ମୁମ୍ବାଇ : ଆନ୍ତର୍ଜାତିକ ସ୍ତରରେ ଅରବପତି ବିଲ ଗେଟସ୍ଙ୍କ ଠାରୁ ଭାରତର ବହୁ ପ୍ରତିଷ୍ଠିତ ଉଦ୍ୟୋଗପତି ମାନବକଲ୍ୟାଣ ଦିଗରେ ବିପୁଳ ଅର୍ଥ ଦାନ କରିଥାଆନ୍ତି। ଏପରିକି ମାନବକଲ୍ୟାଣ କିମ୍ବା ସମାଜକଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରାୟ ସମସ୍ତ ପ୍ରତିଷ୍ଠିତ ଶିଳ୍ପଗୋଷ୍ଠୀର ଏକ ପୃଥକ ବିଭାଗ କାର୍ଯ୍ୟ କରୁଛି। ହେଲେ ଏସବୁ କ୍ଷେତ୍ରରେ ଭାରତୀୟ ଉଦ୍ୟୋଗପତିଙ୍କ ମଧ୍ୟରେ ଅଜିମ୍ ପ୍ରେମଜୀଙ୍କ ସ୍ଥାନ ସବୁଠୁ ଆଗରେ । ଗତ ଆର୍ଥିକ ବର୍ଷ(୨୦୨୦-୨୧)ରେ ପ୍ରେମଜୀଙ୍କ କମ୍ପାନୀ ଯେତିକି ପରିମାଣର ଦାନ କରିଛି ତାହା ଅନ୍ୟ ସମସ୍ତ ଉଦ୍ୟୋଗ କ୍ଷେତ୍ର ତୁଳନାରେ ଅଧିକ ବୋଲି ଜଣାପଡ଼ିଛି। ମୁଖ୍ୟତଃ ସଫ୍ଟୱେୟର ରପ୍ତାନୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଜିମ ପ୍ରେମଜୀଙ୍କ ୱିପ୍ରୋ କମ୍ପାନୀ ଏହି ଆର୍ଥିକ ବର୍ଷରେ ମୋଟ ୯୭୧୩ କୋଟି ଟଙ୍କା ମାନବକଲ୍ୟାଣ ଦିଗରେ ବ୍ୟୟ କରିଛି। ଅର୍ଥାତ ଦିନକୁ ୨୭ କୋଟି ଟଙ୍କା ଦାନ କରାଯାଇଛି। ଫଳରେ ଏହି ଆର୍ଥିକ ବର୍ଷରେ ମାନବକଲ୍ୟାଣ ଦିଗରେ ସର୍ବାଧିକ ବ୍ୟୟ କରିଥିବା ଭାରତୀୟ ଉଦ୍ୟୋଗପତିଙ୍କ ମଧ୍ୟରେ ଅଜିମ ପ୍ରେମଜୀ ସବୁଠୁ ଆଗରେ ରହିଛନ୍ତି।
‘ହୁରୁନ୍ ଇଣ୍ଡିଆ ଫିଲାନ୍ତ୍ରୋଫି ତାଲିକା ୨୦୨୧’ ଅନୁଯାୟୀ ୱିପ୍ରୋ କମ୍ପାନୀର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବେ ପ୍ରେମଜୀ ଗତବର୍ଷ ନିଜ ଦାନ ପରିମାଣରେ ବୃଦ୍ଧି କରିଥିଲେ। ପୂର୍ବରୁ ସେ ବାର୍ଷିକ ଯେତିକି ପରିମାଣର ଦାନ ଦେଉଥିଲେ ତାହାର ଏକ ଚତୁର୍ଥାଂଶ ବୃଦ୍ଧି କରିଥିଲେ। ବିଶେଷକରି କରୋନା ମହାମାରୀ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରେମଜୀ ଏଭଳି ନିଷ୍ପତ୍ତି ନେଇଥÒଲେ ବୋଲି କୁହାଯାଇଛି। ପ୍ରେମଜୀଙ୍କ ପଛକୁ ଦାନ କରିବା କ୍ଷେତ୍ରରେ ଦ୍ବିତୀୟରେ ରହିଛନ୍ତି ଏଚସିଏଲ କମ୍ପାନୀର ଶିବ ନାଦର। ସେ ଏହି ବର୍ଷରେ ମୋଟ ୧୨୬୩ କୋଟି ଟଙ୍କା ଦାନ ଦେଇଛନ୍ତି। ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଭାରତର ସବୁଠୁ ବିତ୍ତଶାଳୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ୨୦୨୦-୨୧ ଆର୍ଥିକ ବର୍ଷରେ ସେ ୫୭୭ କୋଟି ଟଙ୍କା ଦାନ ଦେଇଛନ୍ତି। ଏହାପରେ ଆଦିତ୍ୟ ବିର୍ଲା ଗୋଷ୍ଠୀ ମୁଖ୍ୟ କୁମାର ମଙ୍ଗଳମ ବିର୍ଲା ୩୭୭ କୋଟି ଟଙ୍କାର ଦାନ ଦେଇଥÒବା ବେଳେ ଭାରତର ଦ୍ବିତୀୟ ବିତ୍ତଶାଳୀ କୁହାଯାଉଥିବା ଗୌତମ ଆଦାନୀ ମାତ୍ର ୧୩୦ କୋଟି ଟଙ୍କା ଦାନ କରିଛନ୍ତି। ସେହିପରି ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ନନ୍ଦନ ନିଲକେନି ଏହି ବର୍ଷରେ ୧୮୩ କୋଟି ଟଙ୍କା ଦାନ କରି ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଭାରତୀୟ ଉଦ୍ୟୋଗପତିମାନେ ଦେଉଥିବା ଦାନର ସର୍ବାଧିକ ଅଂଶ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟ କରାଯାଉଥିବା ବେଳେ ଏବେ ଏହି ତାଲିକାରେ ଆଉ କିଛି ନୂଆ ଉଦ୍ୟୋଗପତି ମଧ୍ୟ ଯୋଡି ହେବା ଦେଖାଯାଇଛି।
ଶେୟାର ବଜାରରେ ସର୍ବାଧିକ ପୁଞ୍ଜି ନିବେଶ କରୁଥିବା ରାକେଶ ଝୁନଝୁନୱାଲା ଏବେ ମାନବକଲ୍ୟାଣ ଦିଗରେ ଦାନ କରିବା ଆରମ୍ଭ କରିଥିବା ବେଳେ ଏହି ବର୍ଷରେ ସେ ୫୦ କୋଟି ଟଙ୍କା ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବ୍ୟୟ କରିଛନ୍ତି। ସେହିପରି ଉଦ୍ୟୋଗପତି ଭ୍ରାତା ନିତିନ ଏବଂ ନିଖିଲ କାମଥ ୭୫୦ କୋଟି ଟଙ୍କା ଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଅନ୍ୟ ଉଦ୍ୟୋଗପତିଙ୍କ ମଧ୍ୟରେ ହିନ୍ଦୁଜା ପରିବାର, ବଜାଜ ଗୋଷ୍ଠୀ, ଅନୀଲ ଅଗ୍ରୱାଲ ଏବଂ ବର୍ମନ ପରିବାର ରହିଥିଲା ବେଳେ ଏଲ ଆଣ୍ଡି ଟି ମୁଖ୍ୟ ଏ କେ ନାୟକ ୧୧୨ କୋଟି ଟଙ୍କା ଦାନ କରି ୧୧ତମ ସ୍ଥାନରେ ରହିଛନ୍ତି। ଦାନକାରୀଙ୍କ ତାଲିକାରେ କିଛି ମହିଳା ଉଦ୍ୟୋଗପତି ମଧ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ୬୯ କୋଟି ଟଙ୍କା ଦାନ କରି ରୋହିଣୀ ନିଲକେନି ସବୁଠୁ ଆଗରେ ରହିଥିବା ବେଳେ ତାଙ୍କ ପଛକୁ ୟୁଏସଭି ଗୋଷ୍ଠୀର ଲିନା ତିୱାରି ୨୪ କୋଟି ଟଙ୍କା ଦାନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଥର୍ମାକ୍ସର ଅନୁ ଆଗା ଯିଏକି ୨୪ କୋଟି ଟଙ୍କାର ଦାନ ଦେଇଛନ୍ତି। ଏହି ତାଲିକାରେ ୩୧ ପ୍ରତିଶତ ଭାବେ ମୁମ୍ବାଇର ସବୁଠୁ ଅଧିକ ଉଦ୍ୟୋଗପତିଙ୍କ ନାମ ରହିଥିବା ବେଳେ ଏହାପଛକୁ ଦିଲ୍ଲୀ(୨୭ ପ୍ରତିଶତ) ଏବଂ ବେଙ୍ଗାଲୁରୁ(୧୦ ପ୍ରତିଶତ) ତୃତୀୟ ସ୍ଥାନରେ ରହିଛି। ତେବେ ଫାର୍ମା ଶିଳ୍ପ କ୍ଷେତ୍ରରୁ ସର୍ବାଧିକ ଦାନକାରୀ ରହିଥିବା ଜଣାପଡ଼ିଛି।