ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଇରାନ ଉପରେ ଏକ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତେହେରାନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହିତ ଇରାନର ସର୍ବୋଚ୍ଚ ନେତା ଆାୟାତୋଲ୍ଲା ଅଲି ଖାମେନେଇଙ୍କ କାର୍ଯ୍ୟାଳୟ ନିକଟରେ ମଧ୍ୟ ଆକ୍ରମଣ କରାଯାଇଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ‘ପ୍ରତିଷେଧକ’ ଆକ୍ରମଣ ବୋଲି ଦର୍ଶାଇ କହିଛି ଯେ ଦେଶର ସୁରକ୍ଷା ପ୍ରତି ଥିବା ବିପଦକୁ ହଟାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନିୟାହୁ ଏହି ଯୁଗ୍ମ ସାମରିକ ଅଭିଯାନକୁ ‘ଅପରେସନ୍ ଲାୟନ୍ସ ରୋର୍’ ନାମରେ ନାମିତ କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ନେତାନିୟାହୁ କହିଛନ୍ତି ଯେ, "ଇରାନର ଆତଙ୍କବାଦୀ ଶାସନ ଦ୍ୱାରା ସୃଷ୍ଟି ହୋଇଥିବା ଅସ୍ତିତ୍ୱର ସଙ୍କଟକୁ ଦୂର କରିବା ପାଇଁ ଆମେ ଏହି ଅପରେସନ୍ ଆରମ୍ଭ କରିଛୁ।" ଅନ୍ୟପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଭିଡିଓ ବାର୍ତ୍ତାରେ ଇରାନ ସେନା ଓ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) କୁ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, "ଅସ୍ତ୍ର ତ୍ୟାଗ କରନ୍ତୁ ଏବଂ ସମ୍ପୂର୍ଣ୍ଣ ସୁରକ୍ଷା ପାଆନ୍ତୁ, ନଚେତ୍ ନିଶ୍ଚିତ ମୃତ୍ୟୁର ସାମ୍ନା କରନ୍ତୁ।"
ଏହି ଆକ୍ରମଣ ପରେ ଇରାନ ପାଲଟା ଜବାବ ଦେଇ ଇସ୍ରାଏଲ ଆଡକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଫଳରେ ସମଗ୍ର ଇସ୍ରାଏଲରେ ଏୟାର ରେଡ୍ ସାଇରନ୍ ବାଜି ଉଠିଛି ଏବଂ ନାଗରିକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଇସ୍ରାଏଲ ନୁହେଁ, ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟିଗୁଡିକ ଉପରେ ମଧ୍ୟ ଇରାନ ଟାର୍ଗେଟ୍ କରିଥିବା ଖବର ମିଳିଛି। ବାହାରିନ୍, ୟୁଏଇ (ଆବୁଧାବି) ଏବଂ କତାରରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ମିସାଇଲ ମାଡ଼ ହୋଇଥିବା ରିପୋର୍ଟ ଆସିଛି, ଯାହା ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି।