ଭାରତର ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି: ୩.୨୫ ଲକ୍ଷ କୋଟିରେ କିଣାଯିବ ୧୧୪ ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଭାରତ ସରକାର ଏକ ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫ୍ରାନ୍ସ ସହିତ ୩.୨୫ ଲକ୍ଷ କୋଟି ଟଙ୍କାର ଏକ ବୃହତ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହେବାକୁ ଯାଉଛି। ଏହି ଚୁକ୍ତି ଅଧୀନରେ ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କ୍ରୟ କରାଯିବ। ସୂଚନା ଅନୁଯାୟୀ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଚଳିତ ସପ୍ତାହରେ ଏହି ଚୁକ୍ତିକୁ ମଞ୍ଜୁରୀ ଦେବାର ସମ୍ଭାବନା ରହିଛି।

ଯଦି ଏହି ଚୁକ୍ତି ଚୂଡ଼ାନ୍ତ ହୁଏ, ତେବେ ଏହା ଭାରତର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଚୁକ୍ତି ହେବ। ଏହି ଚୁକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି 'ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମ। ମୋଟ ୧୧୪ ବିମାନ ମଧ୍ୟରୁ ପ୍ରାୟ ୧୦୦ଟି ବିମାନ ଭାରତରେ ନିର୍ମାଣ କରାଯିବ। ଏଥିପାଇଁ ଫ୍ରାନ୍ସ ଭାରତକୁ ଉନ୍ନତ ଜ୍ଞାନକୌଶଳ ବା ଟେକ୍ନୋଲୋଜି ହସ୍ତାନ୍ତର କରିବ ଏବଂ ଏକ ରଣନୈତିକ ଭାଗିଦାରୀ ମାଧ୍ୟମରେ ଦେଶୀୟ ଜ୍ଞାନକୌଶଳରେ ଏହି ଲଢୁଆ ବିମାନ ପ୍ରସ୍ତୁତ ହେବ।

ବର୍ତ୍ତମାନ ଭାରତ ନିକଟରେ ୩୬ଟି ରାଫେଲ୍ ବିମାନ ରହିଛି, ଯାହାର ଶେଷ 'ସି' (C) ଭାରିଆଣ୍ଟ ଡିସେମ୍ବର ୨୦୨୪ରେ ବାୟୁସେନାରେ ସାମିଲ ହୋଇଥିଲା। ଏହାବ୍ୟତୀତ ନୌସେନା ପାଇଁ ୨୬ଟି 'ଏମ୍' (M) ଭାରିଆଣ୍ଟ ରାଫେଲ୍ ପାଇଁ ୬୩,୦୦୦ କୋଟି ଟଙ୍କାର ଚୁକ୍ତି ମଧ୍ୟ ହୋଇସାରିଛି। ଏହି ନୂତନ ୧୧୪ଟି ବିମାନ ସାମିଲ ହେଲେ ଭାରତ ବିଶ୍ୱର ଅନ୍ୟତମ ବୃହତ୍ତମ ରାଫେଲ୍ ଅପରେଟର୍ ହେବ। ରାଫେଲ୍ ଏକ ବହୁମୁଖୀ ଯୁଦ୍ଧ ବିମାନ, ଯାହା ଆକାଶମାର୍ଗରେ ଶତ୍ରୁକୁ ମାତ୍ ଦେବା ଏବଂ ସଠିକ୍ ଲକ୍ଷ୍ୟଭେଦ କରିବାରେ ବିଶ୍ୱସ୍ତରରେ ପରିଚିତ।

About The Author: Madhusudan Das