ମଙ୍ଗଳପୃଷ୍ଠରେ ନାସାର ଗବେଷଣାକାରୀ ରୋଭର୍, ସଫଳତା ପଛରେ ଭାରତୀୟ ବଂଶୋଦ୍ଭବ ସ୍ବାତୀ

ନୂଆଦିଲ୍ଲୀ: ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସାର ମଙ୍ଗଳ ଅଭିଯାନ ସଫଳ ହୋଇଛି। ମଙ୍ଗଳ ଗ୍ରହ ସମ୍ପର୍କରେ ଅଧିକ ଗବେଷଣା କରିବା ଉଦ୍ଦେଶ୍ୟରେ ନାସା ପକ୍ଷରୁ ପ୍ରାୟ ୭ ମାସ ତଳେ ଉତ୍‌କ୍ଷେପଣ ହୋଇଥିବା ‘ପ୍ରିଜରଭେନ୍ସ ରୋଭର’ ଗୁରୁବାର ରାତି ପ୍ରାୟ ୨ଟା ୩୦ ମିନିଟ୍ରେ ମଙ୍ଗଳପୃଷ୍ଠରେ ସଫଳତାର ସହ ଅବତରଣ କରିଛି। ମଙ୍ଗଳ ଗ୍ରହର ବାୟୁମଣ୍ଡଳ ଛୁଇଁବା ପୂର୍ବରୁ ଏହାକୁ ପୃଥିବୀ ପୃଷ୍ଠରୁ ୪୭୨ ନିୟୁତ କିମି ଅତିକ୍ରମ କରିବାକୁ ପଡ଼ିଛି। ଘଣ୍ଟାକୁ ପ୍ରାୟ ୧୯ […]

ନୂଆଦିଲ୍ଲୀ: ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସାର ମଙ୍ଗଳ ଅଭିଯାନ ସଫଳ ହୋଇଛି। ମଙ୍ଗଳ ଗ୍ରହ ସମ୍ପର୍କରେ ଅଧିକ ଗବେଷଣା କରିବା ଉଦ୍ଦେଶ୍ୟରେ ନାସା ପକ୍ଷରୁ ପ୍ରାୟ ୭ ମାସ ତଳେ ଉତ୍‌କ୍ଷେପଣ ହୋଇଥିବା ‘ପ୍ରିଜରଭେନ୍ସ ରୋଭର’ ଗୁରୁବାର ରାତି ପ୍ରାୟ ୨ଟା ୩୦ ମିନିଟ୍ରେ ମଙ୍ଗଳପୃଷ୍ଠରେ ସଫଳତାର ସହ ଅବତରଣ କରିଛି। ମଙ୍ଗଳ ଗ୍ରହର ବାୟୁମଣ୍ଡଳ ଛୁଇଁବା ପୂର୍ବରୁ ଏହାକୁ ପୃଥିବୀ ପୃଷ୍ଠରୁ ୪୭୨ ନିୟୁତ କିମି ଅତିକ୍ରମ କରିବାକୁ ପଡ଼ିଛି। ଘଣ୍ଟାକୁ ପ୍ରାୟ ୧୯ ହଜାର କିମି ବେଗରେ ଗତି କରୁଥିବା ଏହି ରୋବଟିକ୍ ଭେଇକିଲ ମଙ୍ଗଳପୃଷ୍ଠରେ ଅବତରଣ ବେଳେ ନିଜର ଗତିକୁ ନିୟନ୍ତ୍ରିତ କରିବା ସହିତ ସଫଳତାର ସହ ଅବତରଣ କରିଛି। ତେବେ ଏହି ଗବେଷଣାକାରୀ ରୋଭର୍ ଅବତରଣ କରିବା ମାତ୍ରେ ସେଠାରୁ ସୂଚନା ପ୍ରଦାନ କରିବା ସହିତ ମଙ୍ଗଳପୃଷ୍ଠର ଫଟୋ ପଠାଇଥିବାରୁ ନାସା ବୈଜ୍ଞାନିକମାନଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳିଯାଇଛି। ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳପୃଷ୍ଠରେ ଜୀବନ ସନ୍ଧାନ କରିବା ଉଦ୍ଦେଶ୍ୟରେ ନାସା ପକ୍ଷରୁ ଲଗାତର ଅଭିଯାନ ଚଳାଯାଇ ଆସିଥିବା ବେଳେ ସର୍ବାଧିକ ରୋଭର ପଠାଇବାରେ ଆମେରିକାର ଏହି ସଂସ୍ଥା ବିଶ୍ୱସ୍ତରରେ ସବୁଠୁ ଆଗରେ ରହିଛି। ଏହି ଅଭିଯାନରେ ମଙ୍ଗଳପୃଷ୍ଠର ମାଟି ଏବଂ ଅନ୍ୟାନ୍ୟ ପଦାର୍ଥ ସମ୍ପର୍କରେ ଗବେଷଣା କରାଯିବା ସହିତ ଜୀବନ ସନ୍ଧାନ ସମ୍ପର୍କରେ ମଧ୍ୟ ତଥ୍ୟ ଗ୍ରହଣ କରିବାକୁ ନାସା ବୈଜ୍ଞାନିକମାନେ ଲକ୍ଷ୍ୟ ରଖିଛନ୍ତି।

ସଫଳତା ପଛରେ ଭାରତୀୟ ବଂଶୋଦ୍ଭବ ସ୍ବାତୀ

ଦୀର୍ଘ ସାତ ମାସ ମହାକାଶରେ ଯାତ୍ରା କରିବା ପରେ ଗୁରୁବାର ବିଳମ୍ବିତ ରାତିରେ ନାସାର ରୋଭର ମଙ୍ଗଳ ପୃଷ୍ଠରେ ଅବତରଣ କରିଛି। ଏହାକୁ ନେଇ ଭାରତୀୟମାନେ ଗର୍ବିତ ହେବା ସହିତ ଖୁସି ମଧ୍ୟ ହୋଇଛନ୍ତି। କାରଣ ନାସାର ଏହି ସଫଳତା ପଛରେ ଭାରତୀୟ ବଂଶୋଦ୍ଭବ ଡ. ସ୍ବାତୀ ମୋହନଙ୍କ ହାତ ରହିଛି। ସେ ଭର୍ଚୁଆଲ ମାଧ୍ୟମରେ ଏହି ମିଶନର ନେତୃତ୍ବ ନେଇଥିଲେ। ସେ ପ୍ରଥମେ ମଙ୍ଗଳ ପୃଷ୍ଠରେ ରୋଭର ଲ୍ୟାଣ୍ଡିଂ ହୋଇଥିବା ସ୍ପଷ୍ଟ କରିଥିଲେ। ସ୍ବାତୀ ଗାଇଡାନ୍ସ ଆଣ୍ଡ କଣ୍ଟ୍ରୋଲ୍ସ ଅପରେସନର ନେତୃତ୍ବ ନେଇ ପ୍ରିଜରଭାନ୍ସର ପ୍ରତ୍ୟେକ ପର୍ଯ୍ୟାୟ ସୂଚନା ଦେବା ଆରମ୍ଭ କରିବା ସମୟରେ ଭାରତୀୟମାନେ ଗର୍ବିତ ଅନୁଭବ କରିଥିଲେ। ପ୍ରିଜରଭାନ୍ସର ଲ୍ୟାଣ୍ଡି ସମୟରେ ସେ ଜେଟ ପ୍ରପଲସନ ଲାବୋରାଟୋରିରୁ ଲାଇଭ କମେଣ୍ଟ୍ରି କରୁଥିଲେ ଏବଂ ସାରା ବିଶ୍ବକୁ ପ୍ରତ୍ୟେକ ସୂଚନା ପ୍ରଦାନ କରୁଥିଲେ। ଏକ ବର୍ଷ ବୟସରେ ଭାରତରୁ ଆମେରିକା ଯାଇଥିବା ସ୍ବାତୀ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ଏରୋନେଟିକ୍ସ ଏବଂ ଏଷ୍ଟ୍ରୋନୋଟିକ୍ସରେ ପିଏଚଡି କରିଛନ୍ତି। ସେ ମଙ୍ଗଳ ପୂର୍ବରୁ ଶନିର କାସିନି ଏବଂ ଚନ୍ଦ୍ରର ଗ୍ରେଲ ମିଶନ ପାଇଁ କାମ କରିଥିଲେ। ସେ ୨୦୧୩ରେ ପ୍ରିଜରଭାନ୍ସ ମିଶନରେ ସାମିଲ ହୋଇଥିଲେ। ସ୍ବାତୀ କହିଛନ୍ତି ଯେ ଏଠାରେ ମନୁଷ୍ୟର ଚିନ୍ତାଧାରାକୁ ବୁଝିବା ପାଇଁ ପ୍ରୟାସ କରାଯାଉଛି ଏବଂ କିଛି ନୂଆ କରିବାକୁ ପ୍ରଚେଷ୍ଟା ଚାଲିଛି। ଏଠାରେ କାମ କରିବା ସମ୍ମାନର ବିଷୟ। ପିଲାବେଳେ ଟିଭି ସିରିଜ ଷ୍ଟାର ଟ୍ରେକର ପ୍ରଥମ ଅଧ୍ୟାୟକୁ ଦେଖି ତାଙ୍କ ମନରେ ବ୍ରହ୍ମାଣ୍ଡର ଅଜ୍ଞାତ କୋଣ ବିଷୟରେ ଜାଣିବା ପାଇଁ କୌତୁହଳ ସୃଷ୍ଟି ହୋଇଥିଲା। ପରେ ସେ ଏ ବିଷୟରେ ଅଧିକ ଜାଣିବାକୁ ଚାହିଁଥିଲେ। ସେ ପ୍ରଥମେ ଶିଶୁ ରୋଗ ବିଶେଷଜ୍ଞ ହେବାକୁ ଚାହୁଁଥିଲେ। ତେବେ ୧୬ ବର୍ଷ ବୟସରେ ଏକ ଫିଜିକ୍ସ କ୍ଲାସ ତାଙ୍କ ଜୀବନ ବଦଳାଇ ଦେଇଥିଲା। ଶିକ୍ଷକ ବୁଝାଇବା ପରେ ସେ ଇଞ୍ଜିନିୟରିଂ କରିବାକୁ ମନସ୍ଥ କରିଥିଲେ ଏବଂ ପରେ ମହାକାଶ ଗବେଷଣାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ।

About The Author: The Sakala