ହନିମୁନ୍ ମର୍ଡର କେସ୍: ସୋନମ୍ ରଘୁବଂଶୀଙ୍କ ପରେ ଏବେ ପ୍ରେମିକ ରାଜ୍ କୁଶୱାହା ମଧ୍ୟ ଆସିପାରନ୍ତି ଜେଲରୁ ବାହାରକୁ, ଜାମିନ ରାୟ ସଂରକ୍ଷିତ

ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ବହୁଚର୍ଚ୍ଚିତ 'ହନିମୁନ୍ ମର୍ଡର କେସ୍'ରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ମୋଡ଼ ଆସିବାରେ ଲାଗିଛି। ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପତ୍ନୀ ସୋନମ୍ ରଘୁବଂଶୀଙ୍କୁ ବେଲ୍ ମିଳିବା ପରେ, ଏବେ ତାଙ୍କ ପ୍ରେମିକ ରାଜ୍ କୁଶୱାହା ଜେଲରୁ ବାହାରିବାର ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ କୁଶୱାହାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଅଦାଲତ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି।

ପ୍ରେମିକ ରାଜ୍ କୁଶୱାହାଙ୍କ ଜାମିନ ଉପରେ ଶୁଣାଣି

ସୂଚନା ଅନୁଯାୟୀ, ମେଘାଳୟର ଶିଲଂ କୋର୍ଟରେ ରାଜ୍ କୁଶୱାହାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ମାମଲାରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ନିକଟରେ ପୋଲିସର କିଛି ବୈଷୟିକ ତ୍ରୁଟି (ଟାଇପୋ ଏରର୍) ଏବଂ ଦସ୍ତାବିଜରେ ଭୁଲ ଦଫା ଉଲ୍ଲେଖ କରାଯାଇଥିବା କାରଣରୁ ମୁଖ୍ୟ ଅଭିଯୁକ୍ତ ସୋନମ୍ ରଘୁବଂଶୀଙ୍କୁ ସହଜରେ ବେଲ୍ ମିଳିଯାଇଥିଲା। ଏହି ସମାନ ଆଧାରରେ ରାଜ୍ କୁଶୱାହାଙ୍କ ଓକିଲ ମଧ୍ୟ ଜାମିନ ପାଇଁ ଦାବି କରିଛନ୍ତି। ଯଦି କୋର୍ଟ ଏହି ଆବେଦନକୁ ଗ୍ରହଣ କରନ୍ତି, ତେବେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ରାଜ୍ ମଧ୍ୟ ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି।

କଣ ଥିଲା ହନିମୁନ୍ ମର୍ଡର ଘଟଣା?

ଗତ ବର୍ଷ ଅର୍ଥାତ୍ ମେ ୨୦୨୫ ମସିହାରେ ମଧ୍ୟପ୍ରଦେଶ ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀ ଏବଂ ତାଙ୍କ ନବବିବାହିତା ପତ୍ନୀ ସୋନମ୍ ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ। କିନ୍ତୁ ମେ ୨୩ ତାରିଖରେ ସୋହରା ଅଞ୍ଚଳରେ ବୁଲିବାକୁ ଯାଇଥିବା ବେଳେ ଉଭୟ ଆଶ୍ଚର୍ଯ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ। ପରେ ଖୋଜାଖୋଜି କରିବାରୁ ଜୁନ୍ ୨ ତାରିଖରେ ଏକ ଗଭୀର ଖାଇରୁ ରାଜା ରଘୁବଂଶୀଙ୍କ ଗଳିତ ଶବ ଉଦ୍ଧାର କରାଯାଇଥିଲା। ପୋଲିସର ତଦନ୍ତରୁ ଜଣାପଡିଥିଲା ଯେ ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ।

ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିଲା ପତ୍ନୀ

ପୋଲିସ ତଦନ୍ତରୁ ଏହା ମଧ୍ୟ ସ୍ପଷ୍ଟ ହୋଇଥିଲା ଯେ ସୋନମ୍ ରଘୁବଂଶୀ ନିଜର ପ୍ରେମିକ ରାଜ୍ କୁଶୱାହା ଏବଂ ଅନ୍ୟ ୩ ଜଣ ଭଡ଼ାଟିଆ ଗୁଣ୍ଡାଙ୍କ ସହ ମିଶି ଏହି ହତ୍ୟାକାଣ୍ଡର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସୋନମ୍ ଓ ରାଜ୍ ପୂର୍ବରୁ ପରସ୍ପରକୁ ଭଲ ପାଉଥିଲେ ଏବଂ ଏକାଠି ନିଜର ଏକ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ। ତେଣୁ ପରିବାରର ଚାପରେ ସୋନମ୍ ରାଜାଙ୍କୁ ବିବାହ କରିବା ପରେ, ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ହନିମୁନ୍ ବେଳେ ଏହି ନିର୍ମମ ହତ୍ୟାକାଣ୍ଡ ଘଟାଇଥିଲେ। ହତ୍ୟା ପରେ ସୋନମ୍ ଗାଜିପୁରରେ ଆତ୍ମସମର୍ପଣ କରିଥିଲେ ଏବଂ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଗତ ସେପ୍ଟେମ୍ବର ୨୦୨୫ରେ ପୋଲିସ ଏହି ମାମଲାରେ ୭୯୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲେ ମଧ୍ୟ ଗିରଫଦାରୀ ବେଳେ ପୋଲିସ ଦ୍ୱାରା ଲାଗିଥିବା ଦଫାରେ ରହିଥିବା ବଡ଼ ତ୍ରୁଟି ଏବଂ ଗିରଫଦାରୀର ସଠିକ୍ କାରଣ ନ ଦର୍ଶାଇବା ଯୋଗୁଁ ନିକଟରେ ସୋନମ୍‌ଙ୍କୁ କୋର୍ଟରୁ ଜାମିନ ମିଳିଯାଇଛି। ଏବେ ସମସ୍ତଙ୍କ ନଜର ରାଜ୍ କୁଶୱାହାଙ୍କ ଜାମିନ ରାୟ ଉପରେ ରହିଛି।

About The Author: Suryakanta