ସ୍ୱାମୀକୁ ପକୋଡ଼ା ଆଣିବାକୁ ପଠାଇ ବସ୍‌ରୁ ଫେରାର୍ ହେଲା ନବବଧୂ, ପ୍ରେମିକ ସହ ପଳାଇଥିବା ସନ୍ଦେହ

ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ନବବଧୂ ନିଜ ସ୍ୱାମୀଙ୍କୁ ବସ୍‌ରୁ ତଳକୁ ପକୋଡ଼ା ଆଣିବାକୁ ପଠାଇ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ସ୍ୱାମୀ ପକୋଡ଼ା ଧରି ଫେରିବା ବେଳକୁ ସ୍ତ୍ରୀ ନିଜ ସିଟ୍‌ରେ ନଥିଲେ। ପରିବାର ଲୋକଙ୍କ ସନ୍ଦେହ ଯେ, ମହିଳା ଜଣକ ନିଜ ପ୍ରେମିକ ସହ ଫେରାର୍ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି।

ହୋଲି ମନାଇବାକୁ ଯାଇଥିଲେ ବାପଘର

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଆମରୋହା ଜିଲ୍ଲାର ପୀତମ ସିଂହ ଗତ ୧ ଡିସେମ୍ବର ୨୦୨୫ ରେ ରାମପୁର ଜିଲ୍ଲାର ରିମ୍‌ଝିମ୍ (୧୮) ଙ୍କୁ ବିବାହ କରିଥିଲେ। ହୋଲି ପର୍ବ ପାଳନ କରିବା ପାଇଁ ରିମ୍‌ଝିମ୍ ପ୍ରାୟ ଏକ ସପ୍ତାହ ପୂର୍ବରୁ ନିଜ ବାପଘରକୁ ଯାଇଥିଲେ। ଗତ ୯ ମାର୍ଚ୍ଚ ୨୦୨୬ ରେ ପୀତମ ନିଜ ସ୍ତ୍ରୀଙ୍କୁ ଆଣିବା ପାଇଁ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଉଭୟ ପ୍ରଥମେ ସୈଫନୀରୁ ବିଲାରୀ ଅଭିମୁଖେ ବସ୍‌ରେ ଯାତ୍ରା କରିଥିଲେ ଏବଂ ପରେ ବିଲାରୀ ବସ୍ ଷ୍ଟାଣ୍ଡରୁ ମୁରାଦାବାଦ ଯିବା ପାଇଁ ଅନ୍ୟ ଏକ ବସ୍‌ରେ ବସିଥିଲେ।

ପକୋଡ଼ା ଆଣିବାକୁ ଗଲେ ସ୍ୱାମୀ, ସ୍ତ୍ରୀ ଗାଏବ

ଦିନ ପ୍ରାୟ ୨ଟା ସମୟରେ ବସ୍‌ଟି ବିଲାରୀ ବସ୍ ଷ୍ଟାଣ୍ଡରେ ଅଟକିଥିଲା। ଏହି ସମୟରେ ରିମ୍‌ଝିମ୍ ପକୋଡ଼ା ଖାଇବାକୁ ଇଚ୍ଛା ପ୍ରକାଶ କରିବା ସହ ସାମ୍ନାରେ ଗରମ ପକୋଡ଼ା ଛଣାଇ ଆଣିବାକୁ ସ୍ୱାମୀଙ୍କୁ କହିଥିଲେ। ସ୍ତ୍ରୀଙ୍କ କଥା ମାନି ପୀତମ ପାଖରେ ଥିବା ଏକ କ୍ୟାଣ୍ଟିନ୍‌କୁ ପକୋଡ଼ା ଏବଂ ପାଣି ଆଣିବା ପାଇଁ ଯାଇଥିଲେ। କିନ୍ତୁ କିଛି ସମୟ ପରେ ସେ ଯେତେବେଳେ ଖାଦ୍ୟ ଧରି ବସ୍‌କୁ ଫେରିଲେ, ସେତେବେଳେ ସେଠାରେ ତାଙ୍କ ସ୍ତ୍ରୀ ନଥିଲେ। ସେ ତୁରନ୍ତ ତାଙ୍କ ମୋବାଇଲ୍‌କୁ ଫୋନ୍ କରିଥିଲେ, କିନ୍ତୁ ତାହା ସୁଇଚ୍ ଅଫ୍ ଥିଲା।

ପ୍ରେମିକ ସହ ଫେରାର୍ ହୋଇଥିବା ନେଇ ଥାନାରେ ଅଭିଯୋଗ

ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଯେ, ରିମ୍‌ଝିମ୍ କାହା ସହ ଫୋନ୍‌ରେ କଥା ହେଉଥିଲେ ଏବଂ ତା'ପରେ ବସ୍‌ରୁ ତଳକୁ ଓହ୍ଲାଇ କୁଆଡ଼େ ପଳାଇଥିଲେ। ବସ୍ ଷ୍ଟାଣ୍ଡ ଏବଂ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ନିରାଶ ହୋଇ ପୀତମ ବିଲାରୀ ଥାନାରେ ଏକ ନିଖୋଜ ଅଭିଯୋଗ ରୁଜୁ କରିଛନ୍ତି। ଅଭିଯୋଗରେ ସେ ସନ୍ଦେହ ପ୍ରକାଶ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ବାପଘର ଗାଁର ଇମ୍ରାନ୍ ନାମକ ଜଣେ ଯୁବକଙ୍କ ସହ ଫେରାର୍ ହୋଇଯାଇଛନ୍ତି। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ କରି ମହିଳାଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରଖିଛି।

About The Author: Suryakanta