ଇତିହାସ ରଚିଲା ଇସ୍ରୋ: ଲଞ୍ଚ୍ ହେଲା ବ୍ଲୁ ବାର୍ଡ-ବ୍ଲକ୍-୨ ସାଟେଲାଇଟ୍, ମହାକାଶରୁ ମିଳିବ ମୋବାଇଲ ଇଣ୍ଟରନେଟ୍ ସେବା

ନୂଆଦିଲ୍ଲୀ: ଇତିହାସ ରଚିଲା ଇସ୍ରୋ । ଲଞ୍ଚ୍ ହେଲା ବ୍ଲୁ ବାର୍ଡ-ବ୍ଲକ୍-୨ ସାଟେଲାଇଟ୍ । ଶ୍ରୀହରିକୋଟାରୁ ସଫଳ ଉତକ୍ଷେପଣ କଲା ଇସ୍ରୋ । ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ସ୍ଥାପନ ହେବ ନୂଆ ମାଇଲଖୁଣ୍ଟ । ମହାକାଶରୁ ମିଳିବ ହାଇସ୍ପିଡ୍ ମୋବାଇଲ ଇଣ୍ଟରନେଟ୍ ସେବା । ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ବା ଇସ୍ରୋ ଆଜି ସକାଳ ୮ଟା ୫୫ରେ ବାହୁବଳୀ ରକେଟ ଏଲଭିଏମ-୩ରୁ ଆମେରିକୀୟ କମ୍ପାନୀର ଏସଏସଟି ସ୍ପେସ୍ ମୋବାଇଲର ସାଟେଲାଇଟ୍ ଲଞ୍ଚ୍ କରିଛି । ସିଧାସଳଖ ମହାକାଶରୁ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଫିଟିବ ବାଟ । ଯୋଗାଯୋଗ କ୍ଷେତ୍ରରେ ହେବ ବୈପ୍ଳବିକ ପରିବର୍ତ୍ତନ । ୬.୧ ଟନ୍ ଓଜନର ଏହି ବିଶାଳ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବ ଇସ୍ରୋର ବାହୁବଳୀ ରକେଟ୍ ଏଲଭିଏମ୍-୩ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଏହା ଉତକ୍ଷେପଣ ହୋଇଛି ।

ଦୁର୍ବଳ ଇଣ୍ଟରନେଟ୍ ସେବା ମିଳୁଥିବା ସ୍ଥାନକୁ ଉନ୍ନତ ମୋବାଇଲ ବ୍ରଡବ୍ୟାଣ୍ଡ୍ ଯୋଗାଇବା ଲକ୍ଷ୍ୟରେ ତିଆରି କରାଯାଇଛି । ମହାକାଶ ଭିତ୍ତିକ ବ୍ରଡବ୍ୟାଣ୍ଡ୍ ଯୋଗାଯୋଗ ସାହାଯ୍ୟରେ ବିନା କୌଣସି ଟାୱାର କିମ୍ବା ସ୍ବତନ୍ତ୍ର ଉପକରଣରେ ସାଧାରଣ ମୋବାଇଲକୁ ମଧ୍ୟ ୪-ଜି ଓ ୫-ଜି ସେବା ମିଳିପାରିବ । ଅକ୍ଟୋବର ୧୯ରେ ଆମେରିକାରୁ ବିମାନରେ ଭାରତକୁ ଆସିଥିଲା ଏହି ଓଜନିଆ ସାଟେଲାଇଟ୍ ।

About The Author: Madhusudan Das