ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି। ଇମ୍ରାନଙ୍କ ଘରେ ଆତଙ୍କବାଦୀ ଲୁଛିଥିବା ନେଇ ପାକିସ୍ତାନ ସରକାର ଦାବି କରିଛନ୍ତି। ଯାହାକୁ ନେଇ ଇମ୍ରାନଙ୍କ ଘରକୁ ପୁଲିସ ଘେରି ରହିଛି। ଇମ୍ରାନ ଖାନଙ୍କ ଲାହୋରରେ ଥିବା ଜମାନ ପାର୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ରହିଛନ୍ତି ଓ ଇମ୍ରାନ ସେମାନଙ୍କୁ ଆଶ୍ରୟ ଦେଇଛନ୍ତି ପାକିସ୍ତାନ ସରକାର ଦାବି କରିଛନ୍ତି । ସେମାନଙ୍କୁ ପୁଲିସ ହାତରେ ଦେବାକୁ ଇମ୍ରାନଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଛି ।
ଇମ୍ରାନଙ୍କ ଘରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ରିପୋର୍ଟ ମିଳିଥିବା ପାକିସ୍ତାନର ପଞ୍ଜାବର ସରକାର ଦାବି କରିଛନ୍ତି । ଏହା ପରେ ପୁଲିସ ଇମ୍ରାନଙ୍କ ଘରକୁ ଘେରିଯାଇଛି ଓ ସଂପୃକ୍ତ ଅଂଚଳକୁ ସିଲ୍ କରିଦିଆଯାଇଛି । ତେବେ କେତେକ ରିପୋର୍ଟ ଅନୁସାରେ ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ)ର କର୍ମୀମାନଙ୍କୁ ପାକିସ୍ତାନ ସରକାର ଆତଙ୍କବାଦୀ ବୋଲି କହୁଛନ୍ତି । ଏହି କର୍ମୀମାନେ ଗତ ସପ୍ତାହରେ ଲାହୋର, ଇସ୍ଲାମାବାଦ ଆଦି ସହରରେ ଜଳାପୋଡ଼ା କରିଥିଲେ । ପିଟିଆଇ କର୍ମୀମାନଙ୍କୁ ପାକିସ୍ତାନ ସରକାର ଟାର୍ଗେଟ୍ କରିବାରେ ଲାଗିଛନ୍ତି । ସେମାନଙ୍କ ବିରୋଧରେ ବିଭିନ୍ନ ଆତଙ୍କବାଦୀ ଧାରା ଅନୁସାରେ ମାମଲା ରୁଜ୍ଜୁ କରାଯାଉଛି ।
ଖବର ଅନୁଯାୟୀ କାର୍ଯ୍ୟକାରୀ ସୂଚନା ମନ୍ତ୍ରୀ ଆମୀର ମିର ଲାହୋରରେ କହିଛନ୍ତି ଯେ ପିଟିଆଇ ଏହି ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବା ଉଚିତ। ଯଦି ସେମାନେ ତାହା ନକରନ୍ତି, ତେବେ ଆଇନ ଏହାର ମାର୍ଗ ଗ୍ରହଣ କରିବ। ଏହି ସମୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସରକାର ଅବଗତ ଅଛନ୍ତି। ଏ ସମ୍ପର୍କରେ ସରକାର ଅନେକ ବିଶ୍ୱସନୀୟ ଗୁପ୍ତଚର ରିପୋର୍ଟ ପାଇଥିଲେ। ଏହି ରିପୋର୍ଟ ଅତ୍ୟନ୍ତ ବିପଜ୍ଜନକ ବୋଲି ସେ କହିଛନ୍ତି। ଏହାକୁ ପ୍ରକାଶ କରି ଆମୀର ମିର କହିଛନ୍ତି ଯେ ଜିଓ ଫେନସିଂ ମାଧ୍ୟମରେ ଇମ୍ରାନ ଖାନଙ୍କ ବାସଭବନରେ ଆତଙ୍କବାଦୀଙ୍କ ଉପସ୍ଥିତି ଏଜେନ୍ସିମାନେ ନିଶ୍ଚିତ କରିଛନ୍ତି।