ୱାଶିଂଟନ: ୫ ଦିନିଆ ଆମେରିକା ଗସ୍ତରେ ଆସି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନରେ ପହଞ୍ଚିଛନ୍ତି। ମୋଦୀ ୱାଶିଂଟନରେ ପହଞ୍ଚିବାପରେ ଭାରତୀୟମାନେ ସ୍ୱାଗତ କରିଥିଲେ । ତ୍ରିରଙ୍ଗା ଉଡାଇ ମୋଦୀଙ୍କ ଜୋରଦାର ସ୍ୱାଗତ କରିଥିଲେ ଆମେରିକାରେ ଅବସ୍ଥିତ ଭାରତୀୟ । ଦୁଇ ବର୍ଷ ପରେ ଏହା ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ ।
ଏହି ଗସ୍ତ ଅବସରରେ ସେ ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ। ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆତଙ୍କବାଦ ଦମନ ତାଙ୍କ ଗସ୍ତ, ଆମେରିକା ସହିତ ପ୍ରତିରକ୍ଷା ଓ ବାଣିଜ୍ୟିକ ସହଯୋଗକୁ ଅଧିକ ନିବିଡ କରିବା ଏବଂ କୋଭିଡ ଆଦି ପ୍ରସଙ୍ଗ ତାଙ୍କ କାର୍ଯ୍ଯକ୍ରମରେ ମୁଖ୍ୟସ୍ଥାନ ନେବ।
ଆଜି ପ୍ରଧାନମନ୍ତ୍ରୀ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ । ଦିନ ପାଖାପାଖି ୧୨ଟା ୩୦ରେ କମଲା ହାରିସଙ୍କୁ ଭେଟିବା ପାଇଁ ଆଇଜନହାବର ଏଗଜିକ୍ୟୁଟିଭ୍ ଅଫିସ୍ ଯିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବେ । ଆତଙ୍କବାଦ ସମେତ ବାଣିଜ୍ୟ ଓ ବିନିଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଆଦି କ୍ଷେତ୍ରରେ ଆଲୋଚନା କରିବେ । ଆଫଗାନିସ୍ତାନରେ ବର୍ତ୍ତମାନର ଆଂଚଳିକ ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଅନ୍ତରଭରା ସ୍ବାଗତ ଜଣାଇଥିବାରୁ ୱାଶିଂଟନ ଡିସିରେ ବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପ୍ରତି କୃତଜ୍ଞ । ଆମ ବଂଶୋଦ୍ଭବମାନେ ହିଁ ଆମର ଶକ୍ତି । ସମଗ୍ର ବିଶ୍ବରେ ଭାରତୀୟ ବଂଶୋଦ୍ଭବମାନେ ଯେଭଳି ପ୍ରସିଦ୍ଧି ଅର୍ଜନ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ । ‘ଏୟାର୍ବେସ୍’ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଡ଼ି ପେନ୍ସିଲ୍ଭେନିଆ ଆଭେନ୍ୟୁସ୍ଥିତ ହୋଟେଲ୍ ୱିଲାର୍ଡ ଅଭିମୁଖେ ଯାତ୍ରା କରିଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ବାଇଡେନ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାପରେ ଏହା ଦୁଇନେତାଙ୍କ ମଧ୍ୟରେ ପ୍ରଥମ ସାମନା ସାମନି ସାକ୍ଷାତ ହେବ।