ନୂଆଦିଲ୍ଲୀ : କଳାଧନ ଉପରେ ଅଙ୍କୁଶ ଲଗାଇବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ସ୍ବିଜରଲ୍ୟାଣ୍ଡର ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି। ୨୦୨୧ରେ ଭାରତୀୟ କମ୍ପାନୀ ଏବଂ ଭାରତୀୟଙ୍କ ଜମା ୫୦ ପ୍ରତିଶତ ବୃଦ୍ଧି ପାଇ ୩୦,୫୦୦ କୋଟିରେ ପହଞ୍ଚି ଯାଇଛି। ଏହା ଗତ ୧୪ ବର୍ଷରେ ସର୍ବାଧିକ। ସ୍ବିଜରଲ୍ୟାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ବାର୍ଷିକ ତଥ୍ୟରେ ଏହି ସୂଚନା ଦିଆଯାଇଛି।
୨୦୨୦ରେ ଭାରତୀୟ ସ୍ବିସ ବ୍ୟାଙ୍ଗରେ ୨୦,୭୦୦ କୋଟି ଟଙ୍କା ଜମା କରିଥିଲେ। କ୍ରମାଗତ ଦ୍ବିତୀୟ ବର୍ଷରେ ଜମାରାଶି ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ ଭାରତୀୟଙ୍କ ସଞ୍ଚୟ (ସେଭିଂ ଆକାଉଣ୍ଟ) ଏବଂ ଚଳନ୍ତି (କରେଣ୍ଟ ଆକାଉଣ୍ଟ) ଖାତାରେ ଜମା ରାଶି ୭ ବର୍ଷର ସର୍ବୋଚ୍ଚ ସ୍ତରରେ ୪,୮୦୦ କୋଟି ଟଙ୍କାରେ ପହଞ୍ଚି ଯାଇଛି। ତେବେ ପୂର୍ବ ୨ ବର୍ଷ ଏଥିରେ ହ୍ରାସ ପରିଲକ୍ଷିତ ହୋଇଥିଲା। ସ୍ବିସ ନ୍ୟାସନାଲ ବ୍ୟାଙ୍କ (ଏସଏନବି) ଅନୁଯାୟୀ ୨୦୨୧ ଶେଷ ସୁଦ୍ଧା ଭାରତୀୟ ଗ୍ରାହକ ୩୦,୮୩୯ କୋଟି ଟଙ୍କା (ସ୍ବିସ୍ ମୁଦ୍ରା ସିଏଚଏଫରେ ୩୮୩.୧ କୋଟି) ର କାରବାର ହୋଇଥିଲା। ଏଥିରୁ ୪,୮୦୦ କୋଟି ଟଙ୍କା ଖାତାରେ ଜମା କରାଯାଇଛି। ୨୦୨୦ରେ ଏହା ୪ ହଜାର କୋଟି ଥିଲା। ଅନ୍ୟ ବ୍ୟାଙ୍କ ଦ୍ବାରା ୯,୭୬୦ କୋଟି ଟଙ୍କା ଜମା କରାଯାଇଥିଲା। ଏହା ୨୦୨୦ରେ ୩,୦୬୪ କୋଟି ଥିଲା। ସେହିପରି ଟ୍ରଷ୍ଟ ମାଧ୍ୟମରେ ୨.୪୦ କୋଟି ଟଙ୍କା ଜମା କରାଯାଇଥିଲା। ବଣ୍ଡ, ପ୍ରତିଭୂତି ଏବଂ ଅନ୍ୟ ଉପାୟ ମାଧ୍ୟମରେ ପ୍ରାୟ ୧୬ ହଜାର କୋଟି ଟଙ୍କା ଡିପୋଜିଟ କରାଯାଇଛି।
ଏହା ପୂର୍ବରୁ ୨୦୦୬ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ସର୍ବୋଚ୍ଚ ସ୍ତରରେ ରହିଥିଲା ।ପରେ ୨୦୧୧, ୨୦୧୩, ୨୦୧୭, ୨୦୨୦ ଓ ୨୦୨୧କୁ ବାଦ୍ ଦେଲେ ଅନ୍ୟ ସବୁ ବର୍ଷ ଜମା ରାଶି ହ୍ରାସ ପାଇଥିଲା । ୨୦୧୯ରେ ସବୁ ବର୍ଗରେ ଜମା ରାଶି ହ୍ରାସ ପାଇଥିବା ବେଳେ ୨୦୨୧ରେ ସବୁ ବର୍ଗରେ ଜମା ରାଶି ବଢିଛି । ସ୍ୱିସ୍ ବ୍ୟାଙ୍କରେ ସର୍ବାଧିକ ଜମା ରାଶି ରଖିବା ତାଲିକାର ୪୪ ତମ ସ୍ଥାନରେ ରହିଛି ଭାରତ । ବ୍ରିଟେନ୍, ଆମେରିକା, ୱେଷ୍ଟ ଇଣ୍ଡିଜ୍ ପରି ଦେଶ ଆଗରେ ରହିଛନ୍ତି । ଚୀନ୍ ୨୪ ତମ ଓ ରୁଷ୍ ୧୫ ତମ ସ୍ଥାନରେ ରହିଛି ।
ସୂଚନାଯୋଗ୍ୟ ନରେନ୍ଦ୍ର ମୋଦୀ ସରକାରକୁ ଆସିବା ପୂର୍ବରୁ କଳାଧନ ପ୍ରସଙ୍ଗକୁ ଏକ ମୁଖ୍ୟ ପ୍ରସଙ୍ଗ କରିଥିଲେ। ତାଙ୍କ ନେତୃତ୍ବାଧିନ ସରକାର ଆସିଲେ ସେ ସବୁ କଳାଧନକୁ ଭାରତ ଫେରାଇ ଆଣିବା ସହ ବିଦେଶରେ ଲକ୍ଷ ଲକ୍ଷ କୋଟି ଜମା କରିଥିବା ଭାରତୀୟଙ୍କ ପର୍ଦାଫାସ କରିବେ ବୋଲି କହିଥିଲେ। ଯାହାପରେ ଭାରତର ସ୍ୱିସ୍ ବ୍ୟାଙ୍କରେ ଜମା ଏକ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଥିଲା। କିନ୍ତୁ ମୋଦୀ ସରକାର ପ୍ରଥମ ପାଳି ସରକାରରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ଜମାଟଙ୍କା ଉପରେ କୌଣସି ପଦକ୍ଷେପ ନେଇ ନଥିବା ବେଳେ ଦ୍ବିତୀୟ ପାଳି ସରକାରରେ ମଧ୍ୟ ପୂର୍ବପରି କୌଣସି ପଦକ୍ଷେପ ନେଇନାହାନ୍ତି। ଆଉ ସବୁଠୁ ବଡ କଥା ହେଉଛି ମୋଦୀ ସରକାର ଅମଳରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ଟଙ୍କା ବଢିବାରେ ଲାଗିଛି। ଆଉ ଏଥିରୁ ଜଣାପଡୁଛି କଳାଧନକୁ ଭାରତ ଫେରାଇ ଆଣିବା କହି ସରକାର ଗଠନ କରିଥିବା ମୋଦୀ ସରକାର କଳାଧନ ଉପରେ ଅଙ୍କୁଶ ଲଗାଇବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି।