ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସର ଦ୍ୱିତୀୟ ଲହର ଦିନକୁ ଦିନ ଦେଶରେ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତକାଲି ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫୯ ହଜାର ପାର୍ କରି ଯାଇଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୯,୧୧୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୫୭ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୮,୪୬,୬୫୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୨୫୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୦,୯୪୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୩୨,୯୮୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୧୨,୬୪,୬୩୭।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ୫୯ ହଜାର ନୂଆ ସଂକ୍ରମିତଙ୍କ ମଧ୍ୟରେ କେବଳ ମହାରାଷ୍ଟ୍ରରୁ ରହିଛନ୍ତି ୩୬ ହଜାର । ଦିଲ୍ଲୀରେ ବି ସ୍ଥିତି ଅସମ୍ଭାଳ । ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରୁ ୧୫୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ପଞ୍ଜାବ ବି ସଂକ୍ରମିତଙ୍କ ସଂଖ୍ୟାରେ ପଛରେ ପଡିନାହିଁ । ଗତ ୨୪ ଘଂଟା ମଧ୍ୟରେ ପଞ୍ଜାବରେ ୨୭୦୦ ନୂଆ ମାମଲା ଆସିଛି । ସବୁଠାରୁ ବଡକଥା ହେଉଛି ପଞ୍ଜାରୁ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ନୂଆ ଷ୍ଟେନ ବୋଲି ଜଣାପଡିଛି । ପରୀକ୍ଷା ହୋଇଥିବା ୧୧୫ ଟି ମାମଲାରୁ ୧୦୬ ଟି ମାମଲା ୟୁ.କେ ଷ୍ଟେନ ବୋଲି ଜଣାପଡିଛି ।
ଏଯାଏ ଭାରତରେ ୫,୫୫,୦୪,୪୪୦ ଜଣ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଏପ୍ରିଲ ମାସରେ ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ଟିକା ହିଁ ଏକମାତ୍ର ଉପାୟ ବୋଲି ସେମାନେ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତରେ ଟିକାକରଣ କାର୍ୟ୍ୟକ୍ରମକୁ ଜୋରଦାର କରାଯାଉଛି।