ନୂଆଦିଲ୍ଲୀ : ୱାନ ର଼୍ୟାଙ୍କ ୱାନ ପେନସନ (ଓଆରଓପି) ନୀତି ଅନୁଯାୟୀ ପେନସନ ଦେୟ ମାମଲାରେ ସୁପ୍ରିମକୋର୍ଟ ପ୍ରତିରକ୍ଷା ମନ୍ତ୍ରଣାଳୟର ଏସମ୍ପର୍କିତ ସିଲ ହୋଇଥିବା କଭର୍ ରିପୋର୍ଟ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସିଲ୍ ବନ୍ଦ ଲଫାଫା ଦିଆଯିବାକୁ ନେଇ ପ୍ରଧାନବିଚାରପତି ଆଟର୍ଣ୍ଣି ଜେନେରାଲଙ୍କୁ କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି। ସେ ଏହି ପ୍ରକାରର ଲଫାଫାକୁ ନ୍ୟାୟିକ ସିଦ୍ଧାନ୍ତ ବିରୋଧୀ ବୋଲି କହିଛନ୍ତି। ମଙ୍ଗଳବାର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କୋର୍ଟରେ ସିଲବନ୍ଦ ଲଫାଫାର ବ୍ୟବହାରକୁ ନେଇ ଆପତ୍ତି ପ୍ରକାଶ କରିଥିଲେ। ସେ କହିଥିଲେ ଆମେ କୌଣସି ବି ଗୋପନୀୟ ଦସ୍ତାବିଜ ବା ସିଲବନ୍ଦ ଲଫାଫା ନେବୁ ନାହିଁ ଏବଂ ମୁଁ ବ୍ୟକ୍ତିଗତ ଭାବେ ଏହାର ବିରୋଧୀ ଅଟେ।
ଅଦାଲତରେ ସ୍ୱଚ୍ଛତା ରହିବା ଆବଶ୍ୟକ। କୋର୍ଟରେ କୌଣସି ଗୋପନୀୟତାର ଆବଶ୍ୟକତା ନାହିଁ। ସେ ସ୍ପଷ୍ଟ ଭାବେ କହିଥିଲେ ଯେ ସେ ସିଲବନ୍ଦ ଲଫାଫାର ବ୍ୟବହାରକୁ ବନ୍ଦ କରିବାକୁ ଚାହୁଁଛନ୍ତି। ସେ ଆଟର୍ଣ୍ଣି ଜେନେରାଲଙ୍କୁ କହିଥିଲେ ଯଦି ସୁପ୍ରିମକୋର୍ଟ ଏହାର ପାଳନ କରୁଛନ୍ତି ତେବେ ହାଇକୋର୍ଟ ମଧ୍ୟ କରିବେ। ଏଥିସହିତ ସେ ସରକାରଙ୍କ ସର୍ବୋଚ୍ଚ ଓକିଲଙ୍କୁ ଲଫାଫାରେ ବନ୍ଦ ସୂଚନାକୁ ପଢ଼ିକି ଶୁଣାଇବା ବା ଫେରାଇ ନେବାକୁ କହିଥିଲେ। ସିଜେଆଇ କହିଥିଲେ, ଏହା ସେତେବେଳେ ଗ୍ରହଣ କରାଯିବ ଯେତେବେଳେ ସୂତ୍ରଙ୍କ ସମ୍ବନ୍ଧରେ ସୂଚନା ଥିବ ବା କାହାର ଜୀବନ ପ୍ରତି ବିପଦ ଥିବ।