ଦେଶରେ ବଢୁଛି ଭୋକିଲାଙ୍କ ସଂଖ୍ୟା : ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ : ଦେଶରେ ବଢୁଛି ଭୋକିଲାଙ୍କ ସଂଖ୍ୟା। ଦିନକୁ ଦିନ ଏହି ସ୍ଥିତି ଆହୁରି ବେହାଲ ହେବାରେ ଲାଗିଛି। ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ଆହୁରି ତଳକୁ ଖସି ଯାଇଛି। ଏହାର ଅର୍ଥ ଭାରତରେ ଲୋକ ଠିକ୍‌ ଭାବେ ପେଟପୂରା ଖାଇବାକୁ ପାଉ ନାହାନ୍ତି। ଚଳିତ ବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ ନଂରେ ରହିଛି। ମୋଟ ୧୨୧ ଦେଶକୁ ନେଇ ତାଲିକା ପ୍ରକାଶ କରାଯାଇଥିବା ବେଳେ ଭାରତର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। […]

ନୂଆଦିଲ୍ଲୀ : ଦେଶରେ ବଢୁଛି ଭୋକିଲାଙ୍କ ସଂଖ୍ୟା। ଦିନକୁ ଦିନ ଏହି ସ୍ଥିତି ଆହୁରି ବେହାଲ ହେବାରେ ଲାଗିଛି। ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ଆହୁରି ତଳକୁ ଖସି ଯାଇଛି। ଏହାର ଅର୍ଥ ଭାରତରେ ଲୋକ ଠିକ୍‌ ଭାବେ ପେଟପୂରା ଖାଇବାକୁ ପାଉ ନାହାନ୍ତି। ଚଳିତ ବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ ନଂରେ ରହିଛି। ମୋଟ ୧୨୧ ଦେଶକୁ ନେଇ ତାଲିକା ପ୍ରକାଶ କରାଯାଇଥିବା ବେଳେ ଭାରତର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ୨୦୨୧ରେ ଭାରତ ଏହି ତାଲିକାରେ ୧୦୧ ସ୍ଥାନରେ ରହିଥିଲା ତେବେ ୨୦୨୨ରେ ଆଉ ୬ ସ୍ଥାନ ଖସି ୧୦୭ରେ ପହଞ୍ଚିଛି।

କେନ୍ଦ୍ର ସରକାର ଦେଶରେ ବିକାଶର ନାରା ଦେବା ସହ ଦେଶକୁ ଏକ ନୂଆ ସୋପାନକୁ ନେଉଥିବା କହୁଛନ୍ତି। କିନ୍ତୁ ବାସ୍ତବ ସ୍ଥିତିରେ ଦେଶର ଅବସ୍ଥା ବିଶ୍ୱସ୍ତରୀୟ ସର୍ଭେରେ ପଦାରେ ପଡିଛି। ଭାରତର ଏପରି ଅବସ୍ଥା ହୋଇଛି ଯେ ବର୍ତ୍ତମାନ ଆମ ଦେଶ ପଡୋଶୀ ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ଠାରୁ ବି ପଛରେ ପଡିଯାଇଛି। ସବୁଠୁ ବଡ କଥା ହେଉଛି ଶ୍ରୀଲଙ୍କାର ରାଜନୈତିକ ଅସ୍ଥିରତା ସତ୍ତ୍ବେ ସେ ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତଠୁ ଭଲ ସ୍ଥିତିରେ ରହିଛି। ସମସ୍ତ ଦକ୍ଷିଣ ଏସୀୟ ରାଷ୍ଟ୍ରର ତାଲିକାରେ ଭାରତର ନଗଣ୍ୟ ପ୍ରଦର୍ଶନ ଚିନ୍ତାର କାରଣ ହୋଇଛି । ଜାତୀୟ ଓ ଆଞ୍ଚଳିକ ସ୍ତରରେ କ୍ଷୁଧା ହଟାଇବା ଲାଗି ଯୋଜନା କରାଯାଉଥିଲେ ମଧ୍ୟ, ତାହା ଯେ ବିଫଳ ଏହା ପ୍ରମାଣିତ ହୋଇଛି ।

ଉପଯୁକ୍ତ ଖାଦ୍ୟାଭାବ, ଶିଶୁ କ୍ଷୁଧା, ଦୁର୍ବଳ ସ୍ବାସ୍ଥ୍ୟ ଓ ଶିଶୁ ମୃତ୍ୟୁହାରକୁ ବିଚାରକୁ ନେଇ ଏହି ତଥ୍ୟ ପ୍ରଦାନ କରାଯାଇଛି । ତାଲିକାରେ ଶ୍ରୀଲଙ୍କାର ସ୍ଥାନ ୬୪ ହୋଇଥିବା ବେଳେ ନେପାଳ ୮୧, ବାଂଲାଦେଶ ୮୪, ପାକିସ୍ତାନ ୯୯, ଆଫଗାନିସ୍ତାନ ୧୦୯ତମ ସ୍ଥାନ ହାସଲ କରିଛନ୍ତି । ଭାରତରେ କମ୍ ଓଜନ ବିଶିଷ୍ଟ ଶିଶୁ ହାର ୧୯ ଦଶମିକ ୩ ପ୍ରତିଶତ ରହିଛି । ଆଶ୍ଚର୍ଯ୍ୟର କଥା ୨୦୧୪ରେ ଏହି ହାର ୧୫ ଦଶମିକ ୧ ପ୍ରତିଶତ ଥିବାବେଳେ ୨୦୦୦ରେ ଏହି ହାର ଥିଲା ୧୭ ଦଶମିକ ୧୫ ପ୍ରତିଶତ ।

ବଡ଼କଥା ହେଉଛି ସେତେବେଳେ ଏହି ହାର ଥିଲା ବିଶ୍ବରେ ସର୍ବାଧିକ । ଗତ ଦୁଇ ଦଶନ୍ଧି ଭିତରେ ଯେ ଜନଜୀବନକୁ ତଳିତଳାନ୍ତ କରି ଦିଆଯାଇଛି ଏହା ସ୍ପଷ୍ଟ ହୋଇଛି । ଉପଯୁକ୍ତ ଖାଦ୍ୟାଭାବ ସମସ୍ୟା ବି ହୋଇଛି ଉତ୍କଟ । ୨୦୧୮-୨୦୨୦ରେ ଗୁଣବତ୍ତା ଭିତ୍ତିକ ଖାଦ୍ୟ ସମସ୍ୟାର ହାର ୧୪.୩ ପ୍ରତିଶତ ଥିବା ବେଳେ, ୨୦୧୯-୨୦୨୧ରେ ଏହି ହାର ହୋଇଛି ୧୬.୩ ପ୍ରତିଶତ । ଏହାର ଅର୍ଥ ଦେଶରେ ୨୨୪ ଦଶମିକ ୩ ନିୟୁତ ଲୋକ ଉପଯୁକ୍ତ ଖାଦ୍ୟରୁ ବଞ୍ଚିତ ହେଉଛନ୍ତି । ସାରା ବିଶ୍ବରେ ୮୨୮ ନିୟୁତ ଲୋକ ଏହି ବର୍ଗରେ ରହିଛନ୍ତି । ତେବେ ଦୁର୍ବଳ ସ୍ବାସ୍ଥ୍ୟ ହାର ୨୦୧୪ରେ ୩୮ ଦଶମିକ ୭ ପ୍ରତିଶତ ଥିବା ବେଳେ, ୨୦୨୨ରେ ଏହି ହାର ହୋଇଛି ୩୫ ଦଶମିକ ୫ ପ୍ରତିଶତ ।

ସେହିପରି ଶିଶୁ ମୃତ୍ୟୁହାର ୪ ଦଶମିକ ୬ ପ୍ରତିଶତରୁ ହ୍ରାସ ପାଇଛି ୩ ଦଶମିକ ୩କୁ । ରିପୋର୍ଟରେ ୨୦୦୦, ୨୦୦୭ ଓ ୨୦୧୪ ମସିହାର ତଥ୍ୟକୁ ୨୦୨୨ ସହ ତୁଳନା କରାଯାଇଛି । ବିଶ୍ବରେ କ୍ଷୁଧା ସୂଚୀ ୧୮ ଦଶମିକ ୨ ବୋଲି ମୂଲ୍ୟାୟନ କରାଯାଇଛି । ବିଭିନ୍ନ ଦେଶରେ ଚାଲିଥିବା ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, କୋଭିଡ, ଅର୍ଥନୈତିକ ସଙ୍କଟ, ୟୁକ୍ରେନ ଯୁଦ୍ଧ ଆଦିକୁ ବିଚାରକୁ ନେଇ ବିଶ୍ବ କ୍ଷୁଦା ସୂଚୀର ଆକଳନ କରାଯାଇଛି । ଏହି ସବୁ ସମସ୍ୟା ଯୋଗୁ ବିଶ୍ବରେ ଖାଦ୍ୟ, ଇନ୍ଧନ ଓ ସାର ଦର ବୃଦ୍ଧି ପାଇଛି ଏବଂ ୨୦୨୩ରୁ ଏହି ସମସ୍ୟା ଅଧିକ ଉତ୍କଟ ହେବ ବୋଲି ସତର୍କ କରି ଦିଆଯାଇଛି । ବିଶ୍ବର ୪୪ଟି ରାଷ୍ଟ୍ର ବର୍ତ୍ତମାନ କ୍ଷୁଧାର ଭୟଙ୍କର ଶିକାର ହୋଇଛନ୍ତି ।

About The Author: The Sakala