ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବା ସମେତ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ଶେଖ ହସିନା ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗମ୍ଭୀର ଅପରାଧ ପାଇଁ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଛି। କୋର୍ଟ ତାଙ୍କ ରାୟରେ ଏହା ମଧ୍ୟ କହିଛନ୍ତି ଯେ, ମାନବତା ବିରୋଧୀ ଏହି ଅପରାଧ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା।