ଭେନେଜୁଏଲା ସଙ୍କଟ ଉପରେ ଭାରତର ଚିନ୍ତା: ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏସ. ଜୟଶଙ୍କରଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଭେନେଜୁଏଲାରେ ଘଟିଥିବା ସାମ୍ପ୍ରତିକ ରାଜନୈତିକ ଘଟଣାବଳୀ ଏବଂ ଆମେରିକା ସେନା ଦ୍ୱାରା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରାଯିବା ଘଟଣାକୁ ନେଇ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ସମସ୍ତ ପକ୍ଷଙ୍କୁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଏବଂ ଦେଶର ନାଗରିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି।

ମଙ୍ଗଳବାର ଦିନ ଲକ୍ସମବର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜୟଶଙ୍କର କହିଛନ୍ତି ଯେ, "ଆମେ ଭେନେଜୁଏଲାର ଘଟଣାବଳୀ ଉପରେ ନଜର ରଖିଛୁ ଏବଂ ଏଥିପାଇଁ ଚିନ୍ତିତ। କିନ୍ତୁ ଆମେ ଚାହୁଁଛୁ ଯେ ସମସ୍ତ ପକ୍ଷ ଏକାଠି ବସି ଆଲୋଚନା କରନ୍ତୁ ଏବଂ ଏମିତି ଏକ ସିଦ୍ଧାନ୍ତରେ ପହଞ୍ଚନ୍ତୁ ଯାହା ସେଠାକାର ଲୋକଙ୍କ କଲ୍ୟାଣ ଏବଂ ସୁରକ୍ଷା ପାଇଁ ହିତକର ହେବ।"

ଭାରତ ଏବଂ ଭେନେଜୁଏଲା ମଧ୍ୟରେ ଥିବା ଦୀର୍ଘଦିନର ସମ୍ପର୍କକୁ ମନେ ପକାଇ ସେ କହିଛନ୍ତି ଯେ, ବହୁ ବର୍ଷ ଧରି ଉଭୟ ଦେଶ ମଧ୍ୟରେ ଅତି ଉତ୍ତମ ସମ୍ପର୍କ ରହିଆସିଛି। ତେଣୁ ଦେଶର ଲୋକମାନେ ଏହି ସଙ୍କଟରୁ ସୁରକ୍ଷିତ ଭାବେ ବାହାରିବା ଆମର ମୁଖ୍ୟ ଉଦ୍ଦେଶ୍ୟ।

ଏହା ପୂର୍ବରୁ ସୋମବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା। ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ଅତ୍ୟାବଶ୍ୟକ ନଥିଲେ ଭେନେଜୁଏଲା ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। କାରାକାସରେ ଥିବା ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟଙ୍କ ସହ ଯୋଗାଯୋଗରେ ଅଛି ଏବଂ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛି।

ଜାନୁଆରୀ ୩ ତାରିଖରେ ଆମେରିକାର ଏଲିଟ୍ ଡେଲ୍ଟା ଫୋର୍ସ ଏକ ନାଟକୀୟ ଅପରେସନ୍ ମାଧ୍ୟମରେ ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ କାରାକାସରୁ ଗିରଫ କରିଥିଲା। ସେମାନଙ୍କୁ ଆମେରିକା ନିଆଯାଇ ନାର୍କୋ-ଆତଙ୍କବାଦ ଏବଂ କୋକେନ୍ ଚୋରାଚାଲାଣ ଭଳି ସଙ୍ଗୀନ ଅଭିଯୋଗ ଲଗାଯାଇଛି।

ନ୍ୟୁୟର୍କର ଏକ ଫେଡେରାଲ୍ କୋର୍ଟରେ ହାଜର ହୋଇ ମାଦୁରୋ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ସେ କହିଛନ୍ତି, "ମୁଁ ଜଣେ ନିର୍ଦ୍ଦୋଷ ବ୍ୟକ୍ତି ଏବଂ ମୋ ଦେଶର ରାଷ୍ଟ୍ରପତି। ମୋତେ ଅପହରଣ କରାଯାଇଛି।" ଅନ୍ୟପକ୍ଷରେ, ମାଦୁରୋଙ୍କ ଗିରଫଦାରୀ ପରେ ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍‌ଙ୍କୁ ଦେଶର ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରାଯାଇଛି।

About The Author: Madhusudan Das