ମହାରାଷ୍ଟ୍ର ଘଟଣାରେ ନୀତୀଶ ଆତଙ୍କିତ, ନିର୍ବାଚନ ରଣନୀତି ବଦଳାଇବ ଜେଡିୟୁ ?

ପାଟନା: ମହାରାଷ୍ଟ୍ରରେ ବିଜେପି ମେଣ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ ବିପୁଳ ସଫଳତା ପାଇଥିଲେ ମଧ୍ୟ ସରକାର ଗଠନ କରିବାକୁ ଲାଗିଲା ୧୦ ଦିନରୁ ଅଧିକ। ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଲାଗିଥିଲା ଟଣାଓଟରା। ବିଜେପି ଓ ଶିବ ସେନା ମଧ୍ୟରେ ଟଣାଟଓରା ଚାଲିଥିବା ବେଳେ ଏହା ଉପରେ ତୀକ୍ଷ୍‌ଣ ନଜର ରଖିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କାରଣ ସରକାର ଗଠନ ବେଳେ ବିହାର ମଡେଲ ଆପଣାଇବାକୁ ଚାପ ପକାଉଥିଲେ ଶିବ ସେନା ନେତା। ୧୦ […]

ପାଟନା: ମହାରାଷ୍ଟ୍ରରେ ବିଜେପି ମେଣ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ ବିପୁଳ ସଫଳତା ପାଇଥିଲେ ମଧ୍ୟ ସରକାର ଗଠନ କରିବାକୁ ଲାଗିଲା ୧୦ ଦିନରୁ ଅଧିକ। ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଲାଗିଥିଲା ଟଣାଓଟରା। ବିଜେପି ଓ ଶିବ ସେନା ମଧ୍ୟରେ ଟଣାଟଓରା ଚାଲିଥିବା ବେଳେ ଏହା ଉପରେ ତୀକ୍ଷ୍‌ଣ ନଜର ରଖିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କାରଣ ସରକାର ଗଠନ ବେଳେ ବିହାର ମଡେଲ ଆପଣାଇବାକୁ ଚାପ ପକାଉଥିଲେ ଶିବ ସେନା ନେତା। ୧୦ ଦିନ ପରେ ସରକାର ଗଠନ ହେଲା, କିନ୍ତୁ ବିହାର ମଡେଲ କାମ ଦେଲାନି। କମ୍ ଆସନ ପାଇଥିବା ଶିବ ସେନାର ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ସର୍ବାଧିକ ଆସନ ହାସଲ କରିଥିବା ବିଜେପି ଏହାର ନେତା ଦେବେନ୍ଦ୍ର ଫଡ୍‌ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଦେଲା।

ବିଜେପିର ଏଭଳି ଆଭିମୁଖ୍ୟ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ନିର୍ବାଚନ ପରେ ସିନ୍ଦେ ଭଳି ତାଙ୍କର ଦଶା ହେବନି ତ? ଏହି ପ୍ରଶ୍ନ ତାଙ୍କୁ ଆତଙ୍କିତ କରି ପକାଇଛି। କେବଳ ଏତିକି ନୁହେଁ, ତାଙ୍କର ରଣନୀତି ଓ ଗଣିତକୁ ମଧ୍ୟ ବିଗାଡ଼ିଦେଇଛି। ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ବିଜେପି ମେଣ୍ଟ ନୀତୀଶଙ୍କ ନେତୃତ୍ବରେ ହିଁ ଲଢ଼ିବ ଏବଂ ବିଜୟୀ େହଲେ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ଏଭଳି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ନୀତୀଶଙ୍କର ଭରସା ପାଉନି। କାରଣ ମହାରାଷ୍ଟ୍ରରେ ମଧ୍ୟ ବିଜେପି ମେଣ୍ଟ ସିନ୍ଦେଙ୍କ ନେତୃତ୍ବରେ ଲଢ଼ିଥିଲେ ତାଙ୍କୁ ହଟାଇ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ଏହା ଦେଖି ବିଜେପି ଉପରେ ଆଉ ତାଙ୍କର ଭରସା ପାଉନି। ତେଣୁ ସେ ତାଙ୍କ ରଣନୀତି ବଦଳାଇବା ସ୍ବାଭାବିକ। ସେ ଏସଂପର୍କରେ ମୁହଁ ଖୋଲୁନଥିଲେ ମଧ୍ୟ ନିଜ ଦଳର ନେତାଙ୍କୁ ବୟାନ ଦେବାରେ ଲଗାଇଦେଇଛନ୍ତି। ପୁଣି ବିଜେପି ନେତାମାନେ ଏସଂପର୍କରେ ନିରବତା ଅବଲମ୍ବନ କରୁଥିବାରୁ ଜେଡିୟୁ ନେତାମାନେ ମଧ୍ୟ ବିଚଳିତ ହୋଇପଡ଼ିଲେଣି।

ବିହାର ବିଧାନସଭାର ଗତ ନିର୍ବାଚନ ନୀତୀଶଙ୍କ ନେତୃତ୍ବରେ ଲଢ଼ିଥିଲା ବିଜେପି ମେଣ୍ଟ। ନିର୍ବାଚନରେ ବିଜେପି ତୁଳନାରେ ଜେଡିୟୁ ୩୧ଟି କମ୍ ଆସନ ପାଇଥିଲେ ମଧ୍ୟ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରଯାଇଥିଲା। ୨୪୩ ସଭ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଆସନ ଆବଶ୍ୟକ ଥିଲା। ବିଜେପି ସର୍ବାଧିକ ୭୪ଟି ଆସନ ପାଇଥିବା ବେଳେ ନୀତୀଶଙ୍କ ଜେଡିୟୁ ୪୩ଟି ଆସନ ପାଇଥିଲା। ଏହାସତ୍ତ୍ବେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି। ଠିକ୍ ଏହି ମଡେଲ ମହାରାଷ୍ଟ୍ରରେ ଆପଣାଇବା ଲାଗି ବିଜେପି ଉପରେ ଚାପ ପକାଇଥିଲା ଶିବ ସେନା। କିନ୍ତୁ ଏହି ଚାପ କାମଦେଲାନି।

ଏସଂପର୍କରେ ପ୍ରତିକ୍ରିୟା ଦେଇ ଜେଡିୟୁ ମୁଖପାତ୍ର ନିରଜ କୁମାର କହିଛନ୍ତି ଯେ ବିହାର ରାଜନୀତି ମହାରଷ୍ଟ୍ରରୁ ସଂପୂର୍ଣ୍ଣ ଭିନ୍ନ। ବିହାରରେ ନୀତୀଶଙ୍କ ଲୋକପ୍ରିୟତା ସର୍ବାଧିକ। ତାଙ୍କୁ କେହି ଏଡ଼ାଇପାରିବେ ନାହିଁ। ତାଙ୍କ ଯୋଗୁଁ ଗତ ଲୋକସଭା ନିର୍ବାଚନରେ ବିଜେପି ମେଣ୍ଟକୁ ଭଲ ସଫଳତା ମିଳିଥିଲା। ସେ ଆହୁରି କହିଲେ ଯେ ଗତ ବିଧାନସଭା ନିର୍ବାଚନରେ ଜେଡିୟୁ କମ୍ ଆସନ ପାଇବାରୁ ନୀତୀଶ ମୁଖ୍ୟମନ୍ତ୍ରୀ ହେବାକୁ ମନା କରିଦେଇଥିଲେ। କିନ୍ତୁ ଜେପି ନଡ୍ଡାଙ୍କ ସମେତ ଅନେକ ବିଜେପି ନେତା ପ୍ରବଳ ଚାପ ପକାଇବାରୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ। କିନ୍ତୁ ଏଥର ଭିନ୍ନ ରଣନୀତି ନେଇ ତାଙ୍କ ଦଳ ନିର୍ବାଚନ ଲଢ଼ିବ। କିନ୍ତୁ ଏହି ରଣନିତି କଣ ହେବ ତାହା ସେ କହି ନାହାନ୍ତି। ଅନ୍ୟପକ୍ଷରେ ରାଜନୀତି ବିଶେଷଜ୍ଞ କହୁଛନ୍ତି ଯେ ରାଜନୀତିେରେ ନୀତୀଶ ମାହିର। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ଦ୍ବନ୍ଦ୍ବରେ ରଖନ୍ତି। ତେଣୁ ତାଙ୍କର ରଣନିତି ଜାଣିବା ଲାଗି ନିର୍ବାଚନ ତାରିଖ ଘୋଷଣା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

About The Author: The Sakala