ମସ୍କୋ: ସମୁଦ୍ର ପଥରେ ସୃଷ୍ଟି ହେଉଥିବା ବିପଦକୁ ଏଡ଼ାଇବା ପାଇଁ ରୁଷିଆ ରାଜଧାନୀ ମସ୍କୋରୁ ଭାରତ ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସିଧାସଳଖ ରେଳପଥ ନିର୍ମାଣ ସମ୍ଭାବନା ନେଇ ରୁଷିଆ ସରକାର ପ୍ରସ୍ତାବ ରଖିଛନ୍ତି । ରୁଷିଆର ଉପପ୍ରଧାନମନ୍ତ୍ରୀ ମାରାତ୍ ଖୁସନୁଲିନ୍ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ବୋସଫରସ୍ ଏବଂ ହର୍ମୁଜ ପ୍ରଣାଳୀରେ ଦେଖାଦେଉଥିବା ଜଳପଥ ସଙ୍କଟ ଯୋଗୁଁ ବିକଳ୍ପ ସ୍ଥଳପଥ ଆବଶ୍ୟକ ହୋଇପଡ଼ିଛି । ତେଣୁ ତୁର୍କମେନିସ୍ତାନ, ଇରାନ, ଆଫଗାନିସ୍ତାନ ଏବଂ ପାକିସ୍ତାନ ଦେଇ ଭାରତକୁ ସଂଯୋଗ କରିବା ଲାଗି ରେଳପଥ ଯୋଜନା ଉପରେ ବିଚାର କରାଯାଉଛି । ଏଭଳି ବିକଳ୍ପ ରେଳପଥ ବ୍ୟବସାୟିକ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ହୋଇପାରିବ ।
ଇସ୍ରାଏଲ ଯୋଗୁଁ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ହର୍ମୁଜ ପ୍ରଣାଳୀରେ ପରିବହନ ବାଧାପ୍ରାପ୍ତ ହୋଇଛି । ଏହା ବିଶ୍ୱର ୨୫ ପ୍ରତିଶତ ତୈଳ ବ୍ୟବସାୟକୁ ପ୍ରଭାବିତ କରିଛି । ଏହି ସ୍ଥିତିରେ ରୁଷିଆ ଓ ଭାରତ ମଧ୍ୟରେ ସିଧାସଳଖ ସ୍ଥଳ ପରିବହନ ପାଇଁ ଏହି ରେଳ ଯୋଜନା ସହାୟକ ହେବ ବୋଲି ସେ କହିଛନ୍ତି । ସାମ୍ପ୍ରତିକ ବିଶ୍ୱ କୂଟନୈତିକ ଓ ସାମରିକ ଉତ୍ତେଜନା ମଧ୍ୟରେ ଭାରତ ଓ ରୁଷିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସୁଦୃଢ଼ ରଖିବା ପାଇଁ ଏହି ସ୍ଥଳ ରେଳପଥ ନିର୍ମାଣ ପ୍ରସ୍ତାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।