ବେଜିଂ : ଆମେରିକା ଏବଂ ଚୀନ୍ ମଧ୍ୟରେ ଲାଗି ରହିଥିବା ଶୁଳ୍କ ଯୁଦ୍ଧକୁ ନେଇ ଉଭୟ ରାଷ୍ଟ୍ର ମୁହାଁମୁହିଁ ହେବା ଲାଗି ରହିଛି। ଆମେରିକା ଉପରେ ଚୀନ୍ର ପାଲଟା ଶୁଳ୍କ ଘୋଷଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଉପରେ ପୁଣି ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଚନ୍ତି। ଏହାକୁ ଭ୍ରୁକ୍ଷେପ ନ କରି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁଳ୍କ ଯୁଦ୍ଧକୁ ନେଇ ଲଢେଇ କରିବାକୁ ପ୍ରସ୍ତୁତ ରହିଥିବା କହିଛନ୍ତି। ଏହିକ୍ରମରେ ଚୀନ୍ରେ ହଲିଉଡ୍ ଫିଲ୍ମ ନିଷିଦ୍ଧ କରିବାକୁ ଜିନପିଙ୍ଗ ଧମକ ଦେଇଛନ୍ତି। ଯଦି ଏହା ଲାଗୁ କରାଯାଏ ତେବେ ଆମେରିକାର ଫିଲ୍ମ ଶିଳ୍ପକ୍ଷେତ୍ର ଶହ ଶହ ନିୟୁତ ଡଲାରର ରାଜସ୍ବ ହରାଇବ ବୋଲି କୁହାଯାଉଛି।
ନିକଟ ଭବିଷ୍ୟତରେ ହଲିଉଡ୍ ଫିଲ୍ମ ଜୁରାସିକ୍ ୱାର୍ଲଡ, ରିବାର୍ଥ, ଦି ଆକାଉଣ୍ଟାଣ୍ଟ-୨ ଏବଂ ମିଶନ ଇମ୍ପସିବଲ ଭଳି ବହୁ ଫିଲ୍ମ ମୁକ୍ତିଲାଭ କରିବାର ଥିଲା। ହେଲେ ଚୀନ୍ ସରକାରଙ୍କ ପକ୍ଷରୁ ଯଦି କୌଣସି ପଦକ୍ଷେପ ନିଆଯାଏ ତେବେ ଆମେରିକା ପାଇଁ ଆର୍ଥିକ ଦିଗରୁ ବଡ଼ କ୍ଷତ ସୃଷ୍ଟି ହେବ ବୋଲି କୁହାଯାଉଛି। ହଲିଉଡ୍ ଫିଲ୍ମ ବ୍ୟତୀତ ଚୀନ୍ରେ ଆମେରିକା ପ୍ରସ୍ତୁତ କୃଷିଜାତ ଦ୍ରବ୍ୟ ମଧ୍ୟ ନିଷିଦ୍ଧ କରିବାକୁ ଚୀନ୍ ଯୋଜନା କରିଛି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଚୀନ୍ରେ ବକ୍ସ ଅଫିସ୍ କାରବାର ପରିମାଣ ୧୭.୭୧ ବିଲିୟନ ଡଲାର ରହିଥିଲା। ଯାହାର ୩.୫ ପ୍ରତିଶି ଅଂଶ କେବଳ ହଲିଉଡ୍ ଫିଲ୍ମର ରହିଥିଲା।