ଇମ୍ଫାଲ: ମଣିପୁରରେ ଥମୁନି ହିଂସା । ମୈତୀ ଓ କୁକୀ ସମ୍ପ୍ରଦାୟ ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇ ୩ ଜଣଙ୍କ ଜୀବନ ଯାଇଛି । ରାଜ୍ୟର ବିଷ୍ଣୁପୁର ଜିଲ୍ଲାରେ ଶୁକ୍ରବାର ରାତିରେ ଘଟିଛି ଏହି ହିଂସା । ମୃତକମାନେ ମୈତେଇ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି ।
ଦୁର୍ବୃତ୍ତମାନେ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ବଫର ଜୋନ ପାର୍ କରି କିଛି ଲୋକ ମୈତି ସମ୍ପ୍ରଦାୟ ଇଲାକାରେ ପ୍ରବେଶ କରି ଏପରି ନାରକୀୟ କାଣ୍ଡ ଘଟାଇଥିବା ଜଣାଯାଇଛି । ପୋଲିସ ସୂଚନା ଅନୁଯାୟୀ ବିଷ୍ଣୁପୁରର କ୍ୱାକଟା ଅଞ୍ଚଳରେ ମୈତେଇ ସମ୍ପ୍ରଦାୟର ବଫର ଜୋନରେ ପଶି କିଛି ଲୋକ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବାପ-ପୁଅ ଥିବା ଜଣାପଡିଛି ।
ଗତକାଲି ମଧ୍ୟ ବିଷ୍ଣୁପୁରରେ ଏକ ଭିଡ଼ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି)ର ମୁଖ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ବହୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ ।