ନିଟ୍ (NEET) ପରୀକ୍ଷା ବିବାଦ: ଭାରତରେ ଟେଲିଗ୍ରାମ୍ ଉପରେ କେନ୍ଦ୍ର ସରକାରଙ୍କ ଅସ୍ଥାୟୀ କଟକଣା

ନିଟ୍ (NEET) ପରୀକ୍ଷା ପେପର ଲିକ୍ ବିବାଦକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ୍ (Telegram) ଉପରେ ସରକାର ଅସ୍ଥାୟୀ କଟକଣା ଲଗାଇଛନ୍ତି। ନିଟ୍ ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ଗୁଜବକୁ ରୋକିବା ଉଦ୍ଦେଶ୍ୟରେ ଏହି କଠୋର ନିଷ୍ପତ୍ତି ନିଆଯାଇଛି।

ନିଟ୍ ପରୀକ୍ଷା ପାଇଁ କଡ଼ା ପଦକ୍ଷେପ

ସୂଚନା ଅନୁଯାୟୀ, ଟେଲିଗ୍ରାମର ବିଭିନ୍ନ ଗ୍ରୁପରେ ନିଟ୍ (NEET) ପେପର ଲିକ୍ ହୋଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏବେ ଦେଶରେ ପୁନର୍ବାର ନିଟ୍ ପରୀକ୍ଷା ଆୟୋଜନ କରାଯିବାକୁ ଯାଉଛି, ଯାହାକି ଆସନ୍ତା ୨୧ ଜୁନ୍ ୨୦୨୬ ତାରିଖରେ ଅନୁଷ୍ଠିତ ହେବ।

ଆଇଟି ନିୟମର ଧାରା 69A ଅଧୀନରେ କାର୍ଯ୍ୟାନୁଷ୍ଠାନ

ସରକାର ଏହି ନିର୍ଦ୍ଦେଶନାମା ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ର ଧାରା 69A ଅଧୀନରେ ଜାରି କରିଛନ୍ତି। ଏହି ଆଦେଶ ଅନୁଯାୟୀ, ଭାରତରେ ଏକ ନିର୍ଦ୍ଦିଷ୍ଟ ଏବଂ ସୀମିତ ସମୟ ପାଇଁ ଟେଲିଗ୍ରାମ୍ ପ୍ଲାଟଫର୍ମର ବ୍ୟବହାରକୁ ବ୍ୟାନ୍ କରାଯାଇଛି। ଏହି କଟକଣା ୨୨ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ସହିତ ଭାରତରେ ପୂର୍ବରୁ ପୋଷ୍ଟ କରାଯାଇଥିବା ମେସେଜଗୁଡ଼ିକରେ ଥିବା 'ଏଡିଟ୍' (Edit) ସୁବିଧାକୁ ୩୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଦିଆଯାଇଛି।

ନକଲି ପ୍ରମାଣ ରୋକିବାକୁ ଉଦ୍ୟମ

ଟେଲିଗ୍ରାମ୍ ପ୍ଲାଟଫର୍ମର ସ୍ୱତନ୍ତ୍ର ସଂରଚନାକୁ ଧ୍ୟାନରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ଅନେକ ସମୟରେ ପରୀକ୍ଷା ଶେଷ ହେବା ପରେ ଏହି ମେସେଜିଂ ଆପ୍ ମାଧ୍ୟମରେ ମେସେଜ୍ ଏଡିଟ୍ କରି ନକଲି 'ପେପର ଲିକ୍' ପ୍ରମାଣ ତିଆରି କରାଯାଉଥିବାର ଘଟଣା ସାମ୍ନାକୁ ଆସିଛି। ଏପରି ଅପରାଧିକ କାର୍ଯ୍ୟକଳାପ ଏବଂ ଦେଶବ୍ୟାପୀ ପରୀକ୍ଷାଗୁଡ଼ିକର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ତତ୍ତ୍ୱଙ୍କୁ ରୋକିବା ପାଇଁ ଏହି କଟକଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

About The Author: Suryakanta