ମୁମ୍ବଇ : ସାମାଜିକ ଗଣମାଧ୍ୟମରେ ବନ୍ଧୁତ୍ୱ ସ୍ଥାପନ କରି ଜଣେ ୮୦ ବର୍ଷୀୟ ବରିଷ୍ଠ ନାଗରିକ ପାଖାପାଖି ୯ କୋଟି ଟଙ୍କା ହରାଇଛନ୍ତି। ଅନଲାଇନ୍ରେ ପ୍ରେମର ଅନ୍ୱେଷଣ ଏତେ ମହଙ୍ଗା ପଡ଼ିବ ବୋଲି ମୁମ୍ବଇର ଏହି ବରିଷ୍ଠ ନାଗରିକ କେବେ ଭାବି ନଥିଲେ। ପ୍ରେମ, ସହାନୁଭୂତି, ଖରାପ ସ୍ଥିତିର ବାହାନା କରି ୪ ମହିଳା ତାଙ୍କଠାରୁ ୮.୭କୋଟି ଟଙ୍କା ଠକି ନେଇଛନ୍ତି। ୨୧ ମାସରେ ୭୩୪ଟି ଟ୍ରାନଜାକସନ ଅର୍ଥାତ ନେଣଦେଣ କରି ସେ ଏତେ ପରିମାଣର ଟଙ୍କା ହରାଇଛନ୍ତି। ଜଣଙ୍କ ପରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ମହିଳାଙ୍କ ଚକରରେ ପଡ଼ି ସେ ସାରା ଜୀବନରେ ଉପାର୍ଜନ କରିଥିବା ଅର୍ଥ ମାତ୍ର ୨୧ମାସରେ ହରାଇବା ପରେ ଠକାମୀର ଶିକାର ହୋଇଥିବା ହୃଦୟଙ୍ଗମ କରିଥିଲେ। ପରେ ପୁଲିସରେ ଅଭିଯୋଗ କରି ୨୧ ମାସର ଏହି କାହାଣୀ ବଖାଣି ଥିଲେ। ସାଇବର ପୁଲିସ ଏ ନେଇ ମାମଲା ରୁଜୁ କରିବା ସହ ଯାଞ୍ଚ ଆରମ୍ଭ କରିଛି।
୨୦୨୩ ଏପ୍ରିଲରେ ଶରବୀ ନାମକ ଏକ ମହିଳା ତାଙ୍କୁ ଏକ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ ଓ ଏହାକୁ ସେ ଆକସେପ୍ଟ କରିଥିଲେ। ଏହାପରେ ଦୁହେଁ ଚାଟିଂ ଆରମ୍ଭ କରିଥିଲେ ଓ ଦୁହେଁ ପରସ୍ପରର ଫୋନ୍ ନଂ ଦେଇଥିଲେ। ଏହାପରେ ଦୁହେଁ ହ୍ୱାଟ୍ସଆପ୍ରେ ଚାଟିଂ କରିଥିଲେ। ସ୍ୱାମୀଙ୍କଠାରୁ ଅଲଗା ହୋଇ ନିଜ ପିଲାଙ୍କ ସହ ରହୁଥିବା କଥା ଶରାବୀ ତାଙ୍କୁ କହିଥିଲେ। ଏହାପରେ ପିଲାଙ୍କ ଦେହ ଖରାପ୍ ଓ ବିଭିନ୍ନ ଆଳ ଦେଖାଇ ଶରାବୀ ଏହି ବରିଷ୍ଠ ନାଗରିକଙ୍କଠାରୁ ପଇସା ମାଗିଥିଲେ। କିଛି ଦିନପରେ ଶରବୀର ସମ୍ପର୍କୀୟ ଭାବେ ନିଜକୁ ଦର୍ଶାଇ କବିତା ନାମରେ ଆଉ ଜଣେ ମହିଳା ତାଙ୍କ ସହ ହ୍ୱାର୍ଟ୍ସଆପ୍ରେ ଯୋଗାଯୋଗ କରି ସମାନ କାହାଣୀ କହି ପଇସା ହଡପ କରିଥିଲେ। ଏହାପରେ ଗତ ଡିସେମ୍ବରରେ ଶରବୀର ଭଉଣୀର ପରିଚୟ ଦେଇ ଡିନାଜ ନାମ୍ରେ ଜଣେ ମହିଳା ମଧ୍ୟ ତାଙ୍କ ସମ୍ପର୍କରେ ଆସି ବିଭିନ୍ନ ଆଳ ଦେଖାଇ ପଇସା ନେଇଥିଲେ।
ପୁଣି ପରେ ଡିନାଜର ବାନ୍ଧବୀ ବୋଲି ନିଜକୁ ଦର୍ଶାଇ ଜାସମିନ ନାମରେ ଜଣେ ମହିଳା ମଧ୍ୟ ବିଭିନ୍ନ ସ୍ଥିତିର ଆଳ ଦେଖାଇ ତାଙ୍କଠାରୁ ଆର୍ଥିକ ସାହଯ୍ୟ ମାଗିଥିଲେ। ତାଙ୍କୁ ମଧ୍ୟ ବୃଦ୍ଧଜଣକ ପଇସା ପଠାଇଥିଲେ। କିନ୍ତୁ କେହି ତାଙ୍କ ଟଙ୍କା ଫେରସ୍ତ କରି ନଥିଲେ। ଏହିପରି ଭାବେ ସେ ୨୦୨୩ ଏପ୍ରିଲରୁ ୨୦୨୫ ଜାନୁଆରୀ ପର୍ଯ୍ୟନ୍ତ ୭୩୪ଟି ଟ୍ରାନଜାକସନ କରି ମୋଟ୍ ୮.୭ କୋଟି ଟଙ୍କା ହରାଇଥିଲେ। ଏହାପରେ ବ୍ୟକ୍ତିଜଣକ ନିଜ ପୁଅ ଓ ବହୁଙ୍କଠାରୁ ପଇସା ମାଗିବା ପରେ ସେମାନଙ୍କର ସନ୍ଦେହ ହୋଇଥିଲା। ଫଳରେ ସେ ପୁଲିସର ସାହଯ୍ୟ ଲୋଡିଥିଲେ। ଜଣେ ବ୍ୟକ୍ତି ହିଁ ୪ ମହିଳାଙ୍କ ପରିଚୟ ଦେଇ ଏହି ଅର୍ଥ ଲୁଟିଛି। ତେବେ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।