ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କୃଷ୍ଣ କନସିୟସନେସ୍ (ISKCON) ବା ଇସ୍କନ ପକ୍ଷରୁ ପୁଣିଥରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ବିବାଦ ତେଜିଛି। ପୁରୀ ଶ୍ରୀମନ୍ଦିରର ତିଥି ଏବଂ ନୀତିକାନ୍ତିକୁ ଉଲ୍ଲଂଘନ କରି ବିଦେଶରେ ଅସମୟରେ ରଥଯାତ୍ରା କରାଯାଉଥିବାରୁ ବିଶ୍ୱବ୍ୟାପୀ ଜଗନ୍ନାଥ ପ୍ରେମୀ ଓ ଓଡ଼ିଆ ସମାଜରେ ଘୋର ଅସନ୍ତୋଷ ଦେଖାଦେଇଛି। ନିକଟରେ ଜର୍ମାନୀର ୱିସବାଡେନ୍, ଆମେରିକାର ନ୍ୟୁୟର୍କ ସମେତ ଲଣ୍ଡନ, ସିଡନୀ ଏବଂ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା କରାଯାଇଥିବା ଖବର ସାମ୍ନାକୁ ଆସିଛି।
ଓଡ଼ିଆଙ୍କୁ ଦୁର୍ବ୍ୟବହାର ଅଭିଯୋଗ
ଏହି ମନମାନିକୁ ବିରୋଧ କରିବାରୁ ପ୍ରବାସୀ ଓଡ଼ିଆମାନଙ୍କୁ ଇସ୍କନ ସମର୍ଥକମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପ୍ରତିବାଦ କରୁଥିବା ଓଡ଼ିଆମାନଙ୍କୁ କୁକୁର ବୋଲି ସମ୍ବୋଧନ କରାଯାଇ ଅପମାନିତ କରାଯାଇଥିବା ନେଇ ଏକ ବିବାଦୀୟ ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣା ପରେ ଜଗନ୍ନାଥ ସଂସ୍କୃତି ରକ୍ଷା କରିବା ପାଇଁ ଏବଂ ଇସ୍କନର ଏଭଳି ସ୍ୱେଚ୍ଛାଚାରିତା ଉପରେ ରୋକ୍ ଲଗାଇବାକୁ ଦାବି ଜୋର ଧରିଛି। ମହାପ୍ରଭୁଙ୍କ ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଏକ ପବିତ୍ର ପରମ୍ପରା, ଯାହା ନିର୍ଦ୍ଦିଷ୍ଟ ତିଥି ଓ ରୀତିନୀତି ଅନୁଯାୟୀ ପାଳନ କରାଯିବା ଉଚିତ୍ ବୋଲି ଭକ୍ତମାନେ ମତ ଦେଇଛନ୍ତି।
ଗଜପତି ମହାରାଜଙ୍କ କଡ଼ା ଚେତାବନୀ
ପୂର୍ବରୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଇସ୍କନକୁ ଅଦିନିଆ ରଥଯାତ୍ରା ଏବଂ ସ୍ନାନଯାତ୍ରା ନକରିବାକୁ କଡ଼ା ଚେତାବନୀ ଦିଆଯାଇଥିଲା। ଏନେଇ ଗଜପତି ମହାରାଜା ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ସତର୍କ କରାଇଥିଲେ। ତଥାପି ଇସ୍କନ କର୍ତ୍ତୃପକ୍ଷ ଶ୍ରୀମନ୍ଦିର ପରମ୍ପରାକୁ ଅଣଦେଖା କରି ନିଜ ଜିଦରେ ଅଟଳ ରହିବା ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ଭକ୍ତମାନଙ୍କୁ ମର୍ମାହତ କରିଛି। ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ମଧ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିବା ସହ ନୀତିକାନ୍ତିକୁ କିପରି ସୁରକ୍ଷିତ କରାଯିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି।