ଦିଲ୍ଲୀରେ ଅଦିନିଆ ରଥ ଗଡ଼ାଇଲା ଇସ୍କନ୍‌ : ଖୁସିବ୍ୟକ୍ତ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଜଗନ୍ନାଥପ୍ରେମୀ ମହଲରେ ବିରୋଧ

ପୁରୀ : ପୁଣି ଅମାନିଆ ହୋଇଛି ଇସ୍କନ। ଏପଟେ ପୁରୀରେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରୁଥିବା ବେଳେ ସପଟେ ଦିଲ୍ଲୀରେ ଗଡ଼ିଛି ରଥ। ଆଉ ଅଦିନିଆ ରଥଯାତ୍ରାରେ ସାମିଲ ହୋଇ ଖୁସିବ୍ୟକ୍ତ କରିଛନ୍ତି ଦିଲ୍ଲୀର ବିଜେପି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଉଭୟ ଦିଲ୍ଲୀ ଓ ଓଡ଼ିଶାରେ ବିଜେପି ସରକାର। ଅଦିନିଆ ରଥଯାତ୍ରାକୁ ନେଇ ହୋହଲ୍ଲା ଚାଲୁଥିବା ବେଳେ ଡବଲ ଇଞ୍ଜିନ୍‌ ସରକାର ବି ଭକ୍ତଙ୍କ ଭାବବେଗକୁ ଆଘାତ ଦେଇଛି ବୋଲି ଏବେ […]

ପୁରୀ : ପୁଣି ଅମାନିଆ ହୋଇଛି ଇସ୍କନ। ଏପଟେ ପୁରୀରେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରୁଥିବା ବେଳେ ସପଟେ ଦିଲ୍ଲୀରେ ଗଡ଼ିଛି ରଥ। ଆଉ ଅଦିନିଆ ରଥଯାତ୍ରାରେ ସାମିଲ ହୋଇ ଖୁସିବ୍ୟକ୍ତ କରିଛନ୍ତି ଦିଲ୍ଲୀର ବିଜେପି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଉଭୟ ଦିଲ୍ଲୀ ଓ ଓଡ଼ିଶାରେ ବିଜେପି ସରକାର। ଅଦିନିଆ ରଥଯାତ୍ରାକୁ ନେଇ ହୋହଲ୍ଲା ଚାଲୁଥିବା ବେଳେ ଡବଲ ଇଞ୍ଜିନ୍‌ ସରକାର ବି ଭକ୍ତଙ୍କ ଭାବବେଗକୁ ଆଘାତ ଦେଇଛି ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପକ୍ଷରେ, ଇସ୍କନର ଏଭଳି ମନମାନିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଇସ୍କନକୁ ବିରୋଧ କରିଛନ୍ତି ଭକ୍ତ ଓ ସେବାୟତ।

ରବିବାର ଦିଲ୍ଲୀ କମଳାନଗରରେ ଆୟୋଜିତ ହୋଇଛି ରଥଯାତ୍ରା। ବିଧି ପରମ୍ପରା ଅନୁସାରେ, ଆଉ ୪ଦିନ ପରେ ରଥଯାତ୍ରା ଥିବା ବେଳେ ଆଜି ଦିଲ୍ଲୀରେ ରଥ ଗଡ଼ିଛି। କ୍ଷୋଭର ବିଷୟ ହେଉଛି, ରବିବାର ପୁରୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରୁଥିବା ବେଳେ ସେପଟେ ଦିଲ୍ଲୀରେ ଗଡ଼ିଛି ରଥ। ଆଉ ସେଥିରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାମିଲ ହୋଇ ଖୁସିବ୍ୟକ୍ତ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ରେଖା ଜଗନ୍ନାଥଙ୍କ ବିଗ୍ରହକୁ କାନ୍ଧରେ ଧରିଥିବା ବେଳେ ତାଙ୍କ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ଯେ କମଳାନଗରରେ ଆୟୋଜିତ ରଥଯାତ୍ରାରେ ସାମିଲ ହୋଇଥିବାରୁ ତାଙ୍କ ଆତ୍ମାକୁ ଅଦ୍ଭୁତ ଶାନ୍ତି, ଉର୍ଜା ଏବଂ ଆନନ୍ଦ ମିଳିଲା। ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଜ୍ୟବାସୀଙ୍କୁ ଆଗୁଆ ରଥଯାତ୍ରାର ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ଦୁଃଖର ବିଷୟ ହେଲା ବିଜେପି ଶାସିତ ଦିଲ୍ଲୀରେ ଅଦିନରେ ରଥ ଗଡ଼ିଛି।

ଅନ୍ୟପକ୍ଷରେ, ଇସ୍କନ ଭାରତବର୍ଷରେ ଅଦିନରେ ରଥଯାତ୍ରା ନ କରିବାକୁ ସହମତି ପ୍ରକାଶ କରିଛି ବୋଲି ଗଜପତି ମହାରାଜା କହୁଥିବା ବେଳେ ଏହି ଅଦିନିଆ ରଥଯାତ୍ରା ଇସ୍କନର ମନମୁଖୀକୁ ପଦାରେ ପକାଇଛି। ତେବେ ଏହି ଅଦିନିଆ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦୁଃଖ ପ୍ରକାଶ କରିଥିବା ବେଳେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତିକୁ ବାରମ୍ବାର ଇସ୍କନ୍‌ ଅପମାନିତ କରୁଛି ବୋଲି କହିଛନ୍ତି ସାଂସଦ ଶ୍ରୀ ଖୁଣ୍ଟିଆ।

About The Author: The Sakala