ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ ଫର ଜଷ୍ଟିସ୍ (ଏସ୍ଏଫଜେ)ର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କ ବିରୋଧରେ ଏନଆଇଏ ନେଇଛି ବଡ଼ ଆକ୍ସନ । ଅମୃତସର ଓ ଚଣ୍ଡିଗଡ଼ରେ ଥିବା ପନ୍ନୁଙ୍କ ସମ୍ପତ୍ତି ଜବତ କରିଛି ଏନଆଇଏ । ଏହାଛଡ଼ା ଚଣ୍ଡୀଗଡ଼ ସ୍ଥିତ ତାର ଘର ମଧ୍ୟ ଜବତ ହୋଇଛି। ୨୦୨୦ ପୂର୍ବରୁ ମଧ୍ୟ ପନ୍ନୁଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ପନ୍ନୁ ବର୍ତ୍ତମାନ ଆମେରିକାରେ ରହି ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇଛି।
ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ଅମୃତସର ଜିଲ୍ଲା ଉପକଣ୍ଠରେ ଥିବା ପନ୍ନୁଙ୍କ ପୈତୃକ ଗ୍ରାମ ଖାନକୋଟରେ ୪୬ କେନାଲ କୃଷି ସମ୍ପତ୍ତି ବି ରହିଛି। ଏନଆଇଏ ଦ୍ୱାରା ଜବତ ହୋଇଥିବା ପନ୍ନୁର ଆଉ ଏକ ସମ୍ପତ୍ତି ହେଉଛି ଚଣ୍ଡିଗଡ଼ର ସେକ୍ଟର ୧୫-ସିରେ ଥିବା ତାଙ୍କ ଘର ନମ୍ବର ୨୦୩୩ । ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଚାରି ମେଟ୍ରୋ ଷ୍ଟେସନରେ ଖଲିସ୍ତାନ ସପକ୍ଷ ସ୍ଲୋଗାନ ଲେଖାଯାଇଥିଲା । ପନ୍ନୁଙ୍କ ନିର୍ଦ୍ଦେଶରେ ହିଁ ପଞ୍ଜାବର କିଛି ଖଲିସ୍ତାନ ସମର୍ଥକ ଏଭଳି ସ୍ଲୋଗାନ ଲେଖିଥିଲେ ବୋଲି କୁହାଯାଉଛି ।
ଉଭୟ କାନାଡା ଓ ଆମେରିକାର ନାଗରିକତା ନେଇଥିବା ପନ୍ନୁ ନିୟମିତ ଭାବେ ଭାରତ ବିରୋଧୀ ପ୍ରଚାର ଚଳାଇଥାଏ । ବିଦେଶରେ ଥିବା ଭାରତୀୟ ଦୂତାବାସ ଓ କନସୁଲେଟ ଆକ୍ରମଣ ପଛରେ ବି ପନ୍ନୁର ହାତ ଥିବା ଏନଆଇଏ କହିଛି । ଆତଙ୍କବାଦ ଓ କାନାଡା ସମେତ ବିଦେଶରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କ ବିରୋଧରେ ଚାଲିଥିବା ଅଭିଯାନକୁ ଏହା ବୁଷ୍ଟ ଯୋଗାଇବ ବୋଲି ଏନଆଇଏ କହିଛି । ସମ୍ପତ୍ତି ଅଧିଗ୍ରହଣ କରିବା ପାଇଁ ମୋହାଲିର ଏସଏଏସ ନଗରରେ ଥିବା ସ୍ୱତନ୍ତ୍ର ଏନଆଇଏ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ସମ୍ପତ୍ତିଗୁଡ଼ିକ ସରକାରଙ୍କ ଖାତକୁ ଚାଲି ଯାଇଛି।”