ନିଟ୍‌ ପେପର ଲିକ୍ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ସଂସଦ ବାହାରେ କଳା ପୋଷାକରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ପ୍ରସଙ୍ଗରେ ସଂସଦ ପରିସରରେ କଳା ଡ୍ରେସ୍‌ ପିନ୍ଧି ବିରୋଧୀ ସାଂସଦଙ୍କ ପ୍ରତିବାଦ । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ ଏବଂ ପୋଲିସ ଦ୍ୱାରା ବଳପୂର୍ବକ ହଟାଯିବାର ଗୋଟିଏ ଦିନ ପରେ ବିରୋଧୀ ଦଳର ସାଂସଦମାନେ ଆଜି ସଂସଦ ପରିସରରେ ପହଞ୍ଚିଛନ୍ତି। ପୋଲିସର ବର୍ବରତା ତଥା ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତାକୁ ବିରୋଧ କରି ସେମାନେ କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଇଣ୍ଡିଆ (INDIA) ମେଣ୍ଟର ସାଂସଦମାନେ ସଂସଦ ପରିସର ବାହାରେ ଏକାଠି ହୋଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ନିଟ୍ (NEET) ପେପର ଲିକ୍ ମାମଲାରେ ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ସରକାରଙ୍କ ଆଭିମୁଖ୍ୟକୁ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ଭଳି ଦଳର ନେତାମାନେ ତୀବ୍ର ନିନ୍ଦା କରିଛନ୍ତି। ମଙ୍ଗଳବାର ଦିନ ବିକ୍ଷୋଭକାରୀ ଏବଂ ବିରୋଧୀ ନେତାଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ କଳା ପୋଷାକ ପିନ୍ଧି ପ୍ରତିବାଦ ଜଣାଇଛନ୍ତି। ବିରୋଧୀ ଦଳ ପକ୍ଷରୁ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।

କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଏହି ଘଟଣାକୁ "ଅଘୋଷିତ ଜରୁରୀକାଳୀନ ପରିସ୍ଥିତି" ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ସରକାର ଯେପରି ନିର୍ଲଜ୍ଜ ଭାବେ ବିରୋଧୀ ଦଳ ନେତାଙ୍କୁ ଗିରଫ କଲେ ଏବଂ ଆକ୍ରମଣ କଲେ, ତାହା ଗଣତନ୍ତ୍ର ପାଇଁ ବିପଦ ଏବଂ କେବଳ ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ବିରୋଧରେ ଲଢେଇ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସେହିପରି ଅନ୍ୟତମ ସାଂସଦ କେ. ସୁରେଶ କହିଛନ୍ତି ଯେ, ବିରୋଧୀ ଦଳ ନେତା ଓ ଅନ୍ୟ ସାଂସଦଙ୍କ ପ୍ରତି ପୋଲିସର ବର୍ବରତା ବିରୋଧରେ ଆମେ କଳା ପୋଷାକ ପିନ୍ଧି ମକର ଦ୍ୱାର ସମ୍ମୁଖରେ ବିକ୍ଷୋଭ କରୁଛୁ।

About The Author: Madhusudan Das