ଆକାଶରେ 'ମୋନାଲିସା'ର ଚିତ୍ର ଆଙ୍କିଲେ ପାଇଲଟ୍, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଆକାଶରେ ଅଙ୍କାଗଲା 'ଲିଓନାର୍ଡୋ ଦା ଭିନସି'ଙ୍କ ପ୍ରସିଦ୍ଧ ପେଣ୍ଟିଂ 'ମୋନାଲିସା' । ଏକ ଛୋଟ ବିମାନର ଜଣେ ପାଇଲଟ୍ ନିଜର ଉଡ଼ାଣ ପଥ ମାଧ୍ୟମରେ ଓକ୍ଲାହୋମା ଏବଂ ଆରକାନସାସ୍ ଆକାଶରେ ଏହି ବିରଳ ଚିତ୍ର ଆଙ୍କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସେପ୍ଟେମ୍ବର ୧୮ ତାରିଖ ଶୁକ୍ରବାର ସକାଳେ କରାଯାଇଥିବା ଏହି ଉଡ଼ାଣର ରାଡାର୍ ଭିଜୁଆଲ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ବିମାନ ଚଳାଚଳ ତଥ୍ୟ ଅନୁଯାୟୀ, ଆରକାନସାସର ବେଣ୍ଟନଭିଲେରୁ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା । ପାଇଲଟ୍ ଜଣକ ଏକ ସେସ୍ନା ଆର୧୮୨ ସ୍କାଇଲେନ୍ ଆରଜି (Cessna R182 Skylane RG) ବିମାନ ଉଡ଼ାଉଥିଲେ । ସେ ଆକାଶରେ ଏହି ଜଟିଳ କଳାକୃତିକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରାୟ ଚାରି ଘଣ୍ଟା ସମୟ ନେଇଥିଲେ । ଏୟାରନାଭ୍ ରାଡାର୍ ଦ୍ୱାରା ପ୍ରସ୍ତୁତ ଥ୍ରୀ-ଡି ଫ୍ଲାଇଟ୍-ପାଥ୍ ଭିଜୁଆଲାଇଜେସନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିମାନଟିର ଗତିପଥ କିପରି ଧୀରେ ଧୀରେ ମୋନାଲିସାଙ୍କ ଚିତ୍ରର ରୂପ ନେଇଥିଲା ।

ଏହି ଛୋଟ ବିମାନଟି ବେଞ୍ଜାମିନ୍ ମ୍ୟାକଡାନିଏଲ୍ ଙ୍କ ନାମରେ ପଞ୍ଜିକୃତ ହୋଇଛି, ଯିଏ ନିଜକୁ ଜଣେ ପାଇଲଟ୍ ଏବଂ କଳାକାର ଭାବରେ ପରିଚୟ ଦେଇଥାନ୍ତି । ସେ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟ @thepilotpicasso ରେ ନିୟମିତ ଭାବରେ ଏହିପରି ବିଭିନ୍ନ ଫ୍ଲାଇଟ୍-ପାଥ୍ ଆର୍ଟ ବା ଆକାଶରେ ଅଙ୍କାଯାଇଥିବା କଳାକୃତିର ଭିଜୁଆଲ୍ ସେୟାର୍ କରିଥାନ୍ତି । ତାଙ୍କର ଏହି ନୂତନ ଏବଂ ସୃଜନଶୀଳ ପ୍ରୟାସକୁ ନେଟ୍-ନାଗରିକମାନେ ବେଶ୍ ପ୍ରଶଂସା କରୁଛନ୍ତି ।

About The Author: Madhusudan Das