ନୂଆଦିଲ୍ଲୀ: ଆଜିଠାରୁ ଭାରତୀୟ ସାମଗ୍ରୀ ଉପରେ ଲାଗିଛି ୫୦% ଟ୍ରମ୍ପ ଟାରିଫ୍ । ଭାରତରୁ ଆମେରିକାକୁ ପଠାଯାଉଥିବା ସାମଗ୍ରୀ ଉପରେ ଆମେରିକା ପ୍ରଶାସନ ଏହି ଶୁଳ୍କ ଆଦାୟ ଆରମ୍ଭ କରିଛି। ଆମେରିକା ରାଷ୍ଟ୍ରପତି ଡେ଼ାନାଲ୍ଡ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁଁ ଭାରତର ପ୍ରାୟ ୪୮ ବିଲିୟନ ଡଲାର ମୂଲ୍ୟର ରପ୍ତାନି ପ୍ରଭାବିତ ହେବ ବୋଲି ଅର୍ଥନୀତିଜ୍ଞ ଓ ବାଣିଜ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଦେଶର ୩୦ ଲକ୍ଷରୁ ଅଧିକ ନିଯୁକ୍ତି ସଙ୍କଟର ସମ୍ମୁଖୀନ ହୋଇଛି। ବିଶେଷକରି ଏହା ରପ୍ତାନୀ ପାଇଁ ଉଦ୍ଦିଷ୍ଟ ନିଯୁକ୍ତିଭିତ୍ତିକ ଶିଳ୍ପଗୁଡ଼ିକୁ ଅଧିକ ପ୍ରଭାବିତ କରିବ। ଇଞ୍ଜିନିଅରିଂ ସାମଗ୍ରୀ, ଅଳଙ୍କାର, ବୟନଶିଳ୍ପ, ଫର୍ଣ୍ଣିଚର, ଅଟୋ ଯନ୍ତ୍ରାଂଶ ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନି ଏହାଦ୍ୱାରା ଭୀଷଣ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି ।
ଅଗଷ୍ଟ ୭ରୁ ଆମେରିକା ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଥିଲା। ଏବେ ସର୍ବମୋଟ ଭାରତ ଉପରେ ୫୦%ର ଏକ ଭାରି ଶୁଳ୍କ ଲାଗୁ କରାଯାଇଛି। ଏଥିଯୋଗୁ ଭାରତୀୟ ରପ୍ତାନିକାରୀମାନଙ୍କୁ ଏକ ବଡ଼ ଝଟକା ଲାଗିପାରେ। କାରଣ ଆମେରିକା ଭାରତୀୟ ରପ୍ତାନି ପାଇଁ ଏକ ପ୍ରମୁଖ ବଜାର। ଏହି ପଦକ୍ଷେପ ଭାରତର ଅଭିବୃଦ୍ଧିକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ବଜାର ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଭାରତ ସରକାର ଏବେ କ୍ଷତିକୁ ହ୍ରାସ କରିବା ପାଇଁ ବିକଳ୍ପ ବଜାର ଏବଂ ରଣନୈତିକ ସହଭାଗିତା ଅନୁସନ୍ଧାନରେ ରହିଛନ୍ତି। ଏଥିପାଇଁ କେତେ ଦିନ ଲାଗିଯିବ, ତାହା କହିବା ସହଜ ନୁହେଁ।
ଗ୍ଲୋବାଲ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ (ଜିଟିଆରଆଇ) ଅନୁସାରେ ଭାରତ ପ୍ରତି ବର୍ଷ ଆମେରିକାକୁ ପାଖାପାଖି ୮୬.୫ ବିଲିୟନ ଡଲାରର ରପ୍ତାନୀ କରିଥାଏ। ଏହାର ପାଖାପାଖି ଦୁଇ ତୃତୀୟାଂଶ ଅର୍ଥାତ୍ ପାଖାପାଖି ୬୦.୨ ବିଲିୟନ ଡଲାର ସାମଗ୍ରୀ ଉପରେ ୫୦% ଶୁଳ୍କ ଲାଗିବ। ତେଣୁ ସରକାରୀ ଅନୁମାନ ୪୮.୨ ବିଲିୟନ ଡଲାର ରପ୍ତାନୀ ଉପରେ ଏହି ଟାରିଫର ପ୍ରଭାବ ପଡିବା ଅନୁମାନ କରାଯାଉଛି। ଏଥିରେ ବୟନଶିଳ୍ପ, ଚିଙ୍ଗୁଡ଼ି, ଚମଡ଼ା, ହୀରା, ଅଳଙ୍କାର ଓ ଫର୍ଣ୍ଣିଚର କ୍ଷେତ୍ର ଅନ୍ତର୍ଭୁକ୍ତ। ଦେଶର ପ୍ରମୁଖ ବାଣିଜ୍ୟ ସଂଗଠନ ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ)ର ଅଧ୍ୟକ୍ଷ ବ୍ରିଜେଶ ଗୋୟଲ କହିଛନ୍ତି ଯେ ଏହି ଶୁଳ୍କ ଭାରତର ବୟନଶିଳ୍ପ, ଚମଡା, ରତ୍ନ ଏବଂ ଅଳଙ୍କାର, ଅଟୋ ପାର୍ଟସ୍, ରାସାୟନିକ ପଦାର୍ଥ, ଔଷଧ, ସାମୁଦ୍ରିକ ଖାଦ୍ୟ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ପାଇଁ ଏକ ବଡ଼ ଆଘାତ। ଏହି କ୍ଷେତ୍ରଗୁଡ଼ିକରେ ପ୍ରାୟ ସାଢ଼େ ୪ କୋଟି ଲୋକ କାମ କରୁଥିବା ବେଳେ ଏବେ ୩୦ ଲକ୍ଷରୁ ଅଧିକ ଶ୍ରମିକଙ୍କ ଉପରେ ତତକ୍ଷଣାତ୍ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି। ବର୍ଦ୍ଧିତ ଶୁଳ୍କ ଯୋଗୁଁ ଆମେରିକୀୟ ବଜାରରେ ଭାରତୀୟ ସାମଗ୍ରୀ ପ୍ରାୟ ୩୫% ମହଙ୍ଗା ହୋଇଯିବ। ଏପରି ପରିସ୍ଥିତିରେ, ଆମେରିକୀୟ କ୍ରେତା ଭାରତ ପରିବର୍ତ୍ତେ ଚୀନ୍, ଭିଏତନାମ, କାମ୍ବୋଡିଆ ଓ ବାଂଲାଦେଶ ଭଳି ଦେଶରୁ ସାମଗ୍ରୀ କିଣିବାକୁ ପସନ୍ଦ କରିବେ। ଭାରତୀୟ ସାମଗ୍ରୀର ରପ୍ତାନୀ ପାଇଁ ସରକାର ଆମେରିକାର ଯେଉଁ ବିକଳ୍ପ ଖୋଜୁଛନ୍ତି, ସେଥିରୁ ଭାରତୀୟ ଶିଳ୍ପ ବିଶେଷ ଲାଭବାନ ହେବନାହିଁ ବୋଲି ବ୍ୟବସାୟୀମାନେ କହୁଛନ୍ତି। ସଙ୍କଟ ଆଉ କେତେ ଦିନ ଲାଗି ରହିବ, ତାହା ସ୍ପଷ୍ଟ ହେଉନଥିବାରୁ ଏହି ଶିଳ୍ପ ବନ୍ଦ ହେବାକୁ ବେଶି ଦିନ ଲାଗିବ ନାହିଁ।