ଜର୍ମାନୀ: ସନ୍ଦେହ ସାଜିଲା ଘାତକ । ସନ୍ଦେହ ଯେ ୫ ଶିଶୁଙ୍କ ଜୀବନ ନେଇଯିବ ଏହା ବିଶ୍ୱାସ ବି କରିହେଉନାହିଁ । ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଫଟୋରେ ଦେଖି ନିଜ କ୍ରୋଧକୁ ନିୟନ୍ତ୍ରଣ ନ କରିପାରି ସ୍ୱାମୀଙ୍କୁ ଶାସ୍ତି ଦେବାକୁ ଯାଇ ନିଜ ୫ ସନ୍ତାନଙ୍କ ତଣ୍ଟି ଚିପି ମାରିଦେଲେ ଜଣେ ମହିଳା । ମାତ୍ର ଏପରି ଭୟଙ୍କର ଘଟଣାରୁ ମହିଳାଙ୍କ ବଡ଼ ପୁଅ ବଞ୍ଚି ଯାଇଥିବା ସୂଚନା ମିଳିଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜର୍ମାନୀରେ । ଏହି ମାମଲାରେ କୋର୍ଟ ଉକ୍ତ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
‘ମିରର ୟୁକେ’ ର ରିପୋର୍ଟ ଅନୁଯାୟୀ, ୨୮ ବର୍ଷିୟ କ୍ରିଷ୍ଟିୟାନ (କ୍ରିଷ୍ଟିୟାନ କେ) ନାମକ ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ୫ ପିଲାଙ୍କ ସହ ହସଖୁସିରେ ରହୁଥିଲେ । ମାତ୍ର ଦିନେ ଉକ୍ତ ମହିଳା ଏକ ଫଟୋରେ ତାଙ୍କ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଦେଖିବା ପରେ ନିଜ ରାଗକୁ ସମ୍ଭାଳି ନ ପରି ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ । ଏପରିକି ଆଉ କେବେ ନିଜ ଛୁଆଙ୍କୁ ଦେଖିପାରିବନି ବୋଲି ସ୍ୱାମୀଙ୍କ ପାଖକୁ ବାର୍ତ୍ତା ବି ପଠାଇଦେଲେ।
ଏହାପରେ କ୍ରିଷ୍ଟିୟାନ ନିଜ ପିଲାମାନଙ୍କୁ ନିଶା ଦ୍ରବ୍ୟ ଖୁଆଇ ଅଚେତ କରି ସେମାନଙ୍କୁ ବାଥଟବ୍ରେ ବୁଡ଼ାଇ ଅଣନିଶ୍ୱାସ କରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ପରେ କ୍ରିଷ୍ଟିୟାନ ସେମାନଙ୍କ ଶରୀରକୁ ଟାୱେଲରେ ଗୁଡ଼ାଇ ଖଟ ଉପରେ ରଖିଦେଇଥିଲେ। ଏହି ସମୟରେ ବଡ ପୁଅ ବାହାରେ ଥିବାରୁ ସେ ସୌଭାଗ୍ୟବଶତଃ ବଂଚିଯାଇଥିଲେ ।
ପିଲାମାନଙ୍କୁ ହତ୍ୟା କରିବା ପରେ କ୍ରିଷ୍ଟିୟାନ ଆତ୍ମହତ୍ୟା କରିବା ପାଇଁ ନିକଟରେ ଥିବା ରେଲୱେ ଷ୍ଟେସନରେ ଟ୍ରେନ ଆଗକୁ ଡେଇଁପଡିଥିଲେ, କିନ୍ତୁ ସେ ବଞ୍ଚି ଯାଇଥିଲେ। ସମ୍ପ୍ରତି କୋର୍ଟ କ୍ରିଷ୍ଟିୟାନଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଶୁଣାଣି ସମୟରେ କୋର୍ଟ ୪୦ ରୁ ଅଧିକ ସାକ୍ଷୀଙ୍କ ବୟାନ ଶୁଣିଥିଲେ। କୋର୍ଟ ତାଙ୍କ ଏକମାତ୍ର ବଞ୍ଚିଥିବା ପୁଅର ଯତ୍ନ ପାଇଁ ଜେଜେମା’ଙ୍କ ପାଖକୁ ପଠାଇଦେଇଛନ୍ତି।