ଭିଏନା: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଡ଼ ଜାରି ରଖିଥିବାବେଳେ ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି (ଆଇଏଇଏ) ବଡ଼ ସୂଚନା ଦେଇଛି। ଇରାନର ଦୁଇ ପ୍ରମୁଖ ଆଣବିକ ଠିକଣାରେ ଇସ୍ରାଏଲ ଆକ୍ରମଣ ସ୍ପଷ୍ଟ କରିଛି। ଏଥିରୁ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) କରୁଥିବା ଦାବି ସତ୍ୟ ପ୍ରମାଣିତ ହୋଇଛି। ଆଇଏଇଏ ସୂଚନା ଅନୁଯାୟୀ ଇସ୍ରାଏଲ ଯୁଦ୍ଧ ବିମାନର ବୋମାବର୍ଷାରେ ଆଣବିକ କେନ୍ଦ୍ର ‘ତେସା କରାଜ ୱାର୍କସପ୍’ ଏବଂ ‘ତେହରାନ ରିସର୍ଚ୍ଚ ସେଣ୍ଟର’ କ୍ଷତିଗ୍ରସ୍ତ ହୋଇଛି। କରାଜରେ ଦୁଇଟି କୋଠା ଧ୍ବଂସ ହୋଇଛି। ଏଠାରେ ସେଣ୍ଟ୍ରିଫ୍ୟୁଜ ଉପାଦାନ ପ୍ରସ୍ତୁତ କରାଯାଉଥିଲା। ଗୋଟିଏ କୋଠାରେ ‘ଆଡଭାନ୍ସଡ ସେଣ୍ଟ୍ରିଫ୍ୟୁଜ ରୋଟର’ ନିର୍ମାଣ କରାଯାଉଥିଲା। ଏହାକୁ ତେହରାନରେ ପରୀକ୍ଷା କରାଯାଉଥିଲା।
ନତାଞ୍ଜ ସାଇଟ୍ ଉପରେ ପରୋକ୍ଷ ଭାବେ ଆକ୍ରମଣ କରାଯାଇଥିଲା ବୋଲି ପ୍ରଥମେ କୁହାଯାଉଥିଲା। ମାତ୍ର ଆଇଇଏ ସ୍ପଷ୍ଟ କରିଛି ଯେ ଆକ୍ରମଣରେ ନତାଞ୍ଜର ଭୂତଳ ହଲ୍ ଗୁଡିକ କ୍ଷତିଗ୍ରସ୍ତ ହୋଇଛି। ଉପଗ୍ରହ ଚିତ୍ରରୁ ଏହି ସୂଚନା ମିଳିଛି। ଏହି ଦୁଇ ଠିକଣାରୁ ବିକିରଣ ଏବଂ ରାସାୟନିକ ପ୍ରଦୂଷଣ ଆରମ୍ଭ ହୋଇଯାଇଥିବା କୁହାଯାଇଛି। ତେବେ ଇରାନର ଅନ୍ୟ ପରମାଣୁ ଠିକଣାଗୁଡିକର ସ୍ଥିତି ଅପରିବର୍ତ୍ତିତ ରହିଥିବା କୁହାଯାଇଛି। କାରଣ ଆଇଇଏ ଏ ସବୁ ଠିକଣାର ଯାଞ୍ଚ କରିପାରିନାହିଁ।