ରେଳ ଧାରଣାରୁ ଉତ୍ପାଦନ ହେବ ବିଜୁଳି : ବାରଣାସୀ ଲୋକୋମୋଟିଭ୍ ୱାର୍କ୍ସରୁ ପାଇଲଟ୍ ପ୍ରକଳ୍ପ ଆରମ୍ଭ

ନୂଆଦିଲ୍ଲୀ : ଏଣିକି ରେଳ ଧାରଣାରୁ ମଧ୍ୟ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରିବ। ଭାରତୀୟ ରେଳବାଇ ପକ୍ଷରୁ ଏ କ୍ଷେତ୍ରରେ ଏକ ପଦକ୍ଷେପ ଆରମ୍ଭ କରାଯାଇଛି। ରେଳବାଇ ବାରାଣସୀରେ ଗ୍ରହଣ କରିଥିବା ପଦକ୍ଷେପ ଆଗାମୀ ଦିନରେ ଦେଶରେ ଶକ୍ତି ଉତ୍ପାଦନର ଚିତ୍ର ବଦଳାଇ ପାରିବ। ଏ ପର୍ଯ୍ୟନ୍ତ ଆମେ ରେଳ ଧାରଣାରେ ଟ୍ରେନ ଚାଲୁଥିବା ଦେଖିଛୁ, କିନ୍ତୁ କେବେ ଭାବିନାହଁୁ ଯେ ଏହି ଟ୍ରାକ୍‌ରୁ ମଧ୍ୟ ବିଦ୍ୟୁତ ଉତ୍ପାଦନ ହୋଇପାରିବ। ରେଳବାଇ ଏହାର ଟ୍ରାକ ମଝିରେ ସୌର ପ୍ୟାନେଲ […]

ନୂଆଦିଲ୍ଲୀ : ଏଣିକି ରେଳ ଧାରଣାରୁ ମଧ୍ୟ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରିବ। ଭାରତୀୟ ରେଳବାଇ ପକ୍ଷରୁ ଏ କ୍ଷେତ୍ରରେ ଏକ ପଦକ୍ଷେପ ଆରମ୍ଭ କରାଯାଇଛି। ରେଳବାଇ ବାରାଣସୀରେ ଗ୍ରହଣ କରିଥିବା ପଦକ୍ଷେପ ଆଗାମୀ ଦିନରେ ଦେଶରେ ଶକ୍ତି ଉତ୍ପାଦନର ଚିତ୍ର ବଦଳାଇ ପାରିବ। ଏ ପର୍ଯ୍ୟନ୍ତ ଆମେ ରେଳ ଧାରଣାରେ ଟ୍ରେନ ଚାଲୁଥିବା ଦେଖିଛୁ, କିନ୍ତୁ କେବେ ଭାବିନାହଁୁ ଯେ ଏହି ଟ୍ରାକ୍‌ରୁ ମଧ୍ୟ ବିଦ୍ୟୁତ ଉତ୍ପାଦନ ହୋଇପାରିବ। ରେଳବାଇ ଏହାର ଟ୍ରାକ ମଝିରେ ସୌର ପ୍ୟାନେଲ ସଂସ୍ଥାପନ କରିବା ଆରମ୍ଭ କରିଛି, ଯେଉଁଥିରୁ ଉତ୍ପାଦିତ ବିଦ୍ୟୁତ୍‌ରୁ ଟ୍ରେନ୍‌କୁ ବିୁଜଳି ଶକ୍ତି ମିଳୁଛି। ଏହି ପ୍ରଯୁକ୍ତିବିଦ୍ୟା କେବଳ ପରିବେଶ ଅନୁକୂଳ ନୁହେଁ, ବରଂ ରେଳବାଇକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ବଡ଼ ସଫଳତା ଭାବେ ପ୍ରମାଣିତ ହେବ।

ସ୍ୱାଧୀନତା ଦିବସ ଅବସରରେ, ବାରଣାସୀ ଲୋକୋମୋଟିଭ୍ ୱାର୍କ୍ସ (ବିଏଲ୍‌ଡବ୍ଲ୍ୟୁ) ଏକ ଐତିହାସିକ ପଦକ୍ଷେପ ସ୍ବରୂପ ସକ୍ରିୟ ରେଳ ଧାରଣା ମଝିରେ ଦେଶର ପ୍ରଥମ ଅପସାରଣୀୟ ସୌର ପ୍ୟାନେଲ ସିଷ୍ଟମ ସଂସ୍ଥାପନ କରିଛି। ଏହି ପ୍ରକଳ୍ପ ଲାଇନ ନମ୍ବର-୧୯ ରେ ଆରମ୍ଭ କରାଯାଇଛି, ଯାହାକୁ ମହାପ୍ରବନ୍ଧକ ନରେଶ ପାଲ ସିଂହ ଉଦଘାଟନ କରିଛନ୍ତି। ଏହି ପାଇଲଟ୍ ପ୍ରକଳ୍ପରେ ଟ୍ରାକ ମଧ୍ୟରେ ଥିବା ସ୍ଲିପର (ରେଳ ଟ୍ରାକକୁ ସମର୍ଥନ କରୁଥିବା ବିମ୍)ରେ ସୌର ପ୍ୟାନେଲ ସଂସ୍ଥାପନ କରାଯାଇଛି। ବିଶେଷ କଥା ହେଉଛି ଏଗୁଡ଼ିକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଟ୍ରେନ୍ ପରିଚାଳନାରେ କୌଣସି ବାଧା ସୃଷ୍ଟି ହେବନାହିଁ। ଯେତେବେଳେ ଟ୍ରାକ୍ ମରାମତିର ଆବଶ୍ୟକତା ପଡ଼ିବ, ସେଗୁଡ଼ିକୁ ସହଜରେ ହଟାଇହେବ। ରେଳ ଜେନେରାଲ ମ୍ୟାନେଜର କହିଛନ୍ତି ଯେ ଏହି ପ୍ରକଳ୍ପ କେବଳ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବ ନାହିଁ, ବରଂ ଏହା ରେଳବାଇର କାର୍ବନ ନିର୍ଗମନକୁ ଶୂନ୍ୟ କରିବା ଲକ୍ଷ୍ୟରେ ଏକ ଠୋସ୍ ପଦକ୍ଷେପ।

ଏହି ସିଷ୍ଟମ ପ୍ରସ୍ତୁତ କରିବା ସମୟରେ ଅନେକ ବୈଷୟିକ ଆହ୍ବାନର ସମାଧାନ କରାଯାଇଛି। ଟ୍ରାକ୍ ଉପରେ ଟ୍ରେନ୍ ଯିବା ଦ୍ୱାରା ହେଉଥିବା କମ୍ପନକୁ ହ୍ରାସ କରିବା ପାଇଁ ରବର ମାଉଣ୍ଟିଂ ପ୍ୟାଡ୍ ସଂସ୍ଥାପନ କରାଯାଇଛି। ସେହି ସମୟରେ, ପ୍ୟାନେଲଗୁଡ଼ିକୁ ସ୍ଲିପରରେ ଦୃଢ଼ ଭାବରେ ରଖିବା ପାଇଁ ଇପୋକ୍ସି ଆଡେସିଭ୍ ବ୍ୟବହାର କରାଯାଇଛି। ସଫା କରିବାର ସୁବିଧାକୁ ଧ୍ୟାନରେ ରଖି, ସେଗୁଡ଼ିକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ୪ଟି ଏସ୍‌ଏସ୍‌ ଆଲେନ୍ ବୋଲ୍ଟ ଖୋଲି ପ୍ୟାନେଲଗୁଡ଼ିକୁ ସହଜରେ ଅପସାରଣ ଏବଂ ପୁନଃସଂସ୍ଥାପନ କରାଯାଇପାରିବ।

ବର୍ତ୍ତମାନ, ଏହି ପାଇଲଟ୍ ପ୍ରକଳ୍ପ ୭୦ ମିଟର ଲମ୍ବା ଟ୍ରାକ୍ ଉପରେ ସଂସ୍ଥାପନ କରାଯାଇଛି, ଯାହାର କ୍ଷମତା ୧୫ କେଡବ୍ଲ୍ୟୁପି ଏବଂ ଏଥିରେ ୨୮ଟି ସୌର ପ୍ୟାନେଲ୍ ଲାଗିଛି। ଏକ କିଲୋମିଟର ଟ୍ରାକ୍ ଉପରେ ଏହାର କ୍ଷମତା ୨୨୦ କେଡବ୍ଲ୍ୟୁପି ଏବଂ ଶକ୍ତି ଉତ୍ପାଦନ ପ୍ରତିଦିନ ୮୮୦ ୟୁନିଟ୍ ପହଞ୍ଚିପାରିବ। ପ୍ରତ୍ୟେକ ପ୍ୟାନେଲର ଆକାର ୨୨୭୮× ୧୧୩୩ × ୩୦ ମିମି, ଓଜନ ୩୧.୮୩ କିଲୋଗ୍ରାମ ଏବଂ ମଡ୍ୟୁଲ୍ ଦକ୍ଷତା ୨୧.୩୧% ପ୍ରଦାନ କରେ। ଭାରତୀୟ ରେଳ ନେଟୱାର୍କ ୧.୨ ଲକ୍ଷ କିଲୋମିଟରରୁ ଅଧିକ ବ୍ୟାପ୍ତ ହୋଇଥିବାରୁ, ଏହି ପ୍ରଯୁକ୍ତିବିଦ୍ୟାକୁ ବଡ଼ ସ୍ତରରେ କାର୍ଯ୍ୟକାରୀ କରାଯାଇପାରିବ। ବିଶେଷକରି ୟାର୍ଡ ଲାଇନ୍‌ଗୁଡ଼ିକରେ, ଯେଉଁଠାରେ ଜମି ଅଧିଗ୍ରହଣ ଆବଶ୍ୟକ ହେବ ନାହିଁ। ବିଏଲ୍‌ଡବ୍ଲ୍ୟୁ ଏହି ପ୍ରଯୁକ୍ତିବିଦ୍ୟା ପ୍ରତି କିଲୋମିଟରରେ ବାର୍ଷିକ ପ୍ରାୟ ୩.୨୧ ଲକ୍ଷ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିପାରିବ।

About The Author: The Sakala