ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ନୂଆଦିଲ୍ଲୀ: ପଞ୍ଜାବ ଡ୍ରାଫ୍ଟ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ । ରାଜ୍ୟସଭା ସାଂସଦ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତା ରାଘବ ଚଢ଼ା ପଞ୍ଜାବ ସରକାରଙ୍କ ଉପରେ ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ । ପଞ୍ଜାବର ଡ୍ରାଫ୍ଟ ଭୋଟର ତାଲିକାରେ ତାଙ୍କ ନାମକୁ "ସିଫ୍ଟେଡ୍" ବା ସ୍ଥାନାନ୍ତରିତ ବର୍ଗରେ ରଖାଯାଇଥିବା ନେଇ ସେ ଆମ୍ ଆଦ୍‌ମୀ ପାର୍ଟି (ଆପ୍) ସରକାରଙ୍କୁ ଦାୟୀ କରିଛନ୍ତି। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ଏବଂ ପ୍ରତିହିଂସାମୂଳକ ପଦକ୍ଷେପ ବୋଲି ସେ ଦାବି କରିଛନ୍ତି।

ଗତ ଏପ୍ରିଲ ମାସରେ ଆପ୍ ଛାଡ଼ି ବିଜେପିରେ ଯୋଗ ଦେଇଥିବା ୧୦ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୭ ଜଣଙ୍କ ଭିତରେ ରାଘବ ଚଢ଼ା ଅନ୍ୟତମ। ସେ ଦୀର୍ଘ ଦିନରୁ ମୋହାଲିର ଜଣେ ପଞ୍ଜୀକୃତ ଭୋଟର ରହିଆସିଛନ୍ତି। ଦଳ ଛାଡ଼ିଥିବା ନେତାମାନଙ୍କୁ ଟାର୍ଗେଟ୍ କରିବା ଉଦ୍ଦେଶ୍ୟରେ ଏଭଳି କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ତାଙ୍କ ନାମକୁ ସ୍ଥାନାନ୍ତରିତ କରିବାରେ ବୁଥ୍ ସ୍ତରୀୟ ଅଧିକାରୀ (BLOs), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AEROs) ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ସମ୍ପୃକ୍ତ ଥିବା ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ଡ୍ୟୁଟି ଶେଷ ହେବା ପରେ ବଦଳି ଏବଂ ପୋଷ୍ଟିଂ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବାରୁ ଅଧିକାରୀମାନେ ଚାପରେ ଅଛନ୍ତି। ଏହାବ୍ୟତୀତ ଆପ୍ ଛାଡ଼ିଥିବା ଅନ୍ୟ ପୂର୍ବତନ ସାଂସଦମାନଙ୍କୁ ମଧ୍ୟ ପଞ୍ଜାବ ପୋଲିସ ଓ ପ୍ରଶାସନ ସମାନ ଢଙ୍ଗରେ ଟାର୍ଗେଟ୍ କରୁଥିବା ସେ ଅଭିଯୋଗ କରିଛନ୍ତି। 

ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ରାଜନୈତିକ ଅଭିଯୋଗ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ତେବେ ସିଇଓ ଅଫିସର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଏହା କେବଳ ଏକ ଡ୍ରାଫ୍ଟ ବା ଚିଠା ତାଲିକା ଅଟେ। ଯଦି କୌଣସି ପ୍ରକୃତ ଭୋଟରଙ୍କ ନାମ ବାଦ୍ ପଡ଼ିଥାଏ, ତେବେ ଉଚିତ୍ ପ୍ରକ୍ରିୟା ମାଧ୍ୟମରେ ଏହାକୁ ପୁନର୍ବାର ସାମିଲ କରାଯିବ ବୋଲି ଆଶ୍ୱାସନା ଦିଆଯାଇଛି।

ଆପ୍ ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପଞ୍ଜାବ ସରକାରଙ୍କ ଦ୍ୱାରା ନୁହେଁ ବରଂ ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ଦ୍ୱାରା କରାଯାଉଛି। ଓଲଟା ରାଘବ ଚଢ଼ା ଦିଲ୍ଲୀରେ ପୁରୁଣା ତାରିଖ ଦେଇ ନିଜର ଭୋଟର ପଞ୍ଜୀକରଣ କରିବାକୁ ଚେଷ୍ଟା କରୁଥିବା ଆପ୍ ପାଲଟା ଅଭିଯୋଗ କରିଛି ଏବଂ ନିଜର ଭୁଲ୍ ଲୁଚାଇବା ପାଇଁ ପଞ୍ଜାବ ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି ବୋଲି ଦଳ କହିଛି। ଏହି ବିବାଦକୁ ନେଇ ବର୍ତ୍ତମାନ ପଞ୍ଜାବ ରାଜନୀତିରେ ଉଷ୍ମତା ଦେଖାଦେଇଛି।

About The Author: Madhusudan Das