୨୫ ବର୍ଷରେ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ, ଲକ୍ଷ୍ୟ ବଡ଼ ଓ କଠିନ ହେଲେ ମଧ୍ୟ କଷ୍ଟକର ନୁହେଁ- ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ: ନୂଆ ସଂସଦ ଭବନକୁ ଆଜି ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ଅଗ୍ରସର ହେଲେ, ବିଶ୍ବ ଅଗ୍ରସର ହେବ। ଭାରତର ବିକାଶ ମାଧ୍ୟମରେ ଏହି ନୂଆ ସଂସଦ ବିଶ୍ବ ବିକାଶର ନେତୃତ୍ବ ନେବ ବୋଲି ଆଜି ନୂଆ ସଂସଦ ଭବନରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଆଜିର ଦିନ ଦେଶ ପାଇଁ ଶୁଭ ମୁହୂର୍ତ୍ତ । ସ୍ୱର୍ଣ୍ଣିମ ମୁହୂର୍ତ୍ତ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା । ଅମୃତ ମହୋତ୍ସବରେ ନୂଆ ସଂସଦ […]

ନୂଆ ଦିଲ୍ଲୀ: ନୂଆ ସଂସଦ ଭବନକୁ ଆଜି ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ଅଗ୍ରସର ହେଲେ, ବିଶ୍ବ ଅଗ୍ରସର ହେବ। ଭାରତର ବିକାଶ ମାଧ୍ୟମରେ ଏହି ନୂଆ ସଂସଦ ବିଶ୍ବ ବିକାଶର ନେତୃତ୍ବ ନେବ ବୋଲି ଆଜି ନୂଆ ସଂସଦ ଭବନରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଆଜିର ଦିନ ଦେଶ ପାଇଁ ଶୁଭ ମୁହୂର୍ତ୍ତ । ସ୍ୱର୍ଣ୍ଣିମ ମୁହୂର୍ତ୍ତ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା । ଅମୃତ ମହୋତ୍ସବରେ ନୂଆ ସଂସଦ ଭବନ ଦେଶକୁ ଉପହାର ଦେଲେ ମୋଦୀ । ଏହି ନୂତନ ଭବନରେ ଲୋକସଭାରେ ୮୮୮ ଜଣ ଏବଂ ରାଜ୍ୟସଭାରେ ୩୮୪ ଜଣ ସଦସ୍ୟଙ୍କ ପାଇଁ ବସିବାର ବ୍ୟବସ୍ଥା ରହିଛି। ନୂତନ ସଂସଦର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ।

ପ୍ରତ୍ୟେକ ଦେଶର ବିକାଶ ଯାତ୍ରାରେ ଏମିତି କେତେକ ମୁହୂର୍ତ୍ତ ଆସେ ଯାହା ଚିରସ୍ଥାୟୀ ହୋଇଯାଏ। ୨୮ ମେ ୨୦୨୩ ହେଉଛି ସେମତି ଏକ ମୁହୂର୍ତ୍ତ । ଏପରି ଏକ ଶୁଭ ଉତ୍ସବ । ସ୍ୱାଧୀନତାର ୭୫ ବର୍ଷ ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି। ଏହି ଉତ୍ସବରେ ଭାରତର ଲୋକମାନେ ସଂସଦର ଏହି ନୂତନ କୋଠାକୁ ସେମାନଙ୍କର ଗଣତନ୍ତ୍ରକୁ ଉପହାର ଦେଇଛନ୍ତି। ଏହା କେବଳ ଏକ କୋଠା ନୁହେଁ। ଏକ ରାଷ୍ଟ୍ର ଭାବରେ ଆମ ସମସ୍ତଙ୍କ ପାଇଁ ୧୪୦କୋଟିର ସଂକଳ୍ପ ହେଉଛି ଏହି ସଂସଦର ଜୀବନ ରକ୍ତ। ଏଠାରେ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଭବିଷ୍ୟତ ଗଠନ କରିବାକୁ ଯାଉଛି। ସଂସଦର ପ୍ରତ୍ୟେକ କାନ୍ଥ, ଏହାର ପ୍ରତ୍ୟେକ କଣିକା ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ। ଆଜି ସଂସଦର ଲୋକସଭା କକ୍ଷରେ ସ୍ଥାପନ କରାଯାଇଥିବା ‘ସେଙ୍ଗୋଲ୍‌’ ବିଷୟରେ ସୃଷ୍ଟି ହୋଇଥିବା ବିବାଦ ଉପରେ ସ୍ପଷ୍ଟୀକରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଚୋଳ ରାଜବଂଶରେ ‘ସେଙ୍ଗୋଲ୍‌’ ନ୍ୟାୟ, ସଚ୍ଚୋଟତା ଓ ଉତ୍ତମ ଶାସନର ସଙ୍କେତ ଥିଲା। ଏହି ପବିତ୍ର ‘ସେଙ୍ଗୋଲ୍‌’ର ଗୌରବକୁ ପୁନଃସଂସ୍ଥାପନ କରିବାରେ ସମର୍ଥ ହେବା ଆମ ପାଇଁ ସୌଭାଗ୍ୟର କଥା। ଏହି ଗୃହରେ ଯେତେବେଳେ ଅଧିବେଶନ ଆରମ୍ଭ ହେବ ‘ସେଙ୍ଗୋଲ୍‌’ ଆମକୁ ‌ପ୍ରେରଣା ଦେଉଥିବ। କେବଳ ସେତିକି ନୁହେଁ ନୂଆ ସଂସଦ ଭବନ ନିର୍ମାଣ ୬୦,୦୦୦ ଶ୍ରମିକଙ୍କୁ ରୋଜଗାର ଦେଇଛି। ସେମାନଙ୍କ ପ୍ରତି ଡିଜିଟାଲ୍‌ ଗ୍ୟାଲେରି ଉତ୍ସର୍ଗ କରାଯାଇଛି। ଗତ ୯ ବର୍ଷ ମଧ୍ୟରେ ଦେଶର ୪ କ‌ୋଟି ଗରିବ ଲୋକଙ୍କ ପାଇଁ ବାସଗୃହ ଓ ୧୧ କୋଟି ଶୌଚାଳୟ ନିର୍ମାଣ କରାଯାଇଥିବା କଥା ଭାବିଲେ ମତେ ଖୁବ୍‌ ଖୁସି ଲାଗେ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତର ସୂର୍ଯ୍ୟ ଉଦୟର ପ୍ରତୀକ । ନୂଆ ଭାରତ ନୂଆ ରାସ୍ତା, ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି । ପୁରା ବିଶ୍ବର ଦୃଷ୍ଟି ଭାରତ ଉପରେ ରହିଛି ବୋଲି ମୋଦୀ କହିଥିଲେ। ୨୫ ବର୍ଷ ପରେ ଭାରତ ସ୍ବାଧୀନତାର ୧୦୦ ବର୍ଷ ପାଳନ କରିବ । ଭାରତକୁ ବିକଶିତ ରାଷ୍ଟ୍ର କରିବାର ଅଛି ।  ଲକ୍ଷ୍ୟ ବଡ଼ ଅଛି, କଠିନ ଅଛି କିନ୍ତୁ ସଂକଳ୍ପ ନେବାକୁ ହେବ ବୋଲି ମୋଦୀ ନିଜ ଅଭିଭାଷଣରେ କହିଥିଲେ। ସବୁ ଦେଶବାସୀ ବିକାଶର ସଂକଳ୍ପ ନେଲେ ବିକାଶ ହେବ । ଭାରତ ଗଣତନ୍ତ୍ରର ଜନନୀ, ବିଶ୍ବ ଗଣତନ୍ତ୍ରର ମଧ୍ୟ ମୂଳଦୁଆ । ନୂଆ ସଂସଦ ଭବନର ଆବଶ୍ୟକତା ଥିଲା । ଆଗାମୀ ଦିନରେ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇବ । ତେଣୁ ବର୍ତ୍ତମାନ ନୂଆ ସଂସଦର ଆବଶ୍ୟକତା ରହିଥିଲା ବୋଲି ମୋଦୀ କହିଛନ୍ତି।

About The Author: The Sakala