ନେପାଳରେ ସାଂପ୍ରଦାୟିକ ହିଂସା; ଭାରତ ସୀମା ସିଲ୍‌

କାଠମାଣ୍ଡୁ: ନେପାଳରେ ପୁଣି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି । ପର୍ସା ଜିଲ୍ଲାର ବୀରଗଞ୍ଜରେ ଥିବା ଏକ ମସଜିଦରେ ଭଙ୍ଗାରୁଜା ହେବା ପରେ ଏହି ସ୍ଥିତି ସୃଷ୍ଟି ହୋଇଛି। ବିକ୍ଷୋଭ ପ୍ରଦର୍ଶନକୁ ଦେଖି ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଲଗାଇ ଦେଇଛି। ନିଷେଧାଜ୍ଞା ସତ୍ତ୍ବେ ଦୁଇ ବିରୋଧୀ ଗୋଷ୍ଠୀ ରାସ୍ତାକୁ ଓହ୍ଲାଇ ଥିବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ଏହା ପରେ ପ୍ରଶାସନ କଠୋର ପଦକ୍ଷେପ ନେଇଥିଲା। ଏହି କର୍ଫ୍ୟୁ ତିନି ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଲୋକଙ୍କୁ କେବଳ ଜରୁରୀ ସ୍ଥିତିରେ ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନେପାଳ ସ୍ଥିତିକୁ ଦେଖି ଭାରତୀୟ ସୀମା ସିଲ୍‌ କରିଦିଆଯାଇଛି ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନେପାଳର ତିନି ପୂର୍ବତନ ପ୍ରଧାନମନ୍ତ୍ରୀ ସେର ବାହାଦୂର ଦେଓବା, କେପି ଶର୍ମା ଓଲି ଏବଂ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ଦଳ ମେଣ୍ଟ ପାଇଁ ପ୍ରସ୍ତୁତି କରୁଛନ୍ତି।

ସୂଚନାଯୋଗ୍ୟ, ଧନୁଷା ଜିଲ୍ଲାର କମଳା ମ୍ୟୁନିସିପାଲିଟିର ଦୁଇ ଜଣ ମୁସଲମାନ ହାଇଦର ଅନସାରୀ ଓ ଅମାନତ ଅନସାରୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିବା ପରେ ନେପାଳରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଏହି ଭିଡିଓ ଖୁବ୍ ଶୀଘ୍ର ଧନୁଷା ଓ ପାର୍ସା ଜିଲ୍ଲାରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିଥିଲା। ସ୍ଥାନୀୟ ଲୋକମାନେ ଏହି ଭିଡିଓରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପ୍ରତି ବିପଦ ସୃଷ୍ଟି ହୋଇଥିବା କହି ଦୁଇ ଜଣଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଏହାର କିଛି ସମୟ ପରେ, କମଲାର ସାଖୁୱା ମାରାନ୍ ଅଞ୍ଚଳରେ ଏକ ମସଜିଦକୁ ଭଙ୍ଗାରୁଜା କରାଯାଇଥିଲା, ଯାହା ସାମ୍ପ୍ରଦାୟିକ ଉତ୍ତେଜନାକୁ ଗଭୀର କରିଥିଲା। ବିକ୍ଷୋଭ ସମୟରେ ହିନ୍ଦୁ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଦେବତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦିଆଯାଇଛି, ଯାହା ପରିସ୍ଥିତିକୁ ଆହୁରି ଖରାପ କରିଛି।

ବିକ୍ଷୋଭକାରୀମାନେ ପୁଲିସ କର୍ମଚାରୀଙ୍କ ଉପରକୁ ପଥର ଫିଙ୍ଗିବା ଏବଂ ସ୍ଥାନୀୟ ପୁଲିସ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବୀରଗଞ୍ଜ ଓ ଏହାର ଆଖପାଖ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ବାତାବରଣକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସଶସ୍ତ୍ର ସୀମା ବଳ (ଏସ୍ଏସ୍‌ବି) ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରିଛି। ସୀମାରେ ଏକ ଡଗ୍ ସ୍କ୍ୱାଡ୍‌ ଟିମ୍ ମଧ୍ୟ ମୁତୟନ କରାଯାଇଛି।

About The Author: Madhusudan Das