ଶିମଲା: ଆଜି ହିମାଚଳ ପ୍ରଦେଶ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଆଜି ଶପଥ ନେବେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ପ୍ରତିଭାଙ୍କ ସମର୍ଥକ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସୁଖବିନ୍ଦର ସିଂ ସୁଖୁଙ୍କ ପୂର୍ବରୁ ହିମାଚଳ କଂଗ୍ରେସର ଅଧ୍ୟକ୍ଷ ପ୍ରତିଭା ସିଂଙ୍କ ନାମ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ରହିଥିବା କୁହାଯାଉଥିଲା। କିନ୍ତୁ ଶନିବାର ଦ୍ୱିପ୍ରହର ସୁଦ୍ଧା ଏହା ସ୍ପଷ୍ଟ ହୋଇଥିଲା ଯେ ପ୍ରତିଭା ସିଂ ଏହି ଦୌଡ଼ରୁ ବାହାରି ସାରିଛନ୍ତି। ଲୋକସଭା ସାଂସଦ ଯୋଗୁଁ ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ରେସରେ ପଛରେ ପଡିଗଲେ । ସୁଖବିନ୍ଦର ସିଂହ ହିମାଚଳ କଂଗ୍ରେସର ଜଣେ ଟାଣୁଆ ନେତା । ଦଳ ପ୍ରତି ରହିଛି ନିଷ୍ଠା ଓ ରାଜନୀତିରେ ବିଚକ୍ଷଣ । ସମାଜସେବାରେ ରହିଛି ଆଗ୍ରହ । ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ସୁଖବିନ୍ଦର ସିଂ ସୁଖୁ ।
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆରମ୍ଭ ହୋଇଥିବା ବିବାଦରେ ଅନ୍ତ ଘଟିଛି। ଶନିବାର ଦଳୀୟ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସୁଖବିନ୍ଦର ସିଂ ସୁଖଙ୍କ ନାମ ଘୋଷଣା କରିଛନ୍ତି। ଫଳରେ ଏହି ପଦବୀ ପାଇଁ ଦାବିଦାର ଥିବା ତିନି ପ୍ରମୁଖ ନେତାଙ୍କ ସମର୍ଥନକାରୀଙ୍କ ମଧ୍ୟରେ ଦେଖାଯାଇଥିବା ଦ୍ବନ୍ଦ୍ବ ଦୂର ହୋଇଛି। କଂଗ୍ରେସ ୬୮ ଆସନ ମଧ୍ୟରୁ ୪୦ଟି ଆସନରେ ବିଜୟ ଲାଭ କରି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଯାହାକୁ ନେଇ ଦଳୀୟ ହାଇକମାଣ୍ଡଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ଯାଏଁ ସମସ୍ତେ ଖୁସିରେ ଫାଟି ପଡ଼ିଥିଲେ। ହେଲେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କାରଣ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ତିନି ଦାବିଦାର ସାମ୍ନାକୁ ଆସିଥିଲା ବେଳେ ସେମାନଙ୍କ ସମର୍ଥକମାନେ ନିଜ ନେତାଙ୍କ ପାଇଁ ଲବି ଆରମ୍ଭ କରିଦେଇଥିଲେ।
ଏହିକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ସାଂସଦ ପତ୍ନୀ ପ୍ରତିଭା ସିଂଙ୍କ ନାମ ସର୍ବାଗ୍ରେ ରହିଥିଲା। ଏହାବ୍ୟତୀତ ବିଗତ ୫ ବର୍ଷ ଧରି ବିରୋଧୀ ଦଳ ନେତା ରହିଆସିଥିବା ମୁକେଶ ଅଗ୍ନିହୋତ୍ରୀ ଏବଂ ଅନ୍ୟତମ ବରିଷ୍ଠ ନେତା ସୁଖବିନ୍ଦର ସିଂ ସୁଖୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଥିଲେ। ହେଲେ ଏହି ତିନି ନେତାଙ୍କ ସମର୍ଥକମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଯିବା ପରେ ଗତକାଲି ନବ ନିର୍ବାଚିତ ବିଧାୟକମାନଙ୍କ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ହାଇକମାଣ୍ଡଙ୍କ ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି ହେବ ବୋଲି ବିଧାୟକମାନେ ମାନି ନେଇଥିଲେ। ଏହିକ୍ରମରେ ଶନିବାର ଦଳୀୟ ହାଇକମାଣ୍ଡ ସୁଖବିନ୍ଦରଙ୍କ ନାମ ଚୟନ କରିଛନ୍ତି। ନିର୍ବାଚିତ ୪୦ ବିଧାୟକମାନଙ୍କ ମଧ୍ୟରୁ ତାଙ୍କ ସମର୍ଥନରେ ସର୍ବାଧିକ ବିଧାୟକ ରହିଥିବାରୁ ସେ ହିଁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଇଛି।