ମିସ୍ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆରୁ ସେନା ଅଧିକାରୀ: ହାର୍ଭାର୍ଡ ପିଏଚଡି ଛାଡି ସେନାରେ ଲେଫ୍ଟନାଣ୍ଟ୍ ହେଲେ କଶିଶ୍ ମେଥୱାନୀ

ଗ୍ଲାମର ଏବଂ ଫ୍ୟାସନ ଦୁନିଆକୁ ପଛରେ ପକାଇ ଦେଶ ସେବା ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି କଶିଶ୍ ମେଥୱାନୀମିସ୍ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆ ୨୦୨୩ (Miss International India 2023) ର ବିଜେତା କଶିଶ୍ ବର୍ତ୍ତମାନ ଭାରତୀୟ ସେନାରେ ଜଣେ ଲେଫ୍ଟନାଣ୍ଟ୍ ଭାବରେ ଯୋଗ ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସେ ଆମେରିକାର ପ୍ରସିଦ୍ଧ ହାର୍ଭାର୍ଡ ୟୁନିଭର୍ସିଟିରୁ ମିଳିଥିବା ପିଏଚଡି (PhD) ଅଫରକୁ ପ୍ରତ୍ୟାଖ୍ୟାନ କରି ସେନାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ।

ଗ୍ଲାମର ଦୁନିଆରୁ ସେନା ବର୍ଦ୍ଦି

୯ ଜାନୁଆରୀ ୨୦୦୧ ରେ ମୁମ୍ବାଇ ନିକଟସ୍ଥ ଉଲ୍ହାସନଗରରେ ଜନ୍ମଗ୍ରହଣ କରିଥିବା କଶିଶ୍ ଙ୍କ ପିଲାଦିନ ପୁଣେରେ ବିତିଥିଲା। ୨୦୨୩ ମସିହାରେ ସେ ମିସ୍ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆ ମୁକୁଟ ପିନ୍ଧିଥିଲେ। ଏହି ସଫଳତା ପରେ ତାଙ୍କ ପାଖରେ ମଡେଲିଂ ଏବଂ ଆକ୍ଟିଂ ପାଇଁ ଅନେକ ଅଫର ଆସିଥିଲା, କିନ୍ତୁ ସେ ସବୁକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ୨୦୨୪ ରେ ସିଡିଏସ୍ (CDS) ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କ୍ ୨ (AIR 2) ହାସଲ କରିଥିଲେ। ଚେନ୍ନାଇ ସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀ (OTA) ରେ ୧୧ ମାସର କଠିନ ପ୍ରଶିକ୍ଷଣ ପରେ ତାଙ୍କୁ ଗତ ୬ ସେପ୍ଟେମ୍ବର ୨୦୨୫ ରେ ଭାରତୀୟ ସେନାର ଏୟାର ଡିଫେନ୍ସ ରେଜିମେଣ୍ଟରେ ଲେଫ୍ଟନାଣ୍ଟ୍ ଭାବେ ନିଯୁକ୍ତି ମିଳିଛି।

ହାର୍ଭାର୍ଡରୁ ମିଳିଥିଲା ପିଏଚଡି ଅଫର୍

ଶିକ୍ଷା କ୍ଷେତ୍ରରେ ମଧ୍ୟ କଶିଶ୍ ଅତ୍ୟନ୍ତ ମେଧାବୀ ଅଟନ୍ତି। ସେ ସାବିତ୍ରୀବାଈ ଫୁଲେ ପୁଣେ ୟୁନିଭର୍ସିଟିରୁ ବାୟୋଟେକ୍ନୋଲୋଜିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଏହା ସହିତ ସେ ବେଙ୍ଗାଲୁରୁ ସ୍ଥିତ ପ୍ରତିଷ୍ଠିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ରେ ନ୍ୟୁରୋସାଇନ୍ସ ଉପରେ ଏକ ଥିସିସ୍ ମଧ୍ୟ ସମ୍ପୂର୍ଣ୍ଣ କରିଛନ୍ତି। ତାଙ୍କର ଏହି ଶିକ୍ଷାଗତ ଯୋଗ୍ୟତା ପାଇଁ ତାଙ୍କୁ ହାର୍ଭାର୍ଡ ୟୁନିଭର୍ସିଟିରୁ ପିଏଚଡି କରିବାର ସୁଯୋଗ ମିଳିଥିଲା, କିନ୍ତୁ ଦେଶ ସେବାର ନିଶା ଆଗରେ ସେ ଏହି ସୁଯୋଗକୁ ହାତଛଡ଼ା କରିଥିଲେ।

ଏନସିସିରୁ ମିଳିଥିଲା ପ୍ରେରଣା

ସେନା ପ୍ରତି ତାଙ୍କର ଆଗ୍ରହ ଏନସିସି (NCC) ରେ ଥିବା ବେଳେ ଆରମ୍ଭ ହୋଇଥିଲା। ୨୦୨୧ ଜାନୁଆରୀରେ ସେ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ତାଙ୍କୁ ଅଲ୍ ଇଣ୍ଡିଆ ବେଷ୍ଟ କ୍ୟାଡେଟ୍ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଘଟଣା ତାଙ୍କ ଜୀବନର ଦିଗ ବଦଳାଇ ଦେଇଥିଲା ଏବଂ ସେ ସେନାରେ ଯୋଗ ଦେବାକୁ ଦୃଢ଼ ନିଶ୍ଚୟ କରିଥିଲେ।

ବହୁମୁଖୀ ପ୍ରତିଭାର ଅଧିକାରୀ

ସେନା ଅଧିକାରୀ ହେବା ବ୍ୟତୀତ କଶିଶ୍ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ। ସେ ଜଣେ ଭଲ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ, ତବଲା ବାଦକ ଏବଂ ଜାତୀୟ ସ୍ତରର ପିସ୍ତଲ ସୁଟର୍ ଅଟନ୍ତି। ଏହା ଛଡ଼ା କରୋନା ମହାମାରୀ ସମୟରେ ୨୦୨୦ ମସିହାରେ ସେ କ୍ରିଟିକାଲ୍ କଜ୍ (Critical Cause) ନାମକ ଏକ ଏନଜିଓ (NGO) ଗଠନ କରି ରକ୍ତ, ପ୍ଲାଜମା ଏବଂ ଅଙ୍ଗଦାନ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ତାଙ୍କ ପିତା ଡକ୍ଟର ଗୁରମୁଖ ଦାସ ମେଥୱାନୀ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଣେ ବରିଷ୍ଠ ବୈଜ୍ଞାନିକ ଭାବରେ କାର୍ଯ୍ୟ କରିଥିବା ବେଳେ, ତାଙ୍କ ମାଆ ଶୋଭା ମେଥୱାନୀ ଆର୍ମି ପବ୍ଲିକ୍ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଥିଲେ।

About The Author: Suryakanta