ଭୁବନେଶ୍ୱର : ଏଣିକି ପିଏଚ୍ଡି ପାଇଁ ଆବଶ୍ୟକ ହେବ ଜାତୀୟ ଯୋଗ୍ୟତା ପରୀକ୍ଷା ବା ନେଟ୍ ସ୍କୋର। ଆଶାୟୀ ଛାତ୍ରଛାତ୍ରୀମାନେ ନେଟ୍ ପରୀକ୍ଷାରେ ରଖିଥିବା ସ୍କୋର୍ ଅନୁଯାୟୀ ସିଟ୍ ପାଇବେ। ପୂର୍ବରୁ ସମସ୍ତ ବିଶ୍ୱବିଦ୍ୟାଳୟ ଭିନ୍ନଭିନ୍ନ ଭାବେ ପିଏଚ୍ଡି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରୁଥିଲେ। ଏହାଦ୍ୱାରା ଆଶାୟୀ ଛାତ୍ରଛାତ୍ରୀମାନେ ଏକାଧିକଥର ପରୀକ୍ଷା ଦେଇ ଖର୍ଚ୍ଚାନ୍ତ ହେଉଥିଲେ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଓ ଅସୁବିଧାକୁ ଦୃଷ୍ଟିରେ ରଖି ଏକକ ପ୍ରବେଶିକା ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ନେଟ୍ ସ୍କୋର ଆଧାରରେ ନାମଲେଖା ପାଇଁ ୟୁଜିସି ନିଷ୍ପତ୍ତି ନେଇଛି।
ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ଏହା ଲାଗୁ କରିବାକୁ ବୁଧବାର ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ସମ୍ପ୍ରତି ନେଟ୍ ପରୀକ୍ଷା ଅନୁଯାୟୀ ଜୁନିଅର ରିସର୍ଚ୍ଚ ଫେଲୋସିପ୍(ଜେଆର୍ଏଫ୍) ଓ ସହାୟକ ଅଧ୍ୟାପକ ପାଇଁ ଚୟନ କରାଯାଉଛି। ଏହି ନିଷ୍ପତ୍ତି ପରେ ଆସନ୍ତା ଜୁନ୍ ମାସରୁ ନେଟ୍ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ତିନୋଟି ବର୍ଗ ପାଇଁ ମନୋନୀତ ହୋଇପାରିବେ। ଏକକାଳୀନ ଜୁନିଅର ରିସର୍ଚ୍ଚ ଫେଲୋସିପ୍ (ଜେଆର୍ଏଫ୍), ସହାୟକ ଅଧ୍ୟାପକ ଓ ପିଏଚ୍ଡି ନାମଲେଖା ପାଇଁ ଯୋଗ୍ୟ ହୋଇପାରିବେ।