ରାଜସ୍ଥାନର ଡିଡୱାନା-କୁଚାମନ ଜିଲ୍ଲାରେ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସରକାରୀ ସ୍କୁଲ ପ୍ରଧାନ ଶିକ୍ଷକ ନିଜର ୩ ଜଣ ମେଧାବୀ ଛାତ୍ରୀଙ୍କୁ ଏକ ନିଆରା ଉପହାର ଦେଇଛନ୍ତି। ଶ୍ରେଣୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବାରୁ ପ୍ରଧାନ ଶିକ୍ଷକ ନିଜ ପକେଟରୁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ ହେଲିକପ୍ଟରରେ ବୁଲାଇଛନ୍ତି।
ଥଟ୍ଟାରୁ ସତ ହେଲା ସ୍ୱପ୍ନ
ସୂଚନା ଅନୁଯାୟୀ, ଡିଡୱାନା-କୁଚାମନ ଜିଲ୍ଲା କେରାପ ଗାଁର ସରକାରୀ ମହାତ୍ମା ଗାନ୍ଧୀ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଖୁସି ମେଘୱାଲ, ରଞ୍ଜନା ନାୟକ ଏବଂ ଜ୍ୟୋତି ନିକଟରେ ହୋଇଥିବା ଏକ ପରୀକ୍ଷାରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କର ଏହି ସଫଳତା ପରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଢାକା ସେମାନଙ୍କୁ ପୁରସ୍କାର ସ୍ୱରୂପ କ'ଣ ଦରକାର ବୋଲି ପଚାରିଥିଲେ। ଉତ୍ତରରେ ଛାତ୍ରୀମାନେ ଥଟ୍ଟାରେ ହେଲିକପ୍ଟରରେ ବସିବାର ଇଚ୍ଛା ପ୍ରକାଶ କରିଥିଲେ। ତେବେ ପିଲାମାନଙ୍କର ଏହି ଇଚ୍ଛାକୁ ଗୁରୁତ୍ୱର ସହ ନେଇ ପ୍ରଧାନ ଶିକ୍ଷକ ଏହାକୁ ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ।
ନିଜ ପକେଟରୁ ଖର୍ଚ୍ଚ କଲେ ୧ ଲକ୍ଷ ଟଙ୍କା
ଛାତ୍ରୀମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଢାକା ନିଜ ଆଡୁ ଏକ ଘରୋଇ ହେଲିକପ୍ଟର ବୁକ୍ କରିଥିଲେ, ଯାହା ପାଇଁ ସେ ନିଜସ୍ୱ ପାଣ୍ଠିରୁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଶୁକ୍ରବାର ଦିନ ସେ ତିନି ଛାତ୍ରୀଙ୍କୁ ଜୟପୁର ନିକଟସ୍ଥ ଚୌମୁକୁ ନେଇଯାଇଥିଲେ। ସେଠାରୁ ସେମାନେ ହେଲିକପ୍ଟରରେ ବସି ପ୍ରାୟ ୩୦ ମିନିଟ୍ ଧରି ଜୟପୁର ସହରର ଆକାଶମାର୍ଗରୁ ଦୃଶ୍ୟ ଉପଭୋଗ କରିଥିଲେ। ଗ୍ରାମାଞ୍ଚଳର ଏହି ଛୋଟ ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବା ପାଇଁ ଶିକ୍ଷକଙ୍କର ଏହି ପ୍ରୟାସ ଏବେ ସବୁଆଡ଼େ ପ୍ରଶଂସା ସାଉଁଟୁଛି।