ନୂଆଦିଲ୍ଲୀ : କୋଭିଡ୍-୧୯ରେ ପ୍ରଭାବିତ ହେବା ପରେ ଏବେ କେନ୍ଦ୍ର ସରକାର ଦେଶରେ ସଂସ୍କାର ପ୍ରକ୍ରିୟା ତ୍ବରିତ କରବିା ଉପରେ ବିଶେଷ ଭାବେ ଗୁରୁତ୍ବ ଦେଉଛନ୍ତି। ଭାରତକୁ ବିଶ୍ବର ଏକ ଶ୍ରେଷ୍ଠ ଅର୍ଥନୀତିରେ ପରିଣତ କରିବା ଲାଗି ଦୀର୍ଘମିଆଦୀ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ଲୋକସଭାରେ ଆଜି ବଜେଟ ଆଲୋଚନା ୨୦୨୧-୨୨ କାଳରେ ଅନୁଷ୍ଠିତ ଏକ ଆଲୋଚନାରେ ନିର୍ମଳା କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ସଂସ୍କାର ପ୍ରକ୍ରିୟା ଆଗେଇ ନେବାରୁ ବିଚ୍ୟୁତ ହେବାକୁ ଚାହୁଁନାହାନ୍ତି। ଦେଶକୁ ଆତ୍ମନିର୍ଭର କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସାଧାରଣ ବଜେଟରେ ୨୩୪.୫ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ଏହି ବଜେଟରେ ସର୍ବାଧିକ ୩୪.୪% ବ୍ୟୟ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ବଜେଟରେ ରେଳବାଇ,ସଡକ ଏବଂ ପ୍ରତିରକ୍ଷା କ୍ଷେତ୍ରକୁ ସର୍ବାଧିକ ବ୍ୟୟ ବରାଦ କରାଯାଇଥିବା ସେ କହିଛନ୍ତି। ଏଥିରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି (ଏମ୍ଜିଏନ୍ଆର୍ଇଜିଏ) ପାଇଁ ସରକାର ଅଧିକ ଅର୍ଥ ବରାଦ କରିଛନ୍ତି।
ଏହି ଯୋଜନାରେ ୨୦୨୦୨-୧ ଆର୍ଥିକବର୍ଷ ନିମନ୍ତେ ୬୧,୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ କରୋନା ମହାମାରୀ ପୀଡିତଙ୍କୁ ସହୟତା ଦେବା ପାଇଁ କେନ୍ଦ୍ର ସରକାର ଏହାକୁ ୧.୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ପ୍ରତିରକ୍ଷା କ୍ଷେତ୍ରକୁ ପୂର୍ବବର୍ଷ ତୁଳନାରେ ବ୍ୟୟବରାଦ ଚଳିତଥର ବଜେଟ୍ରେ ୧.୩% ବୃଦ୍ଧି କରାଯାଇଛି। ଏଥିରେ ପୁଞ୍ଜି ବ୍ୟୟକୁ ୧୮.୮% ବଢ଼ାଯାଇଛି। ସୂଚନାଯୋଗ୍ୟ ୨୦୧୪-୧୫ ଆର୍ଥିକବର୍ଷଠାରୁ କେନ୍ଦ୍ର ସରକାର ଏମ୍ଜିଏନ୍ଆର୍ଇଜିଏର ପୁଞ୍ଜି ବ୍ୟୟ ବଜେଟ ସଂଶୋଧିତ ଆକଳନଠାରୁ ଅଧିକ କରିଆସୁଛନ୍ତି।