କଲକାତା ବିମାନବନ୍ଦରରେ ହାଇଜାକ୍ ଆତଙ୍କ: ଆଇସୋଲେସନ୍ ବେ'କୁ ନିଆଗଲା ଏୟାର ଇଣ୍ଡିଆ ବିମାନ

କଲକାତା ବିମାନବନ୍ଦରରେ ଏକ ବଡ଼ ଧରଣର ସୁରକ୍ଷା ଆଲର୍ଟ ଜାରି କରାଯାଇଛି। ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ଏକ ବିମାନରେ ହାଇଜାକ୍ ଧମକ ମିଳିବା ପରେ ସମଗ୍ର ବିମାନବନ୍ଦରରେ ଆତଙ୍କ ଖେଳିଯାଇଛି।

ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ଏହି ବିମାନଟି କଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିଲା। ଉଡ଼ାଣ ପୂର୍ବରୁ ବିମାନରେ ଜଣେ ବ୍ୟକ୍ତି ହାଇଜାକ୍ ସମ୍ପର୍କରେ ସୂଚନା ଦେଇଥିଲେ, ଯାହା ପରେ ତୁରନ୍ତ ସୁରକ୍ଷା ବାହିନୀ ଓ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସତର୍କ କରାଯାଇଥିଲା।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିମାନଟିକୁ ତୁରନ୍ତ ରନୱେରୁ ହଟାଇ ଏକ ନିର୍ଦ୍ଦିଷ୍ଟ ଆଇସୋଲେସନ୍ ବେ'କୁ ନିଆଯାଇଥିଲା। ସେଠାରେ ସିଆଇଏସଏଫ (CISF) ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ପ୍ରତିଟି ଯାତ୍ରୀ ଓ ସେମାନଙ୍କର ସାମଗ୍ରୀକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ଏହି ଘଟଣା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହା ଏକ ମିଥ୍ୟା ସୂଚନା କିମ୍ବା ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି ସେ ନେଇ ପୋଲିସ ଏବଂ ସୁରକ୍ଷା ଏଜେନ୍ସିମାନେ ତଦନ୍ତ ଜାରି ରଖିଛନ୍ତି। ବିମାନ ଚଳାଚଳ ସାମୟିକ ଭାବେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

About The Author: Suryakanta