‘ନୀତା ମୁକେଶ ଅମ୍ବାନୀ ଅନନ୍ତ ଆଶ୍ରୟ’ର ଶୁଭାରମ୍ଭ କଲେ ନିତା ଅମ୍ବାନୀ, ୫୦୦୦ରୁ ଅଧିକଙ୍କୁ ମିଳିବ ଘର ସହ ପରିବାର ଭଳି ପରିବେଶ

ମହାରାଷ୍ଟ୍ର: ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନିତା ଅମ୍ବାନୀ ନିଜ ଜନ୍ମଦିନ ଅବସରରେ ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମହାରାଷ୍ଟ୍ରର କରଜତଠାରେ ପ୍ରସ୍ତାବିତ ୧୦୦ ଏକର ବିଶିଷ୍ଟ 'ନିତା ମୁକେଶ ଅମ୍ବାନୀ ଅନନ୍ତ ଆଶ୍ରୟ' ନାମକ ଏକ କେୟାର ଟାଉନସିପ୍‌ର ସେ ଭୂମି ପୂଜନ କରିଛନ୍ତି।  ପ୍ରାୟ ୧୦୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପରିସରରେ ୫,୦୦୦ରୁ ଅଧିକ ଅନାଥ ଶିଶୁ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଘର ଓ ପରିବାର ଭଳି ପରିବେଶ ସହ ଯତ୍ନ ଓ ସେବା ଯୋଗାଇ ଦିଆଯିବ। 

ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଈଶା ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ। ରିଲାଏନ୍ସ ଫାଉଣ୍ଡେସନର ଏହି ପଦକ୍ଷେପକୁ ଆବଶ୍ୟକ ଅନୁମୋଦନ ମିଳିବା ପରେ ପର୍ଯ୍ୟୟକ୍ରମେ ବିକଶିତ କରାଯିବ। ଭୂମିପୂଜନ ଅବସରରେ ନୀତା ଅମ୍ବାନୀ କହିଛନ୍ତି ଯେ, ଅନନ୍ତ ଆଶ୍ରୟ ତାଙ୍କ ଓ ତାଙ୍କ ପରିବାରର ହୃଦୟର ଅତି ନିକଟତର। ସେ କହିଥିଲେ, “ଜଣେ ମା’ ଭାବେ ମୋର ସବୁଠାରୁ ବଡ଼ ଆଶା ହେଉଛି, ଯେଉଁ ମାତାପିତା ଜୀବନସାରା ଏହି ଚିନ୍ତାରେ ରହିଥାନ୍ତି ଯେ, ସେମାନଙ୍କ ଅନୁପସ୍ଥିତିରେ ସେମାନଙ୍କ ପିଲାଙ୍କ ଯତ୍ନ କିଏ ନେବ, ସେମାନଙ୍କୁ ଏହି ବିଶ୍ୱାସ ମିଳୁ ଯେ, ସେମାନଙ୍କ ପିଲାଙ୍କର ସବୁଦିନ ପାଇଁ ନିଜସ୍ୱ ଘର ଓ ପରିବାର ରହିବ।” 

ଏଠାରେ ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କୁ ସମ୍ମାନର ସହ ଜୀବନ ବିତାଇବା ଏବଂ ପ୍ରତ୍ୟେକ ନୂଆ ଦିନକୁ ଆଶା ଓ ଆତ୍ମବିଶ୍ୱାସର ସହ ସ୍ୱାଗତ କରିବାର ସୁଯୋଗ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଅନନ୍ତ ଆଶ୍ରୟକୁ କେବଳ ଏକ ଆଶ୍ରୟସ୍ଥଳୀ ଭାବେ ନୁହେଁ, ବରଂ ଏଭଳି ଏକ ସମୁଦାୟ ଭାବେ ପରିକଳ୍ପନା କରାଯାଇଛି, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ ଓ ଅତ୍ମୀୟତା ମିଳିବ। ଏହି ପରିସରରେ ପରିବାର ଭଳି ଛୋଟ ଛୋଟ ଘର ରହିବ ଏବଂ ସେଠାରେ ସ୍ୱତନ୍ତ୍ର ଭାବେ ନିଯୁକ୍ତ କର୍ମଚାରୀମାନେ ଯତ୍ନ ନେବେ। ପ୍ରତ୍ୟେକ ବ୍ୟକ୍ତିଙ୍କ ଆବଶ୍ୟକତା ଅନୁସାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ବ୍ୟକ୍ତିଗତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। 

ପ୍ରକଳ୍ପ ଅଧୀନରେ ୮ଟି ଆବାସିକ ଗ୍ରାମ ନିର୍ମାଣ କରାଯିବ, ଯାହାର ନାମ ଭାରତର ପବିତ୍ର ନଦୀମାନଙ୍କ ନାମରେ ରଖାଯିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଠାରେ ଏକ ବଡ଼ ଡାକ୍ତରଖାନା, ପୁନର୍ବାସ କେନ୍ଦ୍ର, ଦନ୍ତ ଚିକିତ୍ସାଳୟ ଏବଂ ଫିଜିଓଥେରାପି ପରି ଅତ୍ୟାଧୁନିକ ସୁବିଧା ରହିବ। ଏହା ସହିତ ଏଠାରେ ମନ୍ଦିର, ବଗିଚା, ଖେଳପଡ଼ିଆ ଏବଂ 'ଭାନ୍ତାରା' ବିଶେଷଜ୍ଞଙ୍କ ସହାୟତାରେ ଏକ ପ୍ରାଣୀ ସାଥୀ ଫାର୍ମ ମଧ୍ୟ ନିର୍ମାଣ କରାଯିବ।

ଏହି ପ୍ରକଳ୍ପ କେବଳ ନିଜ ଅନ୍ତେବାସୀଙ୍କ ମଧ୍ୟରେ ସୀମିତ ରହିବ ନାହିଁ। ଆଖପାଖ ଗ୍ରାମର ପ୍ରାୟ ୧,୦୦୦ ରୁ ଅଧିକ ଲୋକ ମଧ୍ୟ ଏହି ଟାଉନସିପ୍‌ରୁ ଚିକିତ୍ସା ଓ ଶିକ୍ଷା ସୁବିଧା ପାଇପାରିବେ। ମୋବାଇଲ୍ କ୍ଲିନିକ ଏବଂ ଆଉଟ୍ରିଚ୍ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସମୁଦାୟକୁ ସହାୟତା ଯୋଗାଇ ଦିଆଯିବ। ନିତା ଅମ୍ବାନୀ କହିଛନ୍ତି ଯେ, ଏହି ଟାଉନସିପ୍ ମାଧ୍ୟମରେ ସେ ଏଭଳି ଏକ ସମାଜ ଗଠନ କରିବାକୁ ଚାହୁଁଛନ୍ତି ଯେଉଁଠାରେ ଲୋକମାନେ ପରିବାରର ଉଷ୍ମତା ସହ ଉତ୍ତମ ସେବା ପାଇପାରିବେ।

About The Author: Madhusudan Das