ନୂଆଦିଲ୍ଲୀ: ଆଞ୍ଚଳିକ ଉତ୍ତେଜନା ହ୍ରାସ କରିବା ଦିଗରେ ଏକ ବଡ଼ କୂଟନୈତିକ ପଦକ୍ଷେପ ଗ୍ରହଣ କରି ଇରାନ (Iran) ଏକ ନୂତନ ପ୍ରସ୍ତାବ ଦେଇଛି। ପାକିସ୍ତାନ ମାଧ୍ୟମରେ ଆମେରିକା (US) କୁ ଏହି ପ୍ରସ୍ତାବ ପଠାଯାଇଛି। ଆକ୍ସିଓସ୍ (Axios) ରିପୋର୍ଟ ଅନୁଯାୟୀ, ଏହି ନୂତନ ପ୍ରସ୍ତାବର ମୁଖ୍ୟ ଲକ୍ଷ୍ୟ ହେଉଛି ହରମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ଏବଂ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧର ଅବସାନ ଘଟାଇବା।
ପାକିସ୍ତାନ ମାଧ୍ୟମରେ ଦିଆଯାଇଥିବା ଏହି 'ଦୁଇ-ପର୍ଯ୍ୟାୟ ଯୋଜନା' ରେ ସାମୁଦ୍ରିକ ସଙ୍କଟ ଏବଂ ଆମେରିକୀୟ ନୌସେନା ଅବରୋଧକୁ ପ୍ରାଥମିକତା ଦିଆଯାଇଛି। ପ୍ରଥମତଃ, ଏହି ଚୁକ୍ତି ଅନୁଯାୟୀ ବର୍ତ୍ତମାନର ଅସ୍ତ୍ରବିରତି କୁ ଦୀର୍ଘ ସମୟ ପାଇଁ ବୃଦ୍ଧି କରାଯିବ ଅବା ଉଭୟ ଦେଶ ଯୁଦ୍ଧର ସ୍ଥାୟୀ ସମାପ୍ତି ପାଇଁ ସହମତ ହେବେ। ଦ୍ୱିତୀୟତଃ, ପ୍ରଥମେ ହରମୁଜ୍ ପ୍ରଣାଳୀ ଖୋଲାଯିବ ଏବଂ ଇରାନୀ ବନ୍ଦରଗୁଡ଼ିକ ଉପରୁ ଆମେରିକାର ନୌସେନା ଅବରୋଧ ହଟାଯିବ। ତୃତୀୟତଃ, ପରମାଣୁ ଆଲୋଚନା ଏହିସବୁ ପଦକ୍ଷେପ ପରେ ହିଁ ଆରମ୍ଭ ହେବ।
ବର୍ତ୍ତମାନର ଗତିରୋଧର ମୁଖ୍ୟ କାରଣ ହେଉଛି ଆମେରିକାର ସର୍ତ୍ତ। ଆମେରିକା ଦାବି କରିଛି ଯେ ଇରାନ ଅତିକମରେ ୧୦ ବର୍ଷ ପାଇଁ ୟୁରାନିୟମ୍ ସମୃଦ୍ଧକରଣ (uranium enrichment) ବନ୍ଦ କରୁ ଏବଂ ନିଜର ବର୍ତ୍ତମାନର ପରମାଣୁ ଭଣ୍ଡାରକୁ ବିଦେଶକୁ ସ୍ଥାନାନ୍ତର କରୁ। ତେବେ ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଅବ୍ବାସ ଆରାଘଚି (Syed Abbas Araghchi) ସ୍ପଷ୍ଟ କରିଛନ୍ତି ଯେ ଏହି ଦାବି ଉପରେ ଇରାନୀ ନେତୃତ୍ୱଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇନାହିଁ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସଲାମାବାଦକୁ ଆମେରିକୀୟ ଦୂତ ସ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନରଙ୍କ ଗସ୍ତକୁ ବାତିଲ କରିଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଆଲୋଚନାକାରୀଙ୍କୁ ୧୮ ଘଣ୍ଟିଆ ବିମାନ ଯାତ୍ରାରେ ପଠାଇବାର କୌଣସି ଅର୍ଥ ନାହିଁ। ଆମେ ଟେଲିଫୋନ୍ ମାଧ୍ୟମରେ ମଧ୍ୟ ଆଲୋଚନା କରିପାରିବା, ଇରାନ ଚାହିଁଲେ ଆମକୁ କଲ୍ କରିପାରିବ।
ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ବାଣିଜ୍ୟ ହରମୁଜ୍ ପ୍ରଣାଳୀ ଦେଇ ହୋଇଥାଏ। ତେଣୁ ଏହାର ଅବରୋଧ ବିଶ୍ୱସ୍ତରରେ ଶକ୍ତି ସଙ୍କଟ ଏବଂ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରିଛି। ବର୍ତ୍ତମାନ ଆରାଘଚି ପାକିସ୍ତାନ ଏବଂ ଓମାନ ମଧ୍ୟରେ କୂଟନୈତିକ ଆଲୋଚନା ଜାରି ରଖିଥିବା ବେଳେ ସୋମବାର ରୁଷରେ ଭ୍ଲାଦିମିର ପୁଟିନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ (ଆମେରିକା ଓ ଇରାନ) ମଧ୍ୟରେ ଥିବା ଏହି ବ୍ୟାପକ ମତଭେଦକୁ ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ଏବେ ବି ଏକ ଆହ୍ୱାନ ହୋଇ ରହିଛି।