ନୂଆଦିଲ୍ଲୀ : ପୁଣିଥରେ ଚିନ୍ତା ବଢ଼ାଇଲାଣି କରୋନା ଭାଇରସ୍ । କରୋନା କବଳରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଟିକାକରଣ ଜାରି ରହିଥିବା ବେଳେ ସଂକ୍ରମଣ ଟିକେ ହ୍ରାସ ପାଇଥିଲା। କିନ୍ତୁ ଏବେ ବିଭିନ୍ନ ରାଜ୍ୟରେ ହଠାତ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା। ଯାହା ପୁଣିଥରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଏବେ ପୁଣି ଥରେ ଅଧିକ କରୋନା ସଂକ୍ରମିତ ଥିବା ଅଞ୍ଚଳରେ କଟକଣା ଲଗାଉଥିବା ଦେଖାଯାଉଛି। ଗୁଜୁରାଟର ୪ଟି ସହରରେ ନାଇଟ କର୍ଫ୍ୟୁ ବଢ଼ାଯିବା ସହ ଏବେ ମଧ୍ୟପ୍ରଦେଶରେ ପୁଣି ଥରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଭୋପାଳ ଏବଂ ଇନ୍ଦୋରରେ ଆସନ୍ତାକାଲିଠାରୁ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି।
ଏଥିସହିତ ଜବଲପୁର ଓ ଗୋଆଲିୟର୍ ସମେତ ୮ଟି ସହରରେ ରାତି ୧୦ଟା ପରେ ଦୋକାନ ବଜାର ବନ୍ଦ ରହିବ । ଜବଲପୁର ଓ ଗୋଆଲିୟର୍ ବ୍ୟତୀତ ସେହି ସହର ମଧ୍ୟରେ ରହିଛି- ଉଜୖେନ, ରତଲାମ, ଛିନ୍ଦଓ୍ୱାଡା, ବୁରହାନପୁର, ବୖେତୁଲ ଓ ଖରଗୋନ୍ ।
ସେହିପରି ଗୁଜୁରାଟ ସରକାର ପୂର୍ବରୁ ୪ ସହରରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ଏହି ସହର ମଧ୍ୟରେ ଅହମ୍ମଦାବାଦ, ବଡୋଦରା, ସୁରଟ୍ ଓ ରାଜେକାଟ ଆଦି ରହିଛି। ଏହି ୪ ସହରରେ ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ମାର୍ଚ୍ଚ ୧୭ ତାରିଖ ସକାଳ ୬ଟା ଯାଏଁ ଲାଗୁ ହେଉଛି । ଆଉ ଏହି ଭଳି ସ୍ଥିତି ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।