶେଷ ହୋଇଛି। ରାଜସ୍ଥାନର ଉଦୟପୁରରେ ଆୟୋଜିତ ତିନି ଦିନିଆ ଚିନ୍ତନ ଶିବିରରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି। ଦଳ ସାଙ୍ଗଠନିକସ୍ତରେ କେମିତି ମଜବୁତ ହେବ, ଜନତାଙ୍କ ବିଶ୍ଵାସଭାଜନ କେମିତ ହୋଇ ପାରିବ ସେ ନେଇ ଚିନ୍ତନ ଶିବିରରେ ଅନେକ ପ୍ରସ୍ତାବ ପାରିତ ହୋଇଛି। ଏହି ଶିବିରରେ ଦଳର ରାଜ୍ୟ ପ୍ରଭାରୀ ଠାରୁ ଆରମ୍ଭ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଯୋଗ ଦେଇ ଦଳକୁ ସଙ୍ଗଠିତ କରି ରଖିବା ସହ ଆଗକୁ କିପରି ଏକଜୁଟ୍ ହୋଇ ଲଢେଇ କରାଯିବ ସେ ନେଇ ଆଲୋଚନା କରିଛନ୍ତି।
ଏହି ଶିବିରରେ ନେତାମାନଙ୍କୁ ଉଦବୋଧନ ଦେବା ଅବସରରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ‘ହମ ଓ୍ଵାପସ ଆଏଙ୍ଗେ’ର ନାରା ଦେଇଛନ୍ତି। ସେ ଏହି ଅବସରରେ ଘୋଷଣା କରିଛନ୍ତି କି, ଦଳ ତରଫରୁ କାଶ୍ମୀରରୁ କନ୍ୟାକୁମାରୀ ପର୍ୟ୍ୟନ୍ତ ‘ଭାରତ ଜୋଡ୍’ ଯାତ୍ରାର ଶୁଭାରମ୍ଭ କରାଯିବ। ଆମେ ନୂତନ ଉର୍ଜା ଏବଂ ନୂତନ ଚିନ୍ତାଧାରା ସହ ଲୋକଙ୍କ ନିକଟକୁ ଯିବୁ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଏହି ଯାତ୍ରା ଆରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ଗଣ ସଂଗଠନର ନେତାମାନେ ଯୋଗ ଦେବାକୁ ସେ ଆହ୍ୱାନ ଦେଇଛନ୍ତି ।
ବିନା କୌଣସି ବିଶ୍ରାମରେ ଏହି ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରାର ଉଦ୍ଦେଶ୍ୟ ସାଂପ୍ରଦାୟିକ ସୌହାର୍ଦ୍ଦ୍ୟ ଏବଂ ଆମ ସମ୍ବିଧାନର ମୂଲ୍ୟବୋଧକୁ ବଞ୍ଚାଇବା। ଦ୍ଵିତୀୟ ପର୍ଯ୍ୟାୟ ଜନଜାଗରଣ ଅଭିଯାନ ଆରମ୍ଭ କରାଯିବ। ଏଥିରେ ଅର୍ଥବ୍ୟବସ୍ଥା ଏବଂ ବେରୋଜଗାରୀ ପରି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଯିବ ବୋଲି ସୋନିଆ କହିଛନ୍ତି।