ବରେଲିରେ ବଜରଙ୍ଗ ଦଳ ନାମରେ ଦାଦାବଟି ଆଦାୟ: 'ଡନ୍' ଋଷଭ ଠାକୁର ଗିରଫ

ଉତ୍ତରପ୍ରଦେଶର ବରେଲିରେ ପୋଲିସ ନିଜକୁ 'ଡନ୍' ବୋଲାଉଥିବା କୁଖ୍ୟାତ ଅପରାଧୀ ଋଷଭ ଠାକୁରକୁ ଗିରଫ କରିଛି। ଜିଲ୍ଲା ବଦର (ତଡ଼ିପାର) ହୋଇଥିବା ସତ୍ତ୍ୱେ ସେ ସହରରେ ବୁଲୁଥିଲା ଏବଂ ବଜରଙ୍ଗ ଦଳ ନାମରେ ଲୋକଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିଲା। ବାରାଦରୀ ଥାନା ପୋଲିସ ତାକୁ ଡୋହରା ମୋଡ଼ ନିକଟରୁ କାବୁ କରିଛି।

ସ୍ପା ସେଣ୍ଟରରୁ ୪୦ ହଜାର ଟଙ୍କା ମାଗିଥିଲା

ସୂଚନା ଅନୁଯାୟୀ, କିଛି ଦିନ ତଳେ ପିଲିଭିତ ରୋଡ ସ୍ଥିତ ଏକ ସ୍ପା ସେଣ୍ଟରର ଭିଡିଓ ଭାଇରାଲ ହୋଇଥିଲା। ଏହାର ସୁଯୋଗ ନେଇ ଋଷଭ ଏବଂ ତାର ସହଯୋଗୀ ଆଶୁ ଯାଦବ ସ୍ପା ସେଣ୍ଟରର ରିସେପ୍ସନିଷ୍ଟଙ୍କୁ ଫୋନ କରି ଧମକ ଦେଇଥିଲେ। ଭିଡିଓ ଡିଲିଟ୍ କରିବା ଏବଂ ମାମଲା ରଫାଦଫା କରିବା ନାମରେ ସେମାନେ ୪୦,୦୦୦ ଟଙ୍କା ଦାଦାବଟି (ରଙ୍ଗଦାରୀ) ମାଗିଥିଲେ। ଏହି କଥାବାର୍ତ୍ତାର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଆକ୍ସନ ମୋଡକୁ ଆସିଥିଲା।

ଜିଲ୍ଲା ବଦର ନିୟମର ଉଲ୍ଲଂଘନ

ପୋଲିସ କହିବା ମୁତାବକ, ଋଷଭ ଠାକୁର ଜଣେ ଅଭ୍ୟାସଗତ ଅପରାଧୀ। ପୂର୍ବରୁ ତା’ ନାମରେ ଚୋରି, ମାରପିଟ୍ ଏବଂ ଦଙ୍ଗା ଭଳି ଅନେକ ମାମଲା ରହିଛି। ପ୍ରଶାସନ ତାକୁ 'ଜିଲ୍ଲା ବଦର' ଘୋଷଣା କରିଥିଲେ ମଧ୍ୟ ସେ ବିନା ଅନୁମତିରେ ସହରରେ ବୁଲୁଥିଲା।

ବାରାଦରୀ ଥାନା ଅଧିକାରୀ ଧନଞ୍ଜୟ ପାଣ୍ଡେ କହିଛନ୍ତି ଯେ, ଅଭିଯୁକ୍ତ ବିରୋଧରେ ଦାଦାବଟି ଆଦାୟ ଏବଂ ଜିଲ୍ଲା ବଦର ନିୟମ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ତା’ର ଅନ୍ୟ ସହଯୋଗୀମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।

About The Author: Suryakanta