ଲଣ୍ଡନରେ କୋଟିଏ ଟଙ୍କା ରୋଜଗାର କରୁଥିବା ଭାରତୀୟ ମହିଳା ମେଲବର୍ଣ୍ଣରେ ସଫା କରୁଛନ୍ତି ଆପାର୍ଟମେଣ୍ଟ: କହିଲେ 'ଟଙ୍କା ହିଁ ସ୍ୱାଧୀନତା'

ଲଣ୍ଡନରେ ବାର୍ଷିକ ପ୍ରାୟ ୧ କୋଟି ଟଙ୍କା ରୋଜଗାର କରୁଥିବା ଜଣେ ଭାରତୀୟ ମହିଳା ଅଷ୍ଟ୍ରେଲିଆର ମେଲବର୍ଣ୍ଣକୁ ସ୍ଥାନାନ୍ତର ହେବା ପରେ ନିଜ ଜୀବନର ଏକ ବଡ଼ ସଂଘର୍ଷ ଦେଇ ଗତି କରିଛନ୍ତି। ୩୭ ବର୍ଷୀୟା ଶ୍ୱେତା ଦେଶାଇ ନାମକ ଏହି ମହିଳା ଏକଦା ଏକ ବଡ଼ କମ୍ପାନୀର ଉଚ୍ଚ ପଦବୀରେ ଥିଲେ, କିନ୍ତୁ ବର୍ତ୍ତମାନ ସେ ଆର୍ଥିକ ସ୍ୱାଧୀନତା ପାଇଁ ଏୟାରବିଏନବି (Airbnb) ଆପାର୍ଟମେଣ୍ଟ ସଫା କରିବାକୁ ପଛାଇ ନାହାନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେ ନିଜର ଏହି ପ୍ରେରଣାଦାୟକ କାହାଣୀ ବଖାଣିଛନ୍ତି।

କର୍ପୋରେଟ୍ ଜବ୍‌ରୁ ଆପାର୍ଟମେଣ୍ଟ ସଫେଇ

ମୁମ୍ବାଇରେ ଜନ୍ମିତ ଏବଂ ବଢ଼ିଥିବା ଶ୍ୱେତା ଦେଶାଇ ଉଚ୍ଚଶିକ୍ଷା ପାଇଁ ୨୦୦୮ ମସିହାରେ ଲଣ୍ଡନ ଯାଇଥିଲେ। ସେଠାରେ ସେ ପ୍ରାୟ ୧୫ ବର୍ଷ ବିତାଇବା ସହ ଏକ ବ୍ୟବସାୟିକ ୱେବସାଇଟ୍‌ରେ 'ହେଡ୍ ଅଫ୍ ପ୍ରଡକ୍ଟ' ଭାବେ କାର୍ଯ୍ୟ କରୁଥିଲେ। ୨୦୨୩ ବେଳକୁ ତାଙ୍କର ବାର୍ଷିକ ଦରମା ପାଖାପାଖି ୧ ଲକ୍ଷ ପାଉଣ୍ଡ (ପ୍ରାୟ ୧ କୋଟି ଟଙ୍କା) ଥିଲା। କିନ୍ତୁ ୨୦୨୩ ଶେଷ ଭାଗରେ ତାଙ୍କ ସ୍ୱାମୀଙ୍କୁ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଚାକିରି ମିଳିବା ପରେ ଶ୍ୱେତା ନିଜର ଉଚ୍ଚ ଦରମାପ୍ରାପ୍ତ ଚାକିରି ଛାଡ଼ି ପରିବାର ସହ ସେଠାକୁ ଚାଲିଯାଇଥିଲେ।

ମେଲବର୍ଣ୍ଣର ଚାକିରି ବଜାର ଭିନ୍ନ ଥିବାରୁ ତାଙ୍କୁ ସେଠାରେ ନିଜ ପସନ୍ଦର ଚାକିରି ମିଳିନଥିଲା, ଯାହା ଫଳରେ ସେ ଏକ 'ଆଇଡେଣ୍ଟିଟି କ୍ରାଇସିସ୍' ବା ପରିଚୟ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଶେଷରେ ସେ ଆର୍ଥିକ ସ୍ୱାଧୀନତା ବଜାୟ ରଖିବାକୁ ଏୟାରବିଏନବି (Airbnb) ଆପାର୍ଟମେଣ୍ଟ ପରିଚାଳନା ଏବଂ ସଫେଇ କାମକୁ ଆପଣାଇଥିଲେ।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Shweta (@shweta_lifecoach)

ଟଙ୍କା ହିଁ ସ୍ୱାଧୀନତା

ଇନଷ୍ଟାଗ୍ରାମରେ ନିଜ ଅନୁଭୂତି ସେୟାର କରି ଶ୍ୱେତା କହିଛନ୍ତି ଯେ, "ମୁଁ ଲଣ୍ଡନର ହେଡ୍ ଅଫ୍ ପ୍ରଡକ୍ଟରୁ ମେଲବର୍ଣ୍ଣର ଆପାର୍ଟମେଣ୍ଟ କ୍ଲିନର ପାଲଟିଗଲି। ମୋର ପଦବୀ ଏବଂ ଦରମା ସବୁକିଛି ଚାଲିଯାଇଥିଲା। ଗୋଟିଏ ସମୟରେ ମୁଁ ଭାବୁଥିଲି ଯେ ମୁଁ ନିଜକୁ ସମ୍ପୂର୍ଣ୍ଣ ଭାବେ ହରାଇ ଦେଇଛି।" କିନ୍ତୁ ଖୁବ୍‌ଶୀଘ୍ର ସେ ବୁଝିପାରିଥିଲେ ଯେ କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ ଏବଂ ମଣିଷ ନିଜ କାମଠାରୁ ଢେର ଊର୍ଦ୍ଧ୍ୱରେ।

ଶ୍ୱେତା ମହିଳାମାନଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ଗୁରୁତ୍ୱ ବୁଝାଇ କହିଛନ୍ତି,"ମୁଁ ଅନୁଭବ କଲି ଯେ ଟଙ୍କା ହିଁ ସ୍ୱାଧୀନତା। ଏହାର ଅର୍ଥ ହେଉଛି ନିଜ ସର୍ତ୍ତରେ ଜୀବନ ବଞ୍ଚିବା ଏବଂ ଗୋଟିଏ ଲିପ୍‌ବାମ୍ କିଣିବାକୁ କାହିଁକି ଏତେ ଟଙ୍କା ଖର୍ଚ୍ଚ କଲି, ତାହାର କୈଫିୟତ ନଦେବା। ଟଙ୍କା ଆମକୁ ବିକଳ୍ପ, ସ୍ୱାଧୀନତା ଏବଂ କେବେ କେବେ ଖୁସି ମଧ୍ୟ ଦେଇଥାଏ।

ବର୍ତ୍ତମାନର ଜୀବନ

ଆପାର୍ଟମେଣ୍ଟ ସଫା କରିବା କାମ ତାଙ୍କୁ ପୁଣିଥରେ ନିଜ ସହ ଯୋଡ଼ି ହେବାରେ ସାହାଯ୍ୟ କରିଥିଲା। ଆଜିର ଦିନରେ ଶ୍ୱେତା ଦେଶାଇ କେବଳ ଆପାର୍ଟମେଣ୍ଟ ପରିଚାଳନା କରୁନାହାନ୍ତି, ବରଂ ଛୋଟ ପିଲାମାନଙ୍କୁ ଇଂରାଜୀ ପଢ଼ାଉଛନ୍ତି ଏବଂ ଜୀବନର ସଂଘର୍ଷମୟ ପରିସ୍ଥିତି ଦେଇ ଗତି କରୁଥିବା ମହିଳାମାନଙ୍କ ପାଇଁ ଏକ କୋଚିଂ ସେଣ୍ଟର ପ୍ରତିଷ୍ଠା କରି ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ତାଙ୍କର ଏହି ପ୍ରେରଣାଦାୟକ କାହାଣୀ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

About The Author: Suryakanta