ନୂଆଦିଲ୍ଲୀ : ପହଲଗାମ୍ରେ ଭାରତର ୨୬ ହିନ୍ଦୁ ମହିଳାଙ୍କ ମଥାରୁ ସିନ୍ଦୂର ପୋଛିଥିବା ଆତଙ୍କବାଦୀଙ୍କୁ ନିପାତ କରିବା ନିମନ୍ତେ ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କୀ ଶିବିରକୁ ନଷ୍ଟ କରିଛି । ଆତଙ୍କୀଙ୍କୁ ଲାଳନପାଳନ କରୁଥିବା ପାକିସ୍ତାନ ଏହାକୁ ନିଜର ସାର୍ବଭୌମତ୍ୱ ଉପରେ ଆକ୍ରମଣ ଉଲ୍ଲେଖ କରି ଭାରତ ଉପରେ ପାଲଟା ଆକ୍ରମଣ କରିଥିଲା । ଗତ ୪ ଦିନ ହେଲା ଭାରତ ଉପରେ ଚୀନା ମିଶାଇଲ୍ ଓ ତୁର୍କୀ ଡେ଼୍ରାନରେ ଆକ୍ରମଣ ଜାରି ରଖିଥିଲା । କେବଳ ତୁର୍କୀ ଓ ଆଜରବୈଜାନ ବ୍ୟତୀତ ଅନ୍ୟ କୌଣସି ଦେଶ ପ୍ରତ୍ୟକ୍ଷ ଭାବରେ ପାକିସ୍ତାନକୁ ସମର୍ଥନ କରୁନାହାନ୍ତି ।
ବିଶ୍ୱର ପ୍ରମୁଖ ମହାଶକ୍ତିଗୁଡ଼ିକ ନିଜକୁ ନିରାପଦ ଦୂରତାରେ ରଖି ଉତେଜନା ହ୍ରାସ ନିମନ୍ତେ ଦୁଇ ଦେଶକୁ ପରାମର୍ଶ ଦେଇଥିଲେ। ଏପରିକି ଚୀନ ମଧ୍ୟ ଭାରତ-ପାକ୍ ବିବାଦରେ କୌଣସି ନକରାତ୍ମକ ଟିପ୍ପଣୀ ନ ଦେଇ ଦୁଇ ଦେଶ ଆପୋସ ଆଲୋଚନା ମାଧ୍ୟମରେ ଉତ୍ତେଜନା ହ୍ରାସ କରିବାକୁ ପରାମର୍ଶ ଦେଇଥିଲା। ମାତ୍ର ପ୍ରତ୍ୟେକ ସମୟରେ ପାକିସ୍ତାନ ପାଇଁ ବନ୍ଧୁତ୍ୱ ଜାହିର କରିବାକୁ ଆଗେଇ ଆସୁଥିବା ଚୀନ୍ର ଏହି ଆଚରଣ ପଛରେ ଅନେକ ରହସ୍ୟ ଥିବା ଅର୍ଥନୀତିଜ୍ଞମାନେ ମନେ କରୁଛନ୍ତି ।
କୁହାଯାଉଛି ଯେ ଭାରତ-ପାକ ଯୁଦ୍ଧ ସ୍ଥିତି ସମ୍ପୂର୍ଣ୍ଣ ରୂପେ ଚୀନ ପ୍ରାୟୋଜିତ । ଆମେରିକା ସହ ବାଣିଜ୍ୟ ଯୁଦ୍ଧ ସମୟରେ ଚୀନ୍ ନିଜର ଅର୍ଥନୀତିକୁ ସୁରକ୍ଷିତ ରଖିବା ପାଇଁ ପାକିସ୍ତାନକୁ ବ୍ୟବହାର କରି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରାଇଛି । ଏହାଦ୍ୱାରା ନିଜର ଅର୍ଥନୀତି ସୁରକ୍ଷିତ ରହିବ, ଅସ୍ଥିରତା ଯୋଗୁଁ ଭାରତର ଅର୍ଥନୀତି ପ୍ରଭାବିତ ହେବ ଓ ପରୋକ୍ଷରେ ଏହା ଆମେରିକାର ଅର୍ଥନୀତିକୁ ଝଟକା ଦେବ । ଅନ୍ୟପକ୍ଷରେ ଗରିବ ପାକିସ୍ତାନକୁ ଆହୁରି କାଙ୍ଗାଳ କରି ତା’ର ବନ୍ଦର ଓ ସମ୍ପତିକୁ ଚୀନ୍ କବଜା କରିବ, ଅସ୍ତ୍ରଶସ୍ତ୍ର ବିକ୍ରି କରି ନିଜର ବୈଦେଶିକ ମୁଦ୍ରାପାଣ୍ଠିକୁ ସମୃଦ୍ଧ କରିବାକୁ ଚୀନ୍ ଯୋଜନା କରିଥିଲା।
ସମ୍ପ୍ରତି ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଚୀନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଚୀନ୍ ସାମଗ୍ରୀ ଉପରେ ଟ୍ରମ୍ପ ପ୍ରଶାସନ ୨୪୫% ଶୁଳ୍କ ଲାଗୁ କରିଛନ୍ତି । ଚୀନରୁ ସିଧାସଳଖ ଆମଦାନୀ ହେଉଥିବା ବା ଅନ୍ୟ ଦେଶ ଜରିଆରେ ଆମଦାନୀ ହୋଇଥିବା ସମସ୍ତ ସାମଗ୍ରୀ ଉପରେ ଏହି ଶୁଳ୍କ ପ୍ରଯୁଜ୍ୟ ହେବ । ତେଣୁ ଅନେକ ବଡ଼ବଡ଼ ଶିଳ୍ପ ଗୋଷ୍ଠୀ ଓ ଉତ୍ପାଦକ ସଂସ୍ଥା ଚୀନରେ ନିଜର ୟୁନିଟ୍ ବନ୍ଦ କରି ଭାରତରେ ନିବେଶ ଓ ଶିଳ୍ପ ସ୍ଥାପନ ନିମନ୍ତେ ନିଷ୍ପତି ନେବା ଚୀନ୍ ପାଇଁ ଦୋହରା ଧକ୍କା ହୋଇଛି । ଏକ ପକ୍ଷରେ ନିଜ ଦେଶରେ ଶିଳ୍ପ ବନ୍ଦ ହେବା ଦ୍ୱାରା ଆର୍ଥିକ ଦୃଷ୍ଟିରୁ ଚୀନ କ୍ଷତିଗ୍ରସ୍ତ ହେବ ଓ ଭାରତ ଏହାଦ୍ୱାରା ପ୍ରତ୍ୟକ୍ଷ ଲାଭବାନ ହେବ।
ଆମେରିକା ସହ ଭାରତର ସାମ୍ପ୍ରତିକ ବନ୍ଧୁତ୍ୱ, ଭାରତ ଉପରେ ଟ୍ରମ୍ପ ପ୍ରଶାସନର ତୁଳନାତ୍ମକ କମ୍ ଶୁଳ୍କ ଧାର୍ଯ୍ୟକୁ ନେଇ ବ୍ୟଥିତ ଚୀନ ଦକ୍ଷିଣ ଏସିଆରେ ଅସ୍ଥିରତା ସୃଷ୍ଟି ନିମନ୍ତେ ପାକିସ୍ତାନକୁ ବ୍ୟବହାର କରିଛି । ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହୋଇଥିବା ଭାରତରେ ଅସ୍ଥିରତା ସୃଷ୍ଟି ହେଲେ ନିବେଶକ ବିମୁଖ ହେବେ, ଦେଶରେ ନିବେଶ ହ୍ରାସ ପାଇବ । ଭିତିଭୂମି କ୍ଷତିଗ୍ରସ୍ତ ହେଲେ ସରକାରଙ୍କ ଉପରେ ଚାପ ପଡ଼ିବ, ଲୋକମାନଙ୍କର କ୍ରୟ କ୍ଷମତା ହ୍ରାସ ପାଇଲେ ଭାରତର ଅର୍ଥନୀତି ନିମ୍ନଗାମୀ ହେବ। ଏଥିପାଇଁ ଜାଣିଶୁଣି ପହଲଗାମ୍ ଘଟଣା ସୃଷ୍ଟି କରାଯାଇଛି ବୋଲି କୁହାଯାଉଛି ।
ପୂର୍ବରୁ କୌଣସି ଆତଙ୍କବାଦୀ ଆକ୍ରମଣ ସମୟରେ ‘ଧର୍ମ’, ‘କଲମା’ ପରି ଶବ୍ଦ ଶୁଭିନାହିଁ । ପହଲଗାମ୍ରେ ପ୍ରଥମ କରି ଏହି ଦୁଇ ଶବ୍ଦର ପ୍ରୟୋଗ କରାଯାଇଛି । ଭାରତରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀଙ୍କୁ ବ୍ୟବହାର କରାଯାଇଛି ଏବଂ ଏପରି ଏକ ଘୃଣ୍ୟ ନକ୍ସା ପ୍ରସ୍ତୁତ ହୋଇଛି । ନିଃସନ୍ଦେହରେ ବର୍ତମାନ ସମୟରେ ପାକିସ୍ତାନ ସହ ଭାରତ ପ୍ରତ୍ୟକ୍ଷ ଯୁଦ୍ଧ ଲଢ଼ୁଛି; ମାତ୍ର ଏହି ଲଢେ଼ଇ ପଛରେ ଅଦୃଶ୍ୟ ପୃଷ୍ଠପୋଷକ ରହିଥିବା ଚୀନର ଆଭିମୁଖ୍ୟ ଓ କାର୍ଯ୍ୟ ଉପରେ ମଧ୍ୟ ସତର୍କ ନଜର ରଖିବାର ଆବଶ୍ୟକତା ରହିଛି ବୋଲି ଦେଶର ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି ।