ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଆମେରିକା-ଇରାନ ଯୁଦ୍ଧ ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଏବେ ଭାରତରେ ଦେଖିବାକୁ ମିଳିଛି। ତେଲ କମ୍ପାନୀଗୁଡ଼ିକ ଭାରତରେ ପ୍ରିମିୟମ୍ ପେଟ୍ରୋଲ୍ ଦର ଲିଟର ପିଛା ୨ ରୁ ୨.୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଆଶ୍ୱସ୍ତିର ବିଷୟ ହେଉଛି, ସାଧାରଣ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ପ୍ରିମିୟମ୍ ପେଟ୍ରୋଲ୍ ବ୍ରାଣ୍ଡ୍ ଉପରେ ପ୍ରଭାବ
ମିଡିଆ ରିପୋର୍ଟ ଅନୁଯାୟୀ, ବର୍ଦ୍ଧିତ ଦର ମାର୍ଚ୍ଚ ୨୦, ୨୦୨୬ ରୁ ଲାଗୁ ହୋଇଛି। ବିଶେଷ କରି ଉଚ୍ଚ-ଅକ୍ଟେନ୍ ଯୁକ୍ତ ଇନ୍ଧନ ଯେପରିକି ଇଣ୍ଡିଆନ୍ ଅଏଲ୍ (IOCL) ର XP95 ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (HPCL) ର Power ପେଟ୍ରୋଲ୍ ର ଦାମ୍ ବୃଦ୍ଧି ପାଇଛି। ଉନ୍ନତ ଇଞ୍ଜିନ୍ ପରଫର୍ମାନ୍ସ ଏବଂ ଅଧିକ ମାଇଲେଜ୍ ପାଇଁ ସାଧାରଣତଃ ଏହି ପ୍ରିମିୟମ୍ ତେଲ ବ୍ୟବହାର କରାଯାଏ। ତେଣୁ ଏହି ବୃଦ୍ଧିର ପ୍ରଭାବ କେବଳ ସୀମିତ ଗ୍ରାହକଙ୍କ ଉପରେ ପଡ଼ିବ।
ଆମେରିକା-ଇରାନ ଯୁଦ୍ଧ ଏବଂ ଅଶୋଧିତ ତୈଳ ସଙ୍କଟ
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ତୈଳ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି। ଆମେରିକା ଏବଂ ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ଆକ୍ରମଣ ପରେ ହୋର୍ମୁଜ୍ ପ୍ରଣାଳୀ (Strait of Hormuz) ଦେଇ ତେଲ ପରିବହନ ପ୍ରଭାବିତ ହୋଇଛି। ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଏହି ରାସ୍ତା ଦେଇ ପରିବହନ ହୋଇଥାଏ। ଫଳସ୍ୱରୂପ, ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ୍ କ୍ରୁଡ୍ ଅଏଲ୍ ବା ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୮୦ ଡଲାର୍ ପାର୍ କରିଯାଇଛି। ଭାରତ ନିଜର ଆବଶ୍ୟକତାର ପ୍ରାୟ ୮୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ଏହି ବିଶ୍ୱସ୍ତରୀୟ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଦେଶ ଉପରେ ପଡ଼ିଛି।
ସ୍ଥିର ରହିଛି ସାଧାରଣ ପେଟ୍ରୋଲ୍-ଡିଜେଲ୍ ଦର
କେବଳ ପ୍ରିମିୟମ୍ ପେଟ୍ରୋଲ୍ ମହଙ୍ଗା ହୋଇଥିବା ବେଳେ ସାଧାରଣ ପେଟ୍ରୋଲ୍ ଏବଂ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ନୂଆଦିଲ୍ଲୀରେ ଲିଟର ପିଛା ସାଧାରଣ ପେଟ୍ରୋଲ୍ ଦର ୯୪.୭୭ ଟଙ୍କା ଏବଂ ଡିଜେଲ୍ ଦର ୮୭.୬୭ ଟଙ୍କା ରହିଛି। ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ନକରିବା ପାଇଁ ତୈଳ କମ୍ପାନୀଗୁଡ଼ିକ କେବଳ ପ୍ରିମିୟମ୍ ତେଲର ଦାମ୍ ବଢ଼ାଇ ସେମାନଙ୍କ ଖର୍ଚ୍ଚ ଭରଣା କରିବାକୁ ପ୍ରୟାସ କରିଛନ୍ତି।